ଆସୁଛି ଆଉ ଦୁଇଟି ଲଘୁଚାପ…୨୪ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ…ପ୍ରଭାବରେ ଆଜିଠୁ ୧୪ ଯାଏ ପ୍ରବଳ ବର୍ଷିବ Kanak News

କନକ ବ୍ୟୁରୋ: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜିଠାରୁ ୧୪ ତାରିଖ ଯାଏ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି। ଅନ୍ୟପଟେ ବିଭିନ୍ନ ମଡେଲର ଆକଳନ କହୁଛି, ଆଗକୁ ଆଉ ଦୁଇଟି ଲଘୁଚାପ ଆସୁଛି। ଆଣ୍ଡାମାନ ସାଗରରେ ହିଁ ଆସନ୍ତା ୧୩ ଓ ୨୧ ତାରିଖରେ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବ। ଲଗାତାର ତିନି ତିନିଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏ ବର୍ଷା ଲାଗି ରହିବ। ତିନିଟି ଯାକ ଲଘୁଚାପ ଆନ୍ଧ୍ରପ୍ରଦେଶମୁହାଁ ହେବାର ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିବାର ଆଶଙ୍କା ରହିଛି। ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶାରେ ସର୍ବାଧିକ ବର୍ଷା ରେକର୍ଡ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୪ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ବିଶେଷ କରି ଉପକୂଳ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ। ଏହି ସମୟରେ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବା ସହ ମଝିରେ ମଝିରେ ୬୫ କିମି ବେଗରେ ପବନର ଝଟ୍କା ଅନୁଭୂତ ହେବ। ଏଣୁ ମତ୍ସ୍ୟଜୀବୀମାନଙ୍କୁ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ଆଜିଠାରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଆଜି ବିଶେଷ କରି ପୁରୀ, ଗଜପତି, ଗଞ୍ଜାମ, ରାୟଗଡ଼ା, ଜଗତସିଂହପୁର, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହେବ। ୧୨ ତାରିଖ ଦିନ ବର୍ଷାର ପରିମାଣ ବଢ଼ିବ। ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଥିବାରୁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ମାଲକାନଗିରି, କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହେବ। ସେହିପରି ୧୩ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଓ ରାୟଗଡ଼ାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
from Kanak News https://ift.tt/3lCVWEf https://ift.tt/35lYYYl
Reviewed by SUBHENDU BARAL
on
October 10, 2020
Rating:
No comments: