୬୪ ହଜାର ଆଦିମ ଜନଜାତି ପରିବାରକୁ କୋଭିଡ୍ ସହାୟତା, ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୮|୦୭ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୬୪ ହଜାର୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ ୫୦୦୦ ଟଙ୍କା ଲେଖାଏଁ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି । ଏହା ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ମୁଁ ଜାଣେ କରୋନା ରୋଗ ଯୋଗୁଁ ଗରିବ ଲୋକଙ୍କ ରୋଜଗାର ଉପରେ ବହୁତ ପ୍ରଭାବ ପଢିଛି । ଆପଣମାନଙ୍କ ରୋଜଗାର ଉପରେ ମଧ୍ୟ ବହୁତ ପ୍ରଭାବ ପଡିଛି । ଏ ବିପଦ ସମୟରେ ଆପଣମାନେ ଏକା ନୁହନ୍ତି । ଆପଣଙ୍କ ସାଥିରେ ସରକାର ଅଛନ୍ତି । ଆପଣଙ୍କ କଲ୍ୟାଣ ପାଇଁ ସରକାର କାମ କରୁଛି । ରାଜ୍ୟର ସବୁ ଆପଦଗ୍ରସ୍ତ ଆଦିମ ଜନଜାତି ଗାଁର ପରିବାର ଏହି ସହାୟତା ପାଇବେ । ଆମର ଆଦିମ ଜନଜାତି ଭାଇ ଭଉଣୀଙ୍କ ମଧ୍ୟରୁ ୩୦୦ ରୁ ଅଧିକ ଲୋକ କରୋନାରେ ପୀଡିତ ଥିଲେ । ସେତେବେଳେ ସେମାନଙ୍କୁ ୨୫୦୦ ଟଙ୍କାର ରେସନ କିଟ୍ ଦିଆଯାଇଥିଲା । ତା ସହିତ ମଜୁରୀ କ୍ଷତି ଭରଣା ପାଇଁ ୧୪୦୦ ଟଙ୍କା ଲେଖାଏଁ ଦିଅଯାଇଥିଲା । ସେହିପରି ଏସସି ଏବଂ ଏସଟି ଛାତ୍ର ଛାତ୍ରୀଙ୍କ ବୃତ୍ତି ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ଯୋଗୁଁ ପିଲାମାନେ ଗତ ଏକ ବର୍ଷରୁ ଅଧିକ ସମୟ ହେଲା ହଷ୍ଟେଲ ଛାଡି ଘରେ ଅଛନ୍ତି । ମୁଁ ଆଶା କରୁଛି ତୁମେ ମାନେ ଘରେ ମଧ୍ୟ ନିଜ ପାଠ ପ୍ରତି ଧ୍ୟାନ ଦେବ । ମୁଁ ଚାହେଁ ତୁମେ ମାନେ ଭଲ ପାଠ ପଢ । ବଡ ମଣିଷ ହୁଅ । ତୁମ ପରିବାର , ତୁମ ଗାଁ , ତୁମ ସମାଜକୁ ବିକାଶ ସହ ଯୋଡି ପରିବର୍ତ୍ତନର ସାରଥି ହୁଅ । ଆଜି ମଧ୍ୟ ୬୦,୦୦୦ ଏସସି ଓ ଏସଟି ଛାତ୍ର ଛାତ୍ରୀଙ୍କୁ ଏପ୍ରିଲ, ମେ ଓ ଜୁନ ଏ ତିନି ମାସ ପାଇଁ ଏକକାଳୀନ ପ୍ରାକ ମାଟ୍ରିକ ଛାତ୍ରବୃତ୍ତି ଦିଆଯାଇଛି । ଏହା ପିଲାଙ୍କ ବାପା ମା ‘ ଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି । ଝିଅ ମାନଙ୍କ ପାଇଁ ୨୪୦୦ ଟଙ୍କା ଓ ପୁଅ ମାନଙ୍କ ପାଇଁ ୨୨୫୦ ଟଙ୍କା ଦିଆଯାଇଛି । ସମୁଦାୟ ୫ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ଏହି ସୁବିଧା ପାଇବେ ।

ସୂଚନାଯୋଗ୍ୟ ଯେ ଗତବର୍ଷ ମଧ୍ୟ କୋଭିଡ ଯୋଗୁଁ ଆଗୁଆ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର କେତେକ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ସହିତ ଆଲୋଚନା କରିଥିଲେ । ରାୟଗଡାର ଲହରୀ ଗୁଣ୍ଡିଆ, କଳାହାଣ୍ଡିର ରତନୀ ମାଝି ଏବଂ ଆଉ କେତେ ଜଣ ହିତାଧିକାରୀ ୫୦୦୦ ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ସେମାନେ କୋଭିଡ ସମୟରେ ସରକାରଙ୍କ ଠାରୁ ଉତ୍ତମ ସେବା ପାଉଛନ୍ତି ବୋଲି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଟୀକା ନେଇଛନ୍ତି କି ନାହିଁ ପଚାରି ବୁଝିଥିଲେ । ସେମାନେ ସମସ୍ତେ ଟିକା ନେଇଛନ୍ତି ବୋଲି କହିଥିଲେ ।



from Prameya News7 https://ift.tt/3dTan5I
୬୪ ହଜାର ଆଦିମ ଜନଜାତି ପରିବାରକୁ କୋଭିଡ୍ ସହାୟତା, ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ୬୪ ହଜାର ଆଦିମ ଜନଜାତି ପରିବାରକୁ କୋଭିଡ୍ ସହାୟତା, ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ Reviewed by SUBHENDU BARAL on July 07, 2021 Rating: 5

No comments:

Powered by Blogger.