ହାଇଦ୍ରାବାଦ, ୦୧/୦୪: ଇଂଲଣ୍ଡର ଷ୍ଟାର୍ ଓପନର ଜାସନ ରୟ ଆଇପିଏଲ ୨୦୨୧ରେ ଖେଳିବେ । ସେ ସନରାଇଜର୍ସ ହାଇଦ୍ରାବାଦ ଦଳ ପକ୍ଷରୁ ମଇଦାନକୁ ଓହ୍ଲାଇବେ । ସେ ଅଲରାଉଣ୍ଡର ମିଚେଲ ମାର୍ସଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି । କାରଣ ମିଚେଲ ମାର୍ସ ଚଳିତ ଆଇପିଏଲରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ ।
ମାର୍ସ ଦୀର୍ଘ ସମୟ ଧରି ବାୟୋ ବବଲରେ ରହିବାକୁ ଚାହାଁନ୍ତି ନାହିଁ । ତେଣୁ ସେ ଆଇପିଏଲରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ । ସେ ଦଳରୁ ବାହାରିବା ପରେ ମ୍ୟାନେଜମେଣ୍ଟ ଜାସନ ରୟଙ୍କୁ ସାମିଲ କରିଛି । ଫଳରେ ଦଳର ବ୍ୟାଟିଂ ଆହୁରି ସୁଦୃଢ ହେବ ବୋଲି ଆଶା କରାଯାଉଛି । କାରଣ ଦଳରେ ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର, ଜନି ବେୟରଷ୍ଟୋ ଓ କେନ୍ ଓ୍ୱିଲମସନଙ୍କ ଭଳି ଷ୍ଟାର୍ ବ୍ୟାଟସମ୍ୟାନ୍ ରହିଛନ୍ତି ।
ଜାସନ ରୟ ଭାରତ ବିପକ୍ଷ ଟି୨୦ ଓ ଦିନିକିଆରେ ଭଲ ପ୍ରଦର୍ଶନ କରିଥିଲେ । ସେ ଦିନିକିଆରେ ୨ଟି ମ୍ୟାଚ୍ ଖେଳି ଜନି ବେୟରଷ୍ଟୋଙ୍କ ସହ ଇଂଲଣ୍ଡକୁ ମଜବୁତ ଆରମ୍ଭ ଦେଇଥିଲେ । ପ୍ରଥମ ମ୍ୟାଚରେ ଉଭୟ ଖେଳାଳିଙ୍କ ମଧ୍ୟରେ ୧୩୫ ଓ ଦ୍ୱିତୀୟ ମ୍ୟାଚରେ ୧୧୦ ରନର ପାର୍ଟନରସିପ୍ ହୋଇଥିଲେ । ରୟ ଯଥାକ୍ରମେ ୪୬ ଓ ୫୫ ରନ୍ କରିଥିଲେ ।
ପ୍ରଥମେ ଆଇପିଏଲ ୨୦୨୧ ପାଇଁ ହୋଇଥିବା ନିଲାମିରେ ସେ ବିକ୍ରି ହୋଇନଥିଲେ । ଗତବର୍ଷ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା । କିନ୍ତୁ ସେ ବ୍ୟକ୍ତିଗତ କାରଣରୁ ଟୁର୍ଣ୍ଣାମେଣ୍ଟ ଖେଳିନଥିଲେ । ଏହାପୂର୍ବରୁ ସେ ଗୁଜୁରାଟ ଲାୟନ୍ସ ତରଫରୁ ମଧ୍ୟ ଖେଳି ସାରିଛନ୍ତି । ସେ ଏବେସୁଦ୍ଧା ଆଇପିଏଲରେ ୮ଟି ମ୍ୟାଚ୍ ଖେଳିଛନ୍ତି । ଏହାସହ ୨୯.୮୩ ଆଭରେଜରେ ୧୭୯ ରନ୍ କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୯୧ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୩ରୁ ମଧ୍ୟ ଅଧିକ ଅଟେ ।
from Prameya News7 https://ift.tt/3sF0s9a
No comments: