ବୁଡ଼ି ଯିବ କି ବସ୍ ବ୍ୟବସାୟ ! ୧୧୦୦ ବସ୍‌ରୁ ଚାଲିଛି ମାତ୍ର ୨୦୦; ବସ୍ ପିଛା ଦୈନିକ କ୍ଷତି ୪ ହଜାର Kanak News

କନକ ବ୍ୟୁରୋ : ରାଜ୍ୟରେ ଗଲା ୫ ମାସ ହେବ ବସ ଚଳାଚଳ ହେଲାଣି । କିନ୍ତୁ କଟକରେ ବର୍ତ୍ତମାନ ସୁଦ୍ଧା ଆହୁରି ୯୦୦ ବସ୍ ଚାଲି ପାରିନାହିଁ। ମୋଟ ୧୧ଶହରୁ ଏବେ ଯେଉଁ ୨୦୦ ବସ ଚଳାଚଳକ କରୁଛି, ଗାଡ଼ି ମାଲିକଙ୍କ ଦୈନିକ ତେଲ ଖର୍ଚ୍ଚ ବି ଉଠିପାରୁ ନାହିଁ। ମାସିକ ଗୋଟିଏ ବସ୍ ପିଛା ୧ ଲକ୍ଷ ଟଙ୍କାରୁ ଅଧଇକ କ୍ଷତି ସହୁଛନ୍ତି ବସ୍ ମାଲିକ। ଗୋଟିଏ ସମୟରେ କଟକ-ପୁରୀ ରୁଟରେ ଦୈନିକ ୮୦ ଖଣ୍ଡ ବସ୍ ଚାଲୁଥିଲା। ଆଜି ସେହି ରୁଟରେ ୧୫ ଖଣ୍ଡ ଚାଲିଲେ ବି ଲୋକ ହେଉନାହାନ୍ତି । ଏଭଳି ସଂଗିନ ସ୍ଥିତିରେ ବସ୍ ବ୍ୟବସାୟ କିଭଳି ଚାଲିବ, ସେ ନେଇ ଘରୋଇ ବସ୍ ମାଲିକମାନେ ଚିନ୍ତାରେ ପଡ଼ିଗଲେଣି। ପ୍ରତି ବସ ପିଛା ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଗଲା ଅକ୍ଟୋବରରୁ ଆସନ୍ତା ଜାନୁଆରି ଯାଏ ସମସ୍ତ ବସ୍‌ର ଟିକସ୍ ଛାଡ଼ କରିବାକୁ ଏବେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଦାବି କଲାଣି  ।

ସୂଚନା ଅନୁଯାୟୀ, କରୋନା ପ୍ରଭାବରେ ମାର୍ଚ୍ଚ ପରେ ବସ ଚଳାଚଳ ବନ୍ଦ କରି ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଣି ମେ ୨୭ ତାରିଖରୁ ବସ ଚଳାଚଳ ଆରମ୍ଭ ହୋଇଥିଲା। କିନ୍ତୁ ଯେଉଁ ୫ ମାସ ବସ ଚଳାଚଳ ହେଲାଣି, ଏଥିରେ ଘରୋଇ ବସ ମାଲିକଙ୍କ ସ୍ଥିତି ଆହୁରି ଶୋଚନୀୟ ହେବାରେ ଲାଗିଛି। କଟକ ବାଦାମବାଡ଼ିରୁ ଦୈନିକ ୧୧ଶହ ବସ୍ ରାଜ୍ୟର ପ୍ରମୁଖ ଜିଲ୍ଲାକୁ ଚଳାଚଳ କରେ। ଏବେ ଦୈନିକ ୨୦୦ ଖଣ୍ଡ ଗାଡ଼ି ଚଳାଚଳ କରୁଥିବା ବେଳେ ସେହି ଗାଡ଼ିର ତେଲ ଖର୍ଚ୍ଚ ଭରଣା କରିବା ବି ସମ୍ଭବପର ହେଉନାହିଁ।

ଗୋଟିଏ ବସରେ ଇନଷ୍ଟଲମେଣ୍ଟ ମାସିକ ୬୦ ହଜାର(ଏସି ବସ୍), ୪୫ ହଜାର (ନନ୍ ଏସି) ବାବଦରେ ଖର୍ଚ୍ଚ ହୁଏ। ଷ୍ଟାଫ ପେମେଣ୍ଟ ମାସିକ ୪୫ ହଜାର, ମେଣ୍ଟେନାନ୍ସ  ୧୦ ହଜାର, ଟ୍ୟାକ୍ସ ୧୦ ହଜାର, ବୀମା ୭ ହଜାର ଖର୍ଚ୍ଚ ହେଉଥିବା ବେଳେ ଏବେ ମାସିକ ଗାଡ଼ି ପିଛା ଏକ ଲକ୍ଷରୁ ଅଧିକ ଟଙ୍କା କ୍ଷତି ସହୁଛନ୍ତି ବସ୍ ମାଲିକ । କଟକ-ଅନୁଗୁଳ ରୁଟରେ ଦୈନିକ ୧୦୦ ଖଣ୍ଡ ଯାଉଥିବା ବେଳେ ଏବେ ୧୫ ଖଣ୍ଡ ଯାଉଛି। କଟକ-ପୁରୀ ରୁଟରେ ୮୦ ଖଣ୍ଡ ଚାଲୁଥିବା ବେଳେ ଏବେ ୧୫ ଖଣ୍ଡ ଚାଲୁଛି। କଟକ-ଯାଜପୁର ଟାଉନ ରୁଟରେ ୭୦ ବଦଳରେ ଏବେ ୨୦ ଖଣ୍ଡ, କଟକ- ଭଦ୍ରକ-ବାଲେଶ୍ବର-ବାରିପଦା ରୁଟରେ ୨୦୦ ବଦଳରେ ଏବେ ୨୫ ଖଣ୍ଡ, କଟକ-ପାରାଦ୍ବୀପ ରୁଟରେ ୬୦ ଖଣ୍ଡ ବଦଳରେ ଏବେ ୧୫ ଖଣ୍ଡ, ଜଗତସିଂହପୁର ୭୦ ଖଣ୍ଡ ବଦଳରେ ଏବେ ୧୫, କଟକ-କେନ୍ଦ୍ରାପଡ଼ା ରୁଟରେ ୧୦୦ ଖଣ୍ଡ ବଦଳରେ ଏବେ ୨୫ ଖଣ୍ଡ, କଟକ-ନରସିଂହପୁର ରୁଟରେ ୧୦୦ ବସ ବଦଳରେ ଏବେ ୨୦ ଖଣ୍ଡ, କଟକ- ସମ୍ବଲପୁର-ବୁର୍ଲା- ବରଗଡ଼-ହୀରାକୁଦ-ନୂଆପଡ଼ା ରୁଟରେ ୪୦ ଖଣ୍ଡ ବଦଳରେ ଏବେ ୧୫ ଖଣ୍ଡ, କଟକ-ରାଉରକେଲା ୩୦ ବସ ବଦଳରେ ଏବେ ୭ଟି ବସ, କଟକ-କାକଟପୁର ରୁଟରେ ୪୦ ବସ ବଦଳରେ ଏବେ ୬ଟି ବସ୍ ବି ଯିବା ସମ୍ଭବପର ହୋଇପାରୁ ନାହିଁ।

କଟକ-ଭୁବନେଶ୍ବର ରୁଟରେ ଦୈନିକ ୧୦୦ ବସ୍ ୩ ରାଉଣ୍ଡରେ ଯିବା ଆସିବା କରେ। ଏବେ ୫୦ ଖଣ୍ଡ ଦୁଇ ରାଉଣ୍ଡରେ ଯିବା ବି ସମ୍ଭପର ହେଉନାହିଁ। ଦୈନିକ ଗୋଟିଏ ବସ୍ ସର୍ବନିମ୍ନ ୩ରୁ ୪ ହଜାର ଟଙ୍କା କ୍ଷତି ସହୁଛି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ କହିବା କଥା କଟକରେ ଏବେ ମାତ୍ର ୩୦ ପ୍ରତିଶତ ବସ ଚଳାଚଳ କରୁଛି। ସେମାନଙ୍କ ମଧ୍ୟରୁ ଅଧେ ତେଲ ଖର୍ଚ୍ଚ ବି ଉଠାଇ ପାରୁନାହାନ୍ତି। ଗାଡ଼ି ଯଦି ଏବେ ଖରାପ ହୁଏ ମରାମତି ପାଇଁ ବସ୍ ମାଲିକଙ୍କ ନିକଟରେ ଟଙ୍କା ନାହିଁ। ଆଉ କିଛି ମାସ ଏଭଳି ସ୍ଥିତି ରହିଲେ ବ୍ୟବସାୟ ବୁଡ଼ି ଯିବ।

ସରକାରଙ୍କ ନିର୍ଦ୍ଦେଶ ମୁତାବକ ଚାରି ମାସ କାଳ ବସ ଚଳାଚଳ ପରେ ବି ଯଦି ବ୍ୟବସାୟ ହେଉନାହିଁ, ତେବେ ଆଗାମୀ ଦିନ କଥା ଆକଳନ କରିବା କଷ୍ଟକର। ଏବେ ରାଜ୍ୟ ସରକାରଙ୍କ ନିକଟରେ ଗଲା ଅକ୍ଟୋବରୁ ଆସନ୍ତା ଜାନୁଆରି ଯାଏ ସମସ୍ତ ବସର ଟିକସ ଛାଡ଼ କରିବାକୁ ଦାବି କରାଯାଇଛି। ଏହାବାଦ୍ ଯେଉଁ ଗାଡ଼ିଗୁଡ଼ିକ ଅଫ୍ ରୋଡ କରାଯାଇଛି, ବୀମା କମ୍ପାନି ସେହି ଗାଡ଼ିର ବୈଧତା ବଢ଼ାଉ ନାହାନ୍ତି ।

ହଇରାଣ କରୁଛନ୍ତି। ସରକାର ଏ ଦିଗରେ ବିଚାରବିମର୍ଷ ସହିତ ପ୍ରତି ବସ ପିଛା ଆର୍ଥିକ ସହାୟତା ୨ ଲକ୍ଷ ଟଙ୍କା ଦେବାକୁ ଗଲା ସେପ୍ଟେମ୍ବର ୩୦ ତାରିଖରେ ଲିଖିତ ଦାବି ହୋଇଥିବା ଶ୍ରୀ ସାହୁ କହିଛନ୍ତି। ଅନ୍ୟପଟେ କଟକ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଅଜୟ ବାରିକ କହିଛନ୍ତି ଯେ ପରିସ୍ଥିତି ଯାହା ହେଲାଣି ବସ୍ ଚଳାଚଳ କରିବା ସମ୍ଭବପର ହୋଇପାରୁ ନାହିଁ। ଭଗବାନ ଭରସାରେ ଏବେ ବସ୍ ଚାଲୁଛି।



from Kanak News https://ift.tt/3lHvwB9 https://ift.tt/3nPxXna
ବୁଡ଼ି ଯିବ କି ବସ୍ ବ୍ୟବସାୟ ! ୧୧୦୦ ବସ୍‌ରୁ ଚାଲିଛି ମାତ୍ର ୨୦୦; ବସ୍ ପିଛା ଦୈନିକ କ୍ଷତି ୪ ହଜାର Kanak News ବୁଡ଼ି ଯିବ କି ବସ୍ ବ୍ୟବସାୟ ! ୧୧୦୦ ବସ୍‌ରୁ ଚାଲିଛି ମାତ୍ର ୨୦୦; ବସ୍ ପିଛା ଦୈନିକ କ୍ଷତି ୪ ହଜାର Kanak News Reviewed by SUBHENDU BARAL on October 13, 2020 Rating: 5

No comments:

Powered by Blogger.