ମହଙ୍ଗା ହେବ ଋଣ : ରେପୋ ରେଟ୍ ବଢ଼ିବା ପରେ ବଢ଼ିବ ଆଣିିଥିବା ଋଣ ଉପରେ ମାସିକିଆ କିସ୍ତିର ପରିମାଣ ବା ଇଏମଆଇ Kanak News
କନକ ବ୍ୟୁରୋ : ଏଣିକି ମହଙ୍ଗା ହେବ ଋଣ । ଅର୍ଥାତ ଆପଣମାନଙ୍କୁ ବ୍ୟାଙ୍କରୁ ଆଣିଥିବା ଗାଡି ହେଉ କି ଘର ୠଣ, ସବୁ ଉପରେ ଏଣିକି ଅଧିକ ସୁଧ ଦେବାକୁ ପଡିବ । ଯାହାଫଳରେ ପୂର୍ବରୁ ଯେତିକି ଇଏମଆଇ ବା ମାସିକ କିସ୍ତି ଦେଉଥିଲେ ଏଣିକି ଆହୁରି ଅଧିକ ଦେବେ । ଧରନ୍ତୁ ଆପଣ ୨୫ ଲକ୍ଷ ଟଙ୍କା ୨୦ ବର୍ଷ ପାଇଁ ରୁଣ ଆଣିଥିଲେ । ଆଉ ମାସିକ କିସ୍ତି ୧୯ ହଜାର ୩୮୨ ଟଙ୍କା ଦେଉଥିଲେ । ଏଣିକି ଆପଣଙ୍କୁ ଆଉ ୬୦୫ଟଙ୍କା ଅଧିକ ମାସିକ କିସ୍ତି ଦେବାକୁ ପଡିବ । ଅର୍ଥାତ ଆପଣଙ୍କୁ ମାସିକ ୧୯ ହଜାର ୯୮୭ ଟଙ୍କା ଦେବାକୁ ପଡିବ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାର ରେପୋ ରେଟ୍ ୪୦ ବେସିସ୍ ପଏଂଟ ବୃଦ୍ଧି ପରେ ଏମିତି ଆକଳନ କରିଛନ୍ତି ଅର୍ଥନୀତିଜ୍ଞ । ଗତ ୨ ତାରିଖରୁ ଆରବିଆଇ ମନିଟାରୀ ପଲିସି କମିଟିର ବୈଠକ ବସିଥିଲା । ଏହି ବୈଠକରେ ରେପୋ ରେଟ୍ ବଢ଼ାଇବା ପାଇଁ ନିଷ୍ପତି ହୋଇଥିଲା । ଏନେଇ ସୂଚନା ଦେଇଥିଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପ୍ରାୟ ୪ବର୍ଷ ପରେ ରେପୋ ରେଟ୍ ବୃଦ୍ଧି କରିଛି ଆରବିଆଇ । ରେପୋ ରେଟ୍ ବୃଦ୍ଧି ପରେ ଏହା ୪ଦଶମିକ ୪୦ରେ ପହଁଚିଛି । ଏଥିସହ ସିଆରଆର ବା କ୍ୟାସ ରିଜର୍ଭ ରେସିଓ ବା ନଗଦ ଜମା ଅନୁପାତକୁ ୫୦ ବେସିସ୍ ପଏଂଟ ବା ୦ ଦଶମିକ ୫ ପ୍ରତିଶତ ବୃଦ୍ଧି କରି ୪ଦଶମିକ ୫ପ୍ରତିଶତ ହୋଇଛି ।
ଇନଫ୍ଲେସନ ବା ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଅନ୍ୟପଟେ ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ପରେ ଷ୍ଟକ ବଜାର ପ୍ରଭାବିତ ହୋଇଛି । ବମ୍ବେ ଷ୍ଟକ୍ ଏକସଚେଞ୍ଜର ସୂଚକାଙ୍କ ୧୩ଶହ ପଏଂଟରୁ ଅଧିକ ହ୍ରାସ ପାଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକସଚେଞ୍ଜର ନିଫଟି ୪୧୪ ପଏଂଟ ହ୍ରାସ ପାଇ ୧୬ ହଜାର ୫ଶହ ପଏଣ୍ଟ ତଳକୁ ଖସି ଯାଇଛି ।
The post ମହଙ୍ଗା ହେବ ଋଣ : ରେପୋ ରେଟ୍ ବଢ଼ିବା ପରେ ବଢ଼ିବ ଆଣିିଥିବା ଋଣ ଉପରେ ମାସିକିଆ କିସ୍ତିର ପରିମାଣ ବା ଇଏମଆଇ first appeared on Kanak News.
from Kanak News https://ift.tt/Ch5Rlp3 https://ift.tt/dzJrE5A
No comments: