ଆମାଜନ୍‌ ସହ ବ୍ୟବସାୟ କରିବ ଫାଲ୍‌କନ୍‌ ମେରାଇନ୍‌ : ତାରାରଞ୍ଜନ ପଟ୍ଟନାୟକଙ୍କ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ Kanak News

ସିଫୁଡ୍‌ ବ୍ୟବସା‌ୟ ଓ ରପ୍ତାନି କ୍ଷେତ୍ରର ଏକ ପରିଚିତ ନାମ ହେଉଛନ୍ତି ଫାଲ୍‌କନ୍‌ ମେରାଇନ୍ ଏକ୍ସପୋର୍ଟସ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ତାରାରଞ୍ଜନ ପଟ୍ଟନାୟକ। ଓଡ଼ିଶାର ଚିଙ୍ଗୁଡ଼ିକୁ ବିଶ୍ବ ବଜାରରେ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ମହାମାରୀର ପ୍ରଭାବ, ରପ୍ତାନି ବଜାର ଓ ନିଜ ସଂସ୍ଥା ସମ୍ପର୍କରେ ସେ ଯାହା ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି

କରୋନା ମହାମାରୀ ପ୍ରଭାବରେ ରାଜ୍ୟ ସିଫୁଡ୍‌ ବଜାର କିଭଳି ପ୍ରଭାବିତ ହୋଇଛି?
କରୋନା ମହାମାରୀ ପୂର୍ବ ବର୍ଷ ଉତ୍ପାଦନ ବହୁତ ଭଲ ଓ ଉତ୍ସାହଜନକ ଥିଲା। ଓଡ଼ିଶାର ମୋଟ୍ ବଜାର ପରିମାଣ ୩୦୦୦ କୋଟି ଟଙ୍କାରୁ ଅଧିକ ଥିଲା। ୨୦୧୯ ଡିସେମ୍ବର ବେଳକୁ ଆମେ ଚୀନ୍‌ରେ କରୋନା ଭୂତାଣୁ ଦେଖାଦେଇଥିବା ଜାଣିବାକୁ ପାଇଥିଲୁ। ଏହି ରୋଗ ସାରା ବିଶ୍ବରେ ବ୍ୟାପିବ ବୋଲି ମଧ୍ୟ ଅନୁମାନ କରାଯାଉଥିଲା। ଏଥିପାଇଁ ଚୀନ୍‌ରୁ ଆମକୁ ସତର୍କ ସୂଚନା ଦିଆଯାଇଥିଲା। ଆମେ ମଧ୍ୟ ସ୍ଥିତି ଉପରେ ନଜର ରଖିଥିଲୁ। ମାର୍ଚ୍ଚରେ ଷ୍ଟକିଂ କରିବା ବେଳେ ଆମେ ଚାଷୀମାନଙ୍କୁ ମଧ୍ୟ ଅଧିକ ଷ୍ଟକିଂ ନକରିବା ଲାଗି କହିଥିଲୁ। ସେମାନେ ଷ୍ଟକିଂ କମ୍ କରିଥିଲେ। ସେଥିପାଇଁ ଓଡ଼ିଶାରେ ଉତ୍ପାଦନ ୨୫-୩୦% କମ୍ ହୋଇଛି।

ବ୍ୟବସାୟ କିଭଳି ପ୍ରଭାବିତ ହୋଇଛି?
ଆମ ବ୍ୟବସାୟ ପ୍ରାୟ ୩୦-୪୦% ପ୍ରଭାବିତ ହୋଇଛି। କାରଖାନାର ବନ୍ଦ ରହିବା ଓ ଲକ୍‌ଡାଉନ୍ କଟକଣା ଆଦି ବିଭିନ୍ନ କାରଣ ଯୋଗୁଁ କାରବାର ପ୍ରଭାବିତ ହୋଇଥିଲା। ମୋଟ ଉପରେ ୨୦୨୦ ବର୍ଷଟି ବ୍ୟବସାୟ ପାଇଁ ଖରାପ ଥିଲା। ବ୍ୟବସାୟୀମାନେ କ୍ଷତି ସହିଛନ୍ତି। ସରକାରଙ୍କ ତରଫରୁ ଯେଉଁଭଳି ପ୍ରୋତ୍ସାହନ ଆଶା କରାଯାଉଥିଲା ତାହା ମଧ୍ୟ ମିଳିନାହିଁ। ‌ସେଥିପାଇଁ ବ୍ୟବସାୟ ଅଧିକ ପ୍ରଭାବିତ ହୋଇଛି।

ରପ୍ତାନି ବଜାର କେବେ ସ୍ବାଭାବିକ ହେବ ବୋଲି ଆପଣ ଭାବୁଛନ୍ତି?
ଯଦି ଆମେରିକାରେ କିଛି ଭଲ ଘଟଣା ଘଟିବ ତେବେ ରପ୍ତାନି ବଜାରରେ ସୁଧାର ହେବ। ଯଦି ଆସନ୍ତା ଦୁଇ ମାସ ଭିତରେ ୟୁରୋପ ଓ ଆମେରିକା ବଜାରରେ ସୁଧାର ଦେଖାଦେବ ତେବେ ହିଁ ସ୍ବାଭାବିକ ସ୍ଥିତି ଫେରିବ। ଏବେବି ଆମେରିକା ଓ ୟୁରୋପରେ ବିପୁଳ ପରିମାଣର ଷ୍ଟକ ପଡ଼ିରହିଛି। ପ୍ରଥମେ ସେଗୁଡ଼ିକୁ ବଜାରରେ ବିକ୍ରି କରିବାକୁ ପଡ଼ିବ। ଏହା ପରେ ନୂଆ ବରାଦ ବିଷୟରେ ଚିନ୍ତା କରାଯାଇପାରିବ। ସ୍ଥିତିରେ‌ କେବେ ସୁଧାର ହେବ ଏବେଠାରୁ କହିବା କଷ୍ଟକର।

କେଉଁ ଦେଶରୁ ଅଧିକ ବରାଦ ଆସିଥାଏ?
ଆମ କଂପାନି ମୁଖ୍ୟତଃ ଆମେରିକ‌ାରେ କାରବାର କରୁଛି। ଆମର ଯାହା କିଛି ଦରକାର ହେଉଛି ଆମେ ଏବେ ଆନ୍ଧ୍ରରୁ ମଗାଉଛୁ। ଓଡ଼ିଶା ଓ ପଶ୍ଚିମବଙ୍ଗରେ ସବୁ କିଛି ଠପ୍ ହୋଇଯାଇଛି। ଏମିତିରେ ଓଡ଼ିଶାରେ ମେ’ରୁ ଅକ୍ଟୋବର ଭିତରେ ହିଁ କାରବାର ହୁଏ। ବ୍ୟବସାୟୀମାନଙ୍କ ପାଖକୁ ଚୀନ୍‌ରୁ ବହୁତ କମ୍ ବରାଦ ଆସେ। ଯେଉଁମାନେ କଞ୍ଚାମାଲ ବିକ୍ରି କରନ୍ତି ସେମାନେ ଚୀନ୍‌କୁ ରପ୍ତାନି କରନ୍ତି। ଚୂଡ଼ାନ୍ତ ଉତ୍ପାଦ ଚୀନ୍ କିଣେନାହିଁ।

ରପ୍ତାନି ପାଇଁ କିଛି ନୂଆ‌ ବଜାର ଉପରେ ନଜର ଅଛି କି?
ଭାରତୀୟ ଚିଙ୍ଗୁଡ଼ି ବିଶ୍ବର ବିଭିନ୍ନ ଦେଶକୁ ପଠାଯାଉଛି। କିନ୍ତୁ ଏବେବି ଆମେରିକା ହେଉଛି ସବୁଠୁ ଶ୍ରେଷ୍ଠ ବଜାର। ଆମେରିକା ଏଭଳି ଏକ ଦେଶ ଯାହା ରାସାୟନିକ ସାମଗ୍ରୀ ମିଶିଥିବା ସାମଗ୍ରୀ କିଣେ ନାହିଁ। ଆମେରିକାରେ ଆମାଜନ ସହିତ କାରବାର କରିବା ଲାଗି ଆମେ କଥାବାର୍ତା କରୁଛୁ। ୱାଲ୍‌ମାର୍ଟ, କସ୍‌କୋ, ସିସ୍‌କୋ ଭଳି ବଡ଼ ଆମେରିକୀୟ ସଂସ୍ଥା ସହ ଆମେ କାରବାର କରୁଥିଲୁ। ଆମାଜନ୍‌ରୁ କିନ୍ତୁ ଭଲ ଦର ମିଳିବ, କାରଣ ସେମାନେ ଅନଲାଇନ୍‌ ବରାଦ ହାସଲ କରି ସିଧାସଳଖ ଡେଲିଭରି ଦେ‌ବେ।

ନିଜ ସଂସ୍ଥାର ପ୍ରକ୍ରିୟାକରଣ କ୍ଷମତା ବଢ଼ାଇବା ଯୋଜନା ଅଛି କି?
ଆମର ଭୁବନେଶ୍ବର ଓ ବାଲେଶ୍ବର ୟୁନିଟ୍‌ର ମୋଟ ଦୈନିକ ଉତ୍ପାଦନ କ୍ଷମତା ୨୫୦ ମେଟ୍ରିକ୍ ଟନ୍‌ ରହିଛି। ଆମେ କାରଖାନାରେ ଅଧିକ ନିବେଶ କରୁଛୁ। ପ୍ରାୟ ୩୦ କୋଟି ଟଙ୍କା ବ୍ୟୟ କରି ନୂଆ ‌ମେସିନ୍ ମଗାଇଛୁ। ଆମ ପାଖରେ ପର୍ଯ୍ୟାପ୍ତ ସ୍ଥାନ ଅଛି। କେବଳ ନୂଆ ମେସିନ୍ ସେଥିରେ ଲଗାଇବାକୁ ପଡ଼ୁଛି।

କରୋନା ମହମାରୀ ସମୟରେ ରାଜ୍ୟର ପ୍ରଥମ ଶିଳ୍ପପତି ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆପଣ ଦାନ କରିଥିଲେ। ଏହା ପଛରେ ଆପଣଙ୍କ କ’ଣ ଭାବନା ଥିଲା?
କୋଭିଡ୍ ପାଇଁ ଏକ ଫଣ୍ଡ୍‌ ଖୋଲା ହୋଇଛି ବୋଲି ପ୍ରଥମେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଁ ଏହି ଭାବନା ରଖି ସହାୟତା ଦେଇଥିଲି ଯେ ରାଜ୍ୟ‌ରେ ଅନ୍ୟ ଯେଉଁ ବଡ଼ ବଡ଼ ଶିଳ୍ପପତି ଅଛନ୍ତି ସେମାନେ ମଧ୍ୟ ସହାୟତା‌ ଦେବାକୁ ଆଗେଇ ଆସିବେ। ‌ସେମାନେ ଓଡ଼ିଶା ପାଇଁ କିଛି ପାଣ୍ଠି ଦିଅନ୍ତୁ ବୋଲି ମୁଁ ଚାହୁଥିଲି। କେବଳ ପାଣ୍ଠିରେ ଆମ କାମ ସୀମିତ ନଥିଲା। ମହାମାରୀ ସମୟରେ ମଧ୍ୟ ଆମେ ଅନେକ ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିଥିଲୁ। ଯେଉଁ ସବୁ ଉପାୟରେ ସମ୍ଭବ ହେଉଥିଲା ଆମେ ଲୋକମାନଙ୍କୁ ସାହାଯ୍ୟ କରିଥିଲୁ।

ସମ୍ବାଦର ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ବିଷୟରେ ଆପଣଙ୍କ ମତ କ’ଣ?
ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି ସେମାନଙ୍କୁ ଏତେ ବଡ଼ ଗଣମାଧ୍ୟମ ସଂସ୍ଥା ସମ୍ବର୍ଦ୍ଧିତ କରିବା ନିଶ୍ଚିତ ରୂପେ ବହୁତ ଭଲ କଥା। ଏହା ଦ୍ବାରା ସେମାନେ ଉତ୍ସାହିତ ହେ‌ବେ ଏବଂ ଅନ୍ୟମାନେ ଅନୁପ୍ରାଣିତ ହେବେ। ନୂତନ ଉଦ୍ୟୋଗୀମାନଙ୍କୁ ଏହା ବିଶେଷ ଭାବେ ଅନୁପ୍ରାଣିତ କରିବ।



from Kanak News https://ift.tt/38iavsZ https://ift.tt/38i3vMM
ଆମାଜନ୍‌ ସହ ବ୍ୟବସାୟ କରିବ ଫାଲ୍‌କନ୍‌ ମେରାଇନ୍‌ : ତାରାରଞ୍ଜନ ପଟ୍ଟନାୟକଙ୍କ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ Kanak News ଆମାଜନ୍‌ ସହ ବ୍ୟବସାୟ କରିବ ଫାଲ୍‌କନ୍‌ ମେରାଇନ୍‌ : ତାରାରଞ୍ଜନ ପଟ୍ଟନାୟକଙ୍କ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ Kanak News Reviewed by SUBHENDU BARAL on January 05, 2021 Rating: 5

No comments:

Powered by Blogger.