ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ Rajalaxmi Sahoo

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କିଛିଦିନ ତଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ତତ୍ୱାବଧାନରେ ପ୍ରଦୀପ ମହାରଥୀଙ୍କ ଚିକିତ୍ସା ଚାଲିଥିଲା। ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ବିୟୋଗ ହୋଇଛି।

ସୂଚନା ଥାଉକି, ସେପ୍ଟେମ୍ବର ୧୪ ତାରିଖରେ ମହାରଥୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପୂର୍ବରୁ ସେ ଅନେକ  ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲାର ପିପିଲି ନିକଟସ୍ଥ ଖୋରାପଡ଼ା ଗାଁରେ ଜନ୍ମିତ ପ୍ରଦୀପ ମହାରଥୀ ନିଜର ନିଆରା କଥାବାର୍ତ୍ତା ଶୈଳୀ ପାଇଁ ପରିଚିତ। ସେ ଛାତ୍ର ଜୀବନରୁ ରାଜନୀତି ପ୍ରତି ସ୍ୱତନ୍ତ୍ର ରୁଚି ରଖିଥିଲେ। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ତାଙ୍କୁ ଗିରଫ କରାଯାଇଥିଲା। ୧୯୭୭ ମସିହାରେ ପୁରୀ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ କଲେଜର ଛାତ୍ର ସଂସଦ ସଭାପତିର ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ ମସିହାରେ ପ୍ରଥମଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ୧୯୯୫ ମସିହାରେ ଗୋଟିଏ ଥର ନିର୍ବାଚନରେ ପରାଜିତ ହେବାପରେ ସେ ଆଉ ପରାଜୟର ମୁହଁ ଦେଖିନାହାନ୍ତି। ପିପିଲି ବିଧାନସଭା ଆସନରୁ ସେ ୨୦୦୦ ମସିହାରୁ ବିଜେଡି ଟିକେଟରେ କ୍ରମାଗତ ୫ମଥର ନିର୍ବାଚିତ ହୋଇଛନ୍ତି। ସେ ମୋଟ ୭ଥର ବିଧାୟକ ହୋଇଥିବାବେଳେ ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସରକାରୀ ମୁଖ୍ୟ ସଚେତକ, ୨୦୧୧ରୁ ୨୦୧୨ ଜାନୁୟାରୀ ପର୍ଯ୍ୟନ୍ତ ୮ମାସ ପାଇଁ କୃଷି ମନ୍ତ୍ରୀ ହୋଇଥିଲେ। ପ୍ରଥମଥର କୃଷି ମନ୍ତ୍ରୀ ଥିବାବେଳେ ପିପିଲି ଗଣଦୁଷ୍କର୍ମ ଘଟଣାରେ ତାଙ୍କର ସହଯୋଗୀମାନଙ୍କ ସମ୍ପୃକ୍ତି ଯୋଗୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ହେବାକୁ ପଡ଼ିଥିଲା। ତେବେ ପରେ ସେ ପୁଣିଥରେ ମନ୍ତ୍ରିମଣ୍ଡଳକୁ ଫେରି ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରକାରରେ ୨୦୧୪ ମେ’ରୁ ୨୦୧୭ ମେ’ ପର୍ଯ୍ୟନ୍ତ ପୁଣିଥରେ କୃଷି ମନ୍ତ୍ରୀ ସହ ମତ୍ସ୍ୟ ଓ ପଶୁସମ୍ପଦ,୨୦୧୭ ମେ’ରୁ ୨୦୧୯ ଜାନୁୟାରୀ ପର୍ଯ୍ୟନ୍ତ ପଂଚାୟତିରାଜ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଜଣେ ଅଧ୍ୟାପିକା ହୋଇଥିବାବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

The post ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ appeared first on OTV Khabar..



from OTV Khabar. https://ift.tt/2GwwwZJ
ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ Rajalaxmi Sahoo ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ Rajalaxmi Sahoo Reviewed by SUBHENDU BARAL on October 03, 2020 Rating: 5

No comments:

Powered by Blogger.