ଭୁବନେଶ୍ୱର, ୦୩।୦୫ : ତାତିରୁ ମିଳିବ ତ୍ରାହି । ସୋମବାର ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଅଛି । ଘଡ଼ଘଡ଼ି ସହ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବୋହିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଫଳରେ ଅସୁରକ୍ଷିତ ତଥା କଚ୍ଚା ଘରଗୁଡିକ ପ୍ରତି ବିପଦ ରହିଛି । ଏହା ସହିତ କଦଳୀ ଗଛ ଓ ଜମିରେ ଥିବା ଶସ୍ୟଗୁଡିକ ପବନରେ କ୍ଷତି ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି । ତେଣୁ ଏହି ଜିଲ୍ଲାର ଲୋକମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
ସେହିପରି ସୋମବାର ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ମଧ୍ୟ କାଳବୈଶାଖୀର ପ୍ରଭାବ ରହିବ । ତେବେ ଏହି ଜିଲ୍ଲାଗୁଡିକରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବ । ଅପରପକ୍ଷେ ଆସନ୍ତା ୩ରୁ ୪ଦିନ ରାଜ୍ୟରେ ପାଖାପାଖି ୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା କମିବ । ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।
ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ସକାଳେ ଖରା ଓ ଉପରବେଳା ବର୍ଷା ହେବ । ଆଭ୍ୟନ୍ତରୀଣରେ ତାତି ରହିବା ସହିତ ବଙ୍ଗୋପସାଗରରୁ ଉପକୂଳ ଆଡକୁ ପବନ ବୋହିବା ଫଳରେ କାଳବୈଶାଖୀ ଦେଖା ଦେବ । ରାଜ୍ୟରେ ତାତି କମିବା ସହିତ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ୪୦ ଡିଗ୍ରୀ ଟପିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।
ରବିବାର ରାଜ୍ୟର ମାତ୍ର ୪ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ବଲାଙ୍ଗୀରେ ସର୍ବାଧିକ ୪୧.୪ ଡିଗ୍ରୀ ସେଲସିୟସ୍ ଥିବା ବେଳେ ବୌଦ୍ଧରେ ୪୦.୮ ଡିଗ୍ରୀ ସେଲସିୟସ୍, ଭବାନୀପାଟଣାରେ ୪୦.୧ ଡିଗ୍ରୀ ସେଲସିୟସ୍ ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ସକାଳ ୮ଟା୩୦ରୁ ସନ୍ଧ୍ୟା ୫ଟା୩୦ ମଧ୍ୟରେ କେନ୍ଦୁଝରରେ ୨୨ ମିଲିମିଟର ବର୍ଷା ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୦ ମିଲିମିଟର, ବାଲେଶ୍ୱରରେ ୭ ମିଲିମିଟର, ଅନୁଗୁଳରେ ୨ ମିଲିମିଟର ଓ ବାରିପଦାରେ ସ୍ୱଳ୍ପ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।
from Prameya News7 https://ift.tt/3ee7mgw
No comments: