ନୂଆଦିଲ୍ଲୀ : କେବଳ ଭୟ ନୁହେଁ, ଲୋକଙ୍କ ଭିତରେ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନକୁ ନେଇ ଉତ୍ସୁକତା ମଧ୍ୟ ପ୍ରକାଶ ପାଉଛି । ଏହାର ନାଁ ଓମିକ୍ରନ୍ କାହିଁକି ଦିଆଗଲା ବୋଲି ଅନେକେ ଭାବୁଛନ୍ତି । ଅନ୍ୟପଟେ ସତରେ କଣ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଡରି ଡବ୍ଲୁଏଚ୍ଓ ନୂଆ ଭାରିଆଣ୍ଟର ନାଁ ସି ଦେଲା ନାହିଁ ବୋଲି ମଧ୍ୟ ଅନେକେ ଯୁକ୍ତି ବାଢ଼ୁଛନ୍ତି ।
କରୋନାର ନୂଆ ଚର୍ଚ୍ଚିତ ତଥା ଚିନ୍ତାଜନକ ଭାରିଆଣ୍ଟ ଓମିକ୍ରନ୍ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଏହି ପ୍ରଜାତି କରୋନା ଭୂତାଣୁର ବୈଜ୍ଞାନିକ ନାମ B.1.1.529 ହେଲେ ଏହାର ଡାକ ନାଁ ଓମିକ୍ରନ୍ କିନ୍ତୁ କାହିଁକି ? କେଉଁଠୁ ଆସିଲା ଆଗରୁ ଶୁଣାଯାଇନଥିବା ଏହି ଅଜବ ଶବ୍ଦ? ବାସ୍ତବରେ ବୈଜ୍ଞାନିକମାନେ କରୋନାର ବିଭିନ୍ନ ଭାରିଆଣ୍ଟକୁ ଏହାର ସାଇଣ୍ଟିଫିକ୍ ନେମ୍ ବା ବୈଜ୍ଞାନିକ ନାମରେ ଚିହ୍ନଟ କରନ୍ତି, ହେଲେ ସାଧାରଣ ଲୋକଙ୍କ ପାଇଁ ଏଭଳି ଜଟିଳ ସଂଖ୍ୟାଭିତ୍ତିକ ନାମ ମନେ ରଖିବା କଷ୍ଟସାଧ୍ୟ । ଏହାସହ ଗଣମାଧ୍ୟମରେ ଭୁଲ୍ ରିପୋର୍ଟିଂ ହୋଇଯିବାର ମଧ୍ୟ ଆଶଙ୍କା ରହିଛି ।
ଅନ୍ୟପକ୍ଷରେ ପ୍ରଥମେ ଚିହ୍ନଟ ଦେଶ ବା ସ୍ଥାନ ନାମରେ ଡକାଗଲେ ସମ୍ପୃକ୍ତ ଦେଶ ପ୍ରତି ଏହା ଅପମାନସୂଚକ ହୋଇପାରେ । ତେଣୁ କରୋନାର ପ୍ରତ୍ୟେକ ଭାରିଆଣ୍ଟକୁ ପୂର୍ବରୁ ଗ୍ରୀକ୍ ବର୍ଣ୍ଣମାଳା ଅନୁସାରେ ନାମିତ କରିଆସୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-WHO । ଯେମିତିକି ୟୁକେରେ ଚିହ୍ନଟ ହୋଇଥିବା ଭାରିଆଣ୍ଟକୁ ଆଲଫା, ଦକ୍ଷିଣ ଆଫ୍ରିକାରେ ଚିହ୍ନଟକୁ ବିଟା, ବ୍ରାଜିଲରେ ଚିହ୍ନଟକୁ ଗାମା ଓ ଭାରତର ଚିହ୍ନଟକୁ ଡେଲଟା । ସେହିପରି ଗ୍ରୀକ୍ ବର୍ଣ୍ଣମାଳାର ୧୫ ତମ ବର୍ଣ୍ଣ ବା ଆଲଫାବେଟ୍ ହେଉଛି ଓମିକ୍ରନ୍ ।
ତେବେ ଡବ୍ଲୁଏଚ୍ଓ ୧୩ ଓ ୧୪ ତମ ଅୟଆଲଫାବେଟ୍ ନ୍ୟୁ ଓ ସି କୁ କରୋନା ଭାରିଆଣ୍ଟ୍ ନାମକରଣରୁ ବାଦ୍ ଦେଇଛି । ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କୁ ଡରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି ନିଷ୍ପତ୍ତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଡବ୍ଲୁଏଚ୍ଓ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଗ୍ରୀକ୍ ଆଲଫାବେଟ୍ ନ୍ୟୁ ଓ ଇଂରାଜୀ ଶବ୍ଦ ନ୍ୟୁ ମଧ୍ୟରେ ଦ୍ୱନ୍ଦ୍ୱ ନଉପୁଜିବା ପାଇଁ ୧୩ ତମ ଗ୍ରୀକ୍ ବର୍ଣ୍ଣକୁ ଜାଣିଶୁଣି ବାଦ୍ ଦିଆଯାଇଛି ।
ସେହିପରି ସି ଚୀନର ଏକ ଅତି ପ୍ରଚଳିତ ସାଙ୍ଗିଆ ହୋଇଥିବାରୁ, ଭୂତାଣୁର ଏଭଳି ନାଁ ରଖିଲେ ଏକ ଜନସମୁଦାୟ ବଦନାମ ହେବାର ଆଶଙ୍କା ରହିଛି । ତେଣୁ ଇଚ୍ଛାକୃତ ଭାବରେ ୧୩ ଓ ୧୪ ତମ ଆଲଫାବେଟ୍ ନ୍ୟୁ ଓ ସି କୁ ବାଦ୍ ଦେଇ ୧୫ ତମ ଗ୍ରୀକ୍ ଆଲଫାବେଟ୍ ଓମିକ୍ରନ୍ ଅନୁସାରେ କରୋନାର ନୂଆ ଭାରିଆଣ୍ଟର ନାମକରଣ କରାଯାଇଛି ।
from Latest Odisha News, Breaking News Today | Top Updates on Corona - OTV News https://ift.tt/3ri0WUM
No comments: