ଆସନ୍ତା ୩ ଦିନ ଘନ କୁହୁଡ଼ି ! ବୌଦ୍ଧ ଓ କନ୍ଧମାଳ ସମେତ ୪ ଉପକୂଳ ଜିଲ୍ଲାରେ ପ୍ରବଳ କୁହୁଡି ସମ୍ଭାବନା । ରାଜ୍ୟର ତାପମାତ୍ରା ବଢ଼ିବ, ଶୀତ କମିବ Kanak News

କନକ ବ୍ୟୁରୋ: ବୌଦ୍ଧ ଓ କନ୍ଧମାଳ ସମେତ ୪ ଉପକୂଳ ଜିଲ୍ଲା ଯଥା କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଧାରେ ଆସନ୍ତା ୩ ଦିନ ଘନ କୁହୁଡ଼ି ଦେଖାଯିବ। ଏହାବ୍ୟତୀତ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ହାଲ୍କା କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ଆକଳନ କରାଯାଇଛି।
କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ରାଜ୍ୟର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ। ଦିନରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ବି ଅଧିକ ରହିଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମଙ୍ଗଳବାର ରାତିଠାରୁ ଗୁରୁବାର ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ କମିବ। ପାଗ ଶୁଖିଲା ଓ ଖରାଟିଆ ରହିବ। ୯ ତାରିଖ ଦିନ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିବ। ସେହିପରି ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ୮ ଓ ୯ ତାରିଖରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ବଢ଼ିପାରେ। ସେହିପରି ୯ ତାରିଖରେ ପଶ୍ଚିମ ଓଡ଼ିଶା ଓ ସୀମାନ୍ତ ଉତ୍ତର ଓଡ଼ିଶାରେ ପାଗ କୋହଲା ରହିପାରେ ବୋଲି ସେ ଆକଳନ କରିଛନ୍ତି।
ଉତ୍ତର-ପଶ୍ଚିମ ଭାରତରେ ଘୂର୍ଣ୍ଣିବଳୟ ହେତୁ ଉତ୍ତରା ଥଣ୍ଡା ପବନ ଗୁଜରାଟ ଆଡ଼କୁ ବହୁଛି। କେନ୍ଦ୍ରୀୟ ଭାରତ ଓ ସଂଲଗ୍ନ ପୂର୍ବ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପବଳୟକୁ ଦକ୍ଷିଣ ଆଡ଼ୁ ବଙ୍ଗୋପସାଗରୀୟ ପବନ ବହୁଛି। ଫଳତଃ ଓଡ଼ିଶା ସଂଲଗ୍ନ ଉତ୍ତର ଓ ପଶ୍ଚିମରେ ଥିବା ରାଜ୍ୟମାନଙ୍କରେ ଥଣ୍ଡା କମିଛି। ଓଡ଼ିଶାକୁ ମଧ୍ୟ ମଙ୍ଗଳବାରଠାରୁ ବଙ୍ଗୋପସାଗରୀୟ ପବନ ଗୁରୁଚାପବଳୟ ଦେଇ ପ୍ରବାହିତ ହେବା ଯୋଗୁଁ ଉଭୟ ଦିନ ଓ ରାତିର ତାପମାତ୍ରା ବଢ଼ିବ ଓ ଥଣ୍ଡା କମିବ ବୋଲି ଡ. ପଶୁପାଳକ କହିଛନ୍ତି।
from Kanak News https://ift.tt/2Xar5ob https://ift.tt/3ogSC39
No comments: