ନୂଆଦିଲ୍ଲୀ ୦୧/୦୪: ସୁନ୍ଦର, ଘନ ଏବଂ ଲମ୍ବା କେଶ ପ୍ରତ୍ୟେକ ମହିଳା ଚାହିଁଥାନ୍ତି । ଏହା ସେମାନଙ୍କର ସୌନ୍ଦର୍ଯ୍ୟକୁ ବଢାଇଥାଏ । ଏଥିପାଇଁ ଅନେକ ମହିଳା କେଶ ଲମ୍ୱା କରିବା ପାଇଁ ବିଭିନ୍ନ ଜିନିଷ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଗାଁ ଅଛି ଯେଉଁଠାରେ ପ୍ରତ୍ୟେକ ମହିଳାଙ୍କର ବହୁତ ମୋଟା ଏବଂ ଲମ୍ବା କେଶ ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ମହିଳାମାନଙ୍କ ବିଷୟରେ ...
ଚାଇନାର ଦକ୍ଷିଣ-ପଶ୍ଚିମ ଗୁଇଲିନ୍ ପ୍ରଦେଶରେ ଅବସ୍ଥିତ ହୁଆଙ୍ଗ୍ଲୁଓ ଗ୍ରାମ । ଏଠାରେ ଏକ ଭିନ୍ନ ସମାଜର ଲୋକ ବାସ କରନ୍ତି, ଯାହା ୟାଓ ନାମରେ ବେଶ୍ ଜଣାଶୁଣା । ଏହି ଗାଁରେ ଶତାବ୍ଦୀ ଧରି ମହିଳାମାନଙ୍କର ଲମ୍ବା କେଶ ରଖିବା ପରମ୍ପରା ରହିଛି ବୋଲି ବିଶ୍ୱାସ କରାଯାଏ । ଏଥିଲାଗି ଏହା ସାରା ବିଶ୍ୱରେ ‘ଲଙ୍ଗ ହେୟାର ଭିଲେଜ୍’ ଭାବରେ ପ୍ରସିଦ୍ଧ । ଏଠାକାର ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି, ଜଣେ ମହିଳାଙ୍କ କେଶର ଲମ୍ବ ଯେତେ ଅଧିକ ହେବ, ତାଙ୍କ ପରିବାର ସେତେ ଅଧିକ ଭାଗ୍ୟବାନ ହେବ । ତାଙ୍କ କହିବାନୁସାରେ, ଲମ୍ବା କେଶ ଦୀର୍ଘାୟୁ, ଧନ, ସୁଖ ଏବଂ ସୌଭାଗ୍ୟ ଆଣିଥାଏ ।
ଏହି ସମାଜରେ ମହିଳାମାନେ ନିଜ ଜୀବନରେ କେବଳ ଥରେ କେଶ କାଟିଥାନ୍ତି । ସେମାନେ ବିବାହ ପୂର୍ବରୁ କେଶ କାଟନ୍ତି । ଝିଅମାନଙ୍କ ଜେଜେ ମା’ ତାଙ୍କ କଟା କେଶକୁ ଏକ ସୁନ୍ଦର ବାକ୍ସରେ ରଖନ୍ତି । ତା’ପରେ ସେହି କଟା କେଶକୁ ଝିଅର ବିବାହ ଦିନ ତାର ସ୍ୱାମୀକୁ ଉପହାର ସ୍ୱରୂପ ଦେବାର ପରମ୍ପରା ରହିଛି । ପୂର୍ବରୁ ଏହି ଗାଁରେ ମହିଳାମାନଙ୍କୁ କେଶକୁ ଢାଙ୍କି ରଖିବାକୁ ପଡୁଥିଲା । ତାଙ୍କୁ ନିଜର କେଶ କେବଳ ନିଜ ସ୍ୱାମୀ ଏବଂ ପିଲାମାନଙ୍କୁ ଦେଖାଇବାକୁ ଅନୁମତି ଦିଆଯାଇଥିଲା । ସେତେବେଳେ ତାଙ୍କର ଅଲଗା ଏକ ବିଶ୍ୱାସ ରହିଥିଲା । ସେହି ସମୟ ରେ ଯଦି ଜଣେ ମହିଳାଙ୍କ କେଶ ଅନ୍ୟ ଜଣେ ପୁରୁଷ ଦେଖିଥାଏ ତେବେ ତାକୁ ସେହି ମହିଳାଙ୍କ ଘରେ ତାଙ୍କ ସ୍ୱାମୀ ଭାବରେ ୩ ବର୍ଷ ରହିବାର ପ୍ରଥା ଥିଲା । କିନ୍ତୁ ୧୯୮୭ ରେ, ଏହି ପ୍ରଥାକୁ ବନ୍ଦ କରି ଦିଆଯାଇଥିଲା । ଏବେ ମହିଳାମାନେ କୌଣସି ପ୍ରତିବନ୍ଧକ ବିନା କେଶକୁ ଖୋଲା କରି ବୁଲିପାରିବେ ।
ପ୍ରତିବର୍ଷ ୩ ମାର୍ଚ୍ଚରେ ଏଠାରେ 'ଲଙ୍ଗ ହେୟାର ଫେଷ୍ଟିଭାଲ୍' ପାଳନ କରାଯାଏ । ଏହି ସମୟରେ ସମସ୍ତ ମହିଳା କେଶ ଧୋଇ ସଫା କରନ୍ତି । ସେମାନେ ସାମ୍ପୁ ଭାବରେ ଚାଉଳ ପାଣିକୁ ବ୍ୟବହାର କରନ୍ତି, ଏବଂ ନିକଟରେ ଥିବା ନଦୀ ଜଳରେ କେଶ ଧୁଅନ୍ତି । ଏକାଠି ହୋଇ ଗୀତ ଗାଇ ନାଚିଥାନ୍ତି । ଏଥିସହିତ ସେ ନିଜର ସୁନ୍ଦର ଏବଂ ଲମ୍ବା କେଶ ମଧ୍ୟ ପ୍ରଦର୍ଶନ କରନ୍ତି । ବିଭିନ୍ନ ଦେଶର ଲୋକମାନେ ମଧ୍ୟ ଏହି ପର୍ବ ଦେଖିବାକୁ ଆସନ୍ତି । କିନ୍ତୁ କେବଳ ବିବାହିତ ମହିଳାମାନେ ଏହି ସମାରୋହରେ ପ୍ରବେଶ କରନ୍ତି ।
ଏହି ପରମ୍ପରା ହେତୁ ଏହି ଗାଁର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଛି । ଏହି ଅନନ୍ୟ ଗାଁ 'ଦୁନିଆର ପ୍ରଥମ ଲମ୍ବା କେଶ ଗାଁ' ଭାବରେ ପ୍ରସିଦ୍ଧ । ସେମାନଙ୍କ କେଶର ଲମ୍ବ ୨.୫ ମିଟର ବୋଲି ବିବେଚନା କରାଯାଏ । ଏହି ମହିଳାଙ୍କ କେଶ ସେମାନଙ୍କ ଉଚ୍ଚତା ଠାରୁ ମଧ୍ୟ ଲମ୍ବା ଅଟେ ।
from Prameya News7 https://ift.tt/3dmB3dY
No comments: