ପେନସନ ଦାନ ଅଭିଯାନ ଆରମ୍ଭ କରିବେ ମୋଦୀ ସରକାର : ଜାଣନ୍ତୁ କାହାକୁ ମିଳିବ ଏବଂ କେତେ ଟଙ୍କା ମିଳିବ ପେନସନ୍ ? Kanak News

କନକ ବ୍ୟୁରୋ : ପେନସନ ଦାନ ଅଭିଯାନ ଆରମ୍ଭ କରିବେ ମୋଦୀ ସରକାର । ସ୍ବେଚ୍ଛାକୃତ ଭାବେ ଏଲ୍‌ପିଜି ସବ୍‌ସିଡି ପରିହାର କରିବା ଲାଗି ଅତୀତରେ ଘୋଷଣା କରାଯାଇଥିବା ‘ଗିଭ୍‌ ଇଟ୍‌ ଅପ୍’ ଅଭିଯାନ ଢାଞ୍ଚାରେ ପେନ୍‌ସନ୍ ଦାନ ଅଭିଯାନକୁ ପ୍ରସ୍ତୁତ କରାଯିବ । ଗିଭ୍ ଇଟ୍ ଅପ୍ ଅଭିଯାନରେ ସ୍ବଚ୍ଛଳ ବର୍ଗର ଲୋକମାନଙ୍କୁ ସ୍ବେଚ୍ଛାକୃତ ଭାବେ ଏଲ୍‌ପିଜି ସବ୍‌ସିଡି ପରିହାର କରିବାରୁ ସରକାର ନିବେଦନ କରିଥିଲେ । ସରକାର ଦେଇଥିବା ଆହ୍ବାନକୁ ଗ୍ରହଣ କରି ବହୁ ଗ୍ରାହକ ସବ୍‌ସିଡି ଛାଡ଼ିଥିଲେ ।

ଏହା ଜରିଆରେ ଯେଉଁ ସଞ୍ଚୟ ହୋଇଥିଲା ତାହା ଗରିବ ଲୋକମାନଙ୍କୁ ଏଲ୍‌ପିଜି ସଂଯୋଗ ପ୍ରଦାନ କରିବା ଲାଗି ବ୍ୟବହାର କରାଯାଇଥିଲା । ପେନ୍‌ସନ୍ ଦାନ ଅଭିଯାନରେ ପ୍ରତି ଶ୍ରମିକଙ୍କ ପାଇଁ ମାତ୍ର ୩୬ ହଜାର ଟଙ୍କା ଦାନ କରିବାକୁ ପଡ଼ିବ । ସେହି ଟଙ୍କାକୁ ବ୍ୟବହାର କରି ଶ୍ରମିକଙ୍କ ନାମରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ସ୍କିମ୍‌ରେ ଖାତା ଖୋଲାଯିବ । ଏହି ସ୍କିମ୍‌ରେ ଯୋଗ୍ୟ ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଯିବା ପରେ ମାସିକ ୩୦୦୦ ଟଙ୍କାର ପେନ୍‌ସନ୍ ମିଳିବା ବ୍ୟବସ୍ଥା ରହିଛି । ସ୍ବଚ୍ଛଳ ବର୍ଗର ଲୋକମାନେ ଚାହିଲେ ନିଜ ଘରୋଇ ସହାୟକଙ୍କ ପାଇଁ ପେନ୍‌ସନ୍ ଦାନ କରିପାରିବେ ।

ପେନ୍‌ସନ୍ ଦାନ ସ୍କିମ୍ ଆରମ୍ଭ କରିବା ଲାଗି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ପିଏମ୍-ଏସ୍‌ୱାଇଏମ୍ ସ୍କିମ୍‌ରେ ଯୋଡ଼ି ହେଉଥିବା ଲୋକଙ୍କ ସଂଖ୍ୟା ୨୦୨୦-୨୧ରେ ମାତ୍ର ୧୦,୭୬୮କୁ ହ୍ରାସ ପାଇବାରୁ ତାହାକୁ ଅଧିକ ଆକର୍ଷଣୀୟ କରିବା ଲାଗି ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି। ଶ୍ରମ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଅକ୍ଟୋବରରେ ମାତ୍ର ୩୫ ଜଣ ଶ୍ରମିକ ଏହି ସ୍କିମ୍‌ରେ ଯୋଡ଼ି ହୋଇଥିଲେ। ସେପ୍ଟେମ୍ବରରେ ସେମାନଙ୍କ ସଂଖ୍ୟା ୮୫ ଥିଲା । ପେନ୍‌ସନ୍‌ ଦାନ ସ୍କିମ୍ ଆରମ୍ଭ ହେଲେ ଏହି ସ୍କିମ୍‌କୁ ବଡ଼ ଶକ୍ତି ମିଳିଯିବ । ପିଏମ୍‌-ଏସ୍‌ୱାଇଏମ୍ ହେଉଛି ଏକ ସ୍ବେଚ୍ଛାକୃତ ଯୋଗଦାନ ଭିତ୍ତିକ ପେନ୍‌ସନ୍ ସ୍କିମ୍ । ଅଣ ସଂଗଠିତ କ୍ଷେତ୍ରର ଲୋକମାନଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରିବା ଲକ୍ଷ୍ୟ ନେଇ ଏହି ସ୍କିମ୍ ଆରମ୍ଭ କରାଯାଇଥିଲା ।

ମାସକୁ ୧୫ ହଜାର ଟଙ୍କାରୁ କମ୍ ରୋଜଗାର କରୁଥିବା ୧୮-୪୦ ବର୍ଷ ବୟସର ଅଣ ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଏଥିରେ ସାମିଲ କରିବାର ଯୋଜନା ରହିଥିଲା। ଏହି ଯୋଜନାରେ ଖାତା ଖୋଲିଲେ ମାସକୁ ୫୫ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଯୋଗଦାନ ରାଶି ଜମା କରିବାକୁ ପଡ଼ିବ। ସେହି ସମାନ ପରିମାଣର ଟଙ୍କା ସରକାର ତାଙ୍କ ପାଇଁ ପ୍ରଦାନ କରିବେ । ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା‌ ଏହି ସ୍କିମ୍‌ରେ ୪.୫୧ ନିୟୁତ ଶ୍ରମିକ ଯୋଡ଼ି ହୋଇଛନ୍ତି । ତିନି ବର୍ଷ ପୂର୍ବେ ଏହି ସ୍କିମ୍ ଆରମ୍ଭ କରାଯାଇଥିଲା । ଦେଶର ଅଣ ସଂଗଠିତ କ୍ଷେତ୍ରରେ ୩୮ କୋଟି ପାଖାପାଖି ଶ୍ରମିକ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସଂଖ୍ୟାକୁ ଦେଖିଲେ ଏହି ସ୍କିମ୍‌ ବିଶେଷ ଅଗ୍ରଗତି କରିନାହିଁ ବୋଲି କୁହାଯାଇପାରିବ । ଏବେବି ଦେଶର କୋଟି କୋଟି ଅଣ ସଂଗଠିତ କ୍ଷେତ୍ରର ଶ୍ରମିକ ସାମାଜିକ ସୁରକ୍ଷା ସ୍କିମ୍‌ ବାହାରେ ରହିଛନ୍ତି ।

The post ପେନସନ ଦାନ ଅଭିଯାନ ଆରମ୍ଭ କରିବେ ମୋଦୀ ସରକାର : ଜାଣନ୍ତୁ କାହାକୁ ମିଳିବ ଏବଂ କେତେ ଟଙ୍କା ମିଳିବ ପେନସନ୍ ? first appeared on Kanak News.



from Kanak News https://ift.tt/3xAdg3I https://ift.tt/3I7PeSw
ପେନସନ ଦାନ ଅଭିଯାନ ଆରମ୍ଭ କରିବେ ମୋଦୀ ସରକାର : ଜାଣନ୍ତୁ କାହାକୁ ମିଳିବ ଏବଂ କେତେ ଟଙ୍କା ମିଳିବ ପେନସନ୍ ? Kanak News ପେନସନ ଦାନ ଅଭିଯାନ ଆରମ୍ଭ କରିବେ ମୋଦୀ ସରକାର : ଜାଣନ୍ତୁ କାହାକୁ ମିଳିବ ଏବଂ କେତେ ଟଙ୍କା ମିଳିବ ପେନସନ୍ ? Kanak News Reviewed by SUBHENDU BARAL on November 29, 2021 Rating: 5

No comments:

Powered by Blogger.