ମୁମ୍ବାଇ: ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ଉଦ୍ଧାର ଓ ବ୍ୟବସାୟୀ ମନସୁଖ ହିରନ ସନ୍ଦେହଜନକ ମୃତ୍ୟୁ ମାମଲାରେ ଗିରଫ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ଓ୍ୱାଜେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କ ବିରୋଧରେ ଅଧିକରୁ ଅଧିକ ପ୍ରମାଣ ଏକାଠି କରୁଛି ଏନ୍ଆଇଏ। ବାନ୍ଦ୍ରା ମିଠି ନଦୀରୁ ଲାପଟପ୍, ସିପିୟୁ, ପ୍ରିଣ୍ଟର, ହାର୍ଡ ଡିସ୍କ, ସିସିଟିଭି ଡିଜିଟାଲ୍ ଭିଡିଓ ରେକର୍ଡର୍ ଓ ସମାନ ରେଜିଷ୍ଟ୍ରେସନର ୨ଟି ନମ୍ବର ପ୍ଲେଟ୍ ମିଳିଛି। ସଚିନ ଓ୍ୱାଜେ ଓ ତାଙ୍କ ସହଯୋଗୀ ପ୍ରମାଣ ନଷ୍ଟ ପାଇଁ ଏସବୁ ନଦୀକୁ ଫିଙ୍ଗିଥିବା କୁହାଯାଉଛି।
ଏନେଇ ଏନ୍ଆଇଏ ତଦନ୍ତକାରୀ ଟିମ୍ ସୁରାକ୍ ପାଇବା ପରେ ଓ୍ୱାଜେଙ୍କୁ ଘଟଣାସ୍ଥଳକୁ ନେଇ ବୁଡ଼ାଳି ସାହାଯ୍ୟରେ ଖୋଜାଖୋଜି ଚାଳାଇଥିଲା । ଏନଆଇଏର ୧୧ ଜଣ ସଫେଇ କର୍ମଚାରୀ ଏବଂ ବୁଡାଳି ମିଠି ନଦୀରେ ପଶି ଏସବୁ ଜିନିଷର ସନ୍ଧାନ କରିଥିଲେ। ସେମାନେ ପାଣି ଭିତରୁ ଲାପଟପ୍, ସିପିୟୁ, ପ୍ରିଣ୍ଟର, ହାର୍ଡ ଡିସ୍କ, ସିସିଟିଭି ଡିଜିଟାଲ୍ ଭିଡିଓ ରେକର୍ଡର୍ ଆଦି ଉଦ୍ଧାର କରିଥିଲେ।
ଏନ୍ଆଇଏ ସୂଚନା ଅନୁସାରେ, ପ୍ରମାଣ ନଷ୍ଟ ନେଇ ଓ୍ୱାଜେ କୌଣସି ପ୍ରକାରେ ମୁହଁ ଖୋଲିନଥିଲେ । ତେବେ ତାଙ୍କ ସହଯୋଗୀ ତଥା ପୂର୍ବତନ କନଷ୍ଟେବଲ ବିନାୟକ ସିନ୍ଦେ ଓ ବୁକି ନରେଶକୁ ସାମ୍ନାସାମ୍ନି ଜେରା କରାଯିବାରୁ ସେମାନେ ଏଠାରେ ପ୍ରମାଣ ନଷ୍ଟ କରିଥିବା ସ୍ୱୀକାର କରିଥିଲେ ।
ନଦୀରୁ ମିଳିଥିବା ସାମଗ୍ରୀର ମାମଲା ସହ କିଭଳି ସଂପର୍କ ରହିଛି, ଏନ୍ଆଇଏ ସେନେଇ ତନାଘନା ଆରମ୍ଭ କରିଛି । ପୂର୍ବରୁ ଏନ୍ଆଇଏକୁ ସଚିନ ଓ୍ୱାଜେଙ୍କ ବିରୋଧରେ ପ୍ରମାଣ ଭାବେ ଏକାଧିକ ମୋବାଇଲ୍ ଫୋନ୍, କାଗଜପତ୍ର, ସର୍ଭିସ୍ ରିଭଭରରରୁ ପ୍ରାୟ ୩୦ ଗୁଳି ଗାୟବ ଆଦି ସୁରାକ ମିଳିଥିଲା। ସଚିନ ଓ୍ୱାଜେଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ UAPA ମଧ୍ୟ ଲାଗିଛି ।
ଅନ୍ୟପକ୍ଷେ ଏକ ନୂଆ ସିସିଟିଭି ଫୁଟେଜ ଏବେ ଏନଆଇଏ ହାତରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି, ରିଆଜ କାଜି ଏକ ନମ୍ବର ପ୍ଲେଟ ଦୋକାନକୁ ଯାଉଛନ୍ତି। ମୁମ୍ବାଇର ବିକ୍ରୋଲି ଅଞ୍ଚଳର ବଣ୍ଟି ରେଡିୟମ୍ ନାମକ ଏହି ଦୋକାନରେ ସେ କିଛି ସମୟ ପାଇଁ ଦୋକାନର ମାଲିକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଆଉ ସେହି ଦୋକାନର କିଛି ଡିଭିଡି ଏବଂ କମ୍ପ୍ୟୁଟର ନେଇଥିବାର ଦେଖିବାକୁ ମିଳିଛି। କୁହାଯାଉଛି କାଜି ସେହି ଜିନିଷଗୁଡ଼ିକୁ ମିଠି ନଦୀରେ ଫିଙ୍ଗିଥିଲେ। ଏବେ ନକଲି ନମ୍ବର ପ୍ଲେଟ୍ ମଧ୍ୟ ମିଳିଛି। ମନସୁଖ କାର ଭିତରୁ ଅନେକ ନମ୍ୱର ପ୍ଲେଟ୍ ମିଳିଥିଲା ସେହି ନମ୍ୱର ଗୁଡ଼ିକ ଏହି ଦୋକାନରୁ କାଜି ତିଆରି କରିଥିବା ଅଭିଯୋଗ ହୋଇଛି। ଏବେ ଏହି ସବୁ ଉଦ୍ଧାର ହୋଇଥିବା ଇଲୋକ୍ଟ୍ରାନିକ୍ସ ଉପକରଣ ଯାଞ୍ଚ ହେବା ପରେ ଅନେକ ସତ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।
The post ବଢିଲା ସଚିନ ୱାଜେଙ୍କ ଅଡୁଆ: ନଦୀରେ ଫିଙ୍ଗି ଦେଇଥିବା ପ୍ରମାଣ ଉଦ୍ଧାର କଲା ଏନଆଇଏ appeared first on OTV Khabar..
from OTV Khabar. https://ift.tt/3lYtT3k
No comments: