ରାଉରକେଲା ଜିଏସଟି ଠକେଇରେ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ : ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର କିଛି କର୍ମଚାରୀଙ୍କ ନାଁରେ ଅଭିଯୋଗ Kanak News

କନକ ବ୍ୟୁରୋ : ରାଉରକେଲାରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ନେଇ ଖବର ଆସୁଥିବା ବେଳେ ଏବେ ଏଥିରେ ଆସିଛି ନୂଆ ମୋଡ । ଠକ ରକେଟ୍ ସହ ରାଉରକେଲା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର କିଛି ଅସାଧୁ କର୍ମଚାରୀ ଏଥିରେ ସାମିଲ ଥିବା, କ୍ରମେ ସ୍ପଷ୍ଟ ହେବାରେ ଲାଗିଛି । ଏ ନେଇ ଠକାମୀର ଶିକାର ହୋଇଥିବା ବ୍ୟକ୍ତିଙ୍କ ସମେତ ବ୍ୟାଙ୍କର ପୂର୍ବତନ ସଭାପତି ଅଭିଯୋଗ କରିଥିଲେ ।
ନକଲି ଆକାଉଂଟ ଖୋଲି ଠକଙ୍କୁ ସହଯୋଗ କରିଥିବା ନେଇ ବାରମ୍ବାର ଅଭିଯୋଗ ପରେ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ ଆରମ୍ଭ ହୋଇଛି ତଦନ୍ତ । ବ୍ୟାଙ୍କ କର୍ତ୍ତୃପକ୍ଷ ଜାଲ ଆକାଉଂଟ ଖୋଲି ଜିଏସଟି ଠକଙ୍କୁ ସହାୟତା କରନ୍ତି, ତାହା ସାମନାକୁ ଆସିଛି । ବିଶେଷ କରି ବେରୋଜଗାର ଯୁବକଙ୍କୁୁ ମୋହରା ବନାଇ କରିଥାନ୍ତି ଠକେଇର ଷଡ଼ଯନ୍ତ୍ର । ବିବେକ ଷଡ଼ଙ୍ଗୀ । ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଭି. ଏସ୍. ଷ୍ଟିଲ ନାମକ ଏକ ଘରୋଇ କଂପାନୀର ପ୍ରେପୋଇଟର୍ ଦର୍ଶାଇ ତାଙ୍କ ନାଁରେ ଜାଲ୍ କରେଂଟ ଆକାଉଂଟ ଖୋଲିଥିବା ସେ ଅଭିଯୋଗ କରିଛନ୍ତି ।
ଏପଟେ ଅଭିଯୋଗର ତଦନ୍ତ କରୁଥିବା ଅଡିଟ୍ ଟିମ୍ କିମ୍ବା ବ୍ୟାଙ୍କ କର୍ତୃପକ୍ଷ ଏ ନେଇ ମୁହଁ ଖୋଲିବାକୁ ନାରାଜ । ତେବେ ତଦନ୍ତରୁ ଜଣାପଡ଼ିଛି, ଆକାଉଂଟ ଖୋଲିବା ବେଳେ ବିବେକଙ୍କ ଦସ୍ତଖତ ସହ ମେଳ ଖାଉନାହିଁ , ଚେକ୍ ବହି ଦେବା ସମୟର ଦସ୍ତଖତ । ବିବେକଙ୍କ ନାଁରେ ଅର୍ବାନ ବ୍ୟାଙ୍କରେ ଦୁଇ ଦୁଇଟା ଆକାଉଂଟ ଖୋଲା ଯାଇଛି । ଏ ନେଇ ସେ କିଛି ଜାଣିନଥିବା ଅଭିଯୋଗ କରିଛନ୍ତି । ଚାକିରି ଆଶାରେ ଜଣେ ପରିଚିତ ଲୋକକୁ ସେ କାଗଜପତ୍ର ଦେଇଥିଲେ । ଏହାକୁ ନେଇ ଜାଲିଆତି କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।
ଷ୍ଟିଲସିଟି ଶାଖାରେ ହୋଇଥିବା ଆକାଉଂଟ ନେଇ ସେ ସଂଦେହ କରିବାରୁ ତାକୁ ବନ୍ଦ କରାଯାଇଥିଲା । ତେବେ ପୁଣିଥରେ ମିଡ୍ ଟାଉନ୍ରେ ବିବେକଙ୍କ ନାଁରେ ଆଉ ଏକ ଆକାଉଂଟ ଖୋଲା ଯାଇଥିଲା । ଦୁଇଟି ଆକାଉଂଟରେ ୮୪ ଲକ୍ଷ ଟଙ୍କା ବ୍ୟବସାୟ ହୋଇଥିବା ଦର୍ଶାଇ ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଅର୍ଥ ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ତଦନ୍ତ ଯେତିକି ଆଗକୁ ଯାଉଛି, ଜିଏସଟି ଠକେଇରେ ବ୍ୟାଙ୍କର କିଛି ଅସାଧୁ କର୍ମଚାରୀ ଓ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ସଂଦେହ ସେତିକି ବଢିବାରେ ଲାଗିଛି ।
from Kanak News https://ift.tt/3r14Jm6 https://ift.tt/2Yr7mBa
No comments: