ପାରାଦୀପ: ରାଜ୍ୟରେ କରୋନା ସଂକ୍ରମଣ ଆଖିରୁ ନିଦ ହଜାଇ ଦେଇଛି। ଶିକ୍ଷାନୁଷ୍ଠାନରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେଉଥିବାବେଳେ କାଲି ଏକ ଜାହାଜରୁ ଚିହ୍ନଟ ହୋଇଛନ୍ତି ୧୪ କରୋନା ରୋଗୀ। ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରୁ ୧୪ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେମାନଙ୍କୁ ଗତ ସନ୍ଧ୍ୟାରେ ପାରାଦୀପ ବନ୍ଦରରୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଛି। ତେବେ ଏହା ବିଦେଶୀ ଜାହାଜ ନୁହେଁ ବୋଲି ଜଣାଯାଇଛି । କୋଷ୍ଟାଲ ସିପିଂରେ ଦେଶର ଅନ୍ୟାନ୍ୟ ବନ୍ଦର ଛୁଇଁ ଏହି ଜାହାଜ ଆସିଥିଲା। ତାମିଲନାଡୁର ତୁତିକୋରିନ୍ ବନ୍ଦରରୁ ୩ ଦିନ ତଳେ ଏହି ଜାହାଜ ଆସି ପାରାଦୀପରେ ଲାଗିଥିଲା।
କୋଭିଡ ନିୟମ ଅନୁସାରେ SELF DECLARATION ଦେବାରୁ କେତେକଙ୍କ ଠାରେ ଲକ୍ଷଣ ଥିବା ଜଣାପଡିଥିଲା । ଜାହାଜର ସମସ୍ତ ୨୮ ଜଣଙ୍କର କରାଯାଇଥିଲା RTPCR ଟେଷ୍ଟ। ତାମଧ୍ୟରୁ ୧୪ ଜଣଙ୍କର ପଜିଟିଭ ଜଣାପଡିଥିଲା।
ସମସ୍ତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ସହ ଜାହାଜଟିକୁ ସାନିଟାଇଜ କରାଯାଇଛି। ଅବଶିଷ୍ଟ କର୍ମଚାରୀଙ୍କୁ ସେହି ଜାହାଜର ଉପର କ୍ୟାବିନରେ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏ ବର୍ଷର ରେକର୍ଡ ଭାଙ୍ଗି ଦିନକରେ ୨୯୦ ନୂଆ ରୋଗୀ ସାମ୍ନାକୁ ଆସିଥିବାବେଳେ ଉଦବେଗଜନକ ସ୍ଥିତି ରହିଛି ସହରାଞ୍ଚଳର ଶିକ୍ଷାନୁଷ୍ଠାନ ଗୁଡ଼ିକରେ। ଭୁବନେଶ୍ୱର IIT ଓ ଆଲେନ୍ ଇନଷ୍ଟିଚ୍ୟୁଟ୍ ସହ ରାଉରକେଲା NITକୁ ମିଶାଇ ପ୍ରାୟ ୪୦ ଛାତ୍ରଛାତ୍ରୀ ଓ କର୍ମଚାରୀ ପଜିଟିଭ୍ ହୋଇଛନ୍ତି । ଫଳରେ କ୍ୟାମ୍ପସ ଗୁଡ଼ିକରେ କଡ଼ା କଟକଣା ସହ ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ ବଢୁଥିବା ସଂକ୍ରମଣକୁ ଦେଖି ସାନିଟାଇଜ୍ ପାଇଁ ପ୍ରତି ରବିବାର ଜଗା ଦର୍ଶନ ବନ୍ଦ ଲାଗି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।
ରାଜ୍ୟରେ ପୁଣି ଅଣାୟତ୍ତ ହେଉଛି କରୋନା ଭୂତାଣୁ । ମାର୍ଚ୍ଚରେ ଭୟ ବଢ଼ାଇ ଚାଲିଥିବା ମହାମାରୀ ପୁଣି ଭୟଙ୍କର ରୂପ ଧାରଣ କରିଛି। କାରଣ ଗତ ୪ ଦିନ ହେଲା ଦୈନିକ ସଂକ୍ରମଣ ୨ଶହ ଟ୍ରେଣ୍ଡରେ ଥିବାବେଳେ ଗତକାଲି ଦିନକରେ ୨୯୦ ନୂଆ କରୋନା ପଜିଟିଭ୍ ସାମ୍ନାକୁ ଆସିଛନ୍ତି। ତା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ମାର୍ଚ୍ଚରେ ସଂକ୍ରମଣର ଏହି ଉଦବେଗଜନକ ସ୍ଥିତି ଭିତରେ ଚିନ୍ତା ବଢ଼ାଇଛି ସହରାଞ୍ଚଳର ଶିକ୍ଷାନୁଷ୍ଠାନ। ଭୁବନେଶ୍ୱର ଆଲେନ୍ ଇନଷ୍ଟିଚ୍ୟୁଟ୍ରେ ପଜିଟିଭ୍ ଚିହ୍ନଟ ହେବାପରେ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ବିଏମ୍ସି ସିଲ୍ କରି ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖିଛି। ଏପରି ପରିସ୍ଥିତିରେ କରୋନା ଗାଇଡ ଲାଇନ ମାନିବାକୁ ସରକାରଙ୍କ ପକ୍ଷରୁ କୁହା ଯାଉଥିବାବେଳେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି।
The post ପାରାଦୀପ: ଜାହାଜରୁ ବାହାରିଲେ ୧୪ କରୋନା ପଜିଟିଭ appeared first on OTV Khabar..
from OTV Khabar. https://ift.tt/3cwUj9j
No comments: