କଟକଣା ମଧ୍ୟରେ ମନ୍ଦିର ଖୋଲ…୭ରେ ମନ୍ଦିର ସାମ୍ନାରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିବ ଓଡ଼ିଶା ମନ୍ଦିର ସେବାୟତ ସଂଘ Kanak News

କନକ ବ୍ୟୁରୋ: ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବି ନେଇ ପୁଣି ସ୍ବର ଉଠାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ। ବାରମ୍ବାର ସରକାରଙ୍କୁ ନିବେଦନ ଓ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତିକୁ ଝୁଲାଇ ରଖିବା ଦ୍ବାରା ସେବାୟତମାନେ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି। ତେଣୁ ଆସନ୍ତା ୭ ତାରିଖରେ ରାଜ୍ୟର ଲକ୍ଷାଧିକ ମନ୍ଦିର ସମ୍ମୁଖରେ ସେବାୟତମାନେ ସକାଳ ୯ଟାରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ। ଏହାବ୍ୟତୀତ ସେବାୟତଙ୍କ ପରିବାର ସଦସ୍ୟମାନେ ସେମାନଙ୍କ ଘର ସମ୍ମୁଖରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ। ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସଂଘ ପକ୍ଷରୁ କୁହାଯାଇଛି ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ମତେ ଜୁନ୍ ୮ ତାରିଖରୁ ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲାଯାଇଥିଲେ ହେଁ ରାଜ୍ୟରେ ଏପର୍ଯ୍ୟନ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଏନେଇ ସଂଘ ପକ୍ଷରୁ ସଦସ୍ୟମାନେ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ। କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ନ୍ୟାୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଏନେଇ ଅଗଷ୍ଟ ୧୨ରେ ସଂଘର କର୍ମକର୍ତା ଦେବୋତ୍ତର ଆୟୁକ୍ତଙ୍କୁ ବି ଭେଟିଥିଲେ। ଅଗଷ୍ଟ ୨୮ରେ ଆଇନମନ୍ତ୍ରୀ ଓ ଦେବୋତ୍ତର ଆୟୁକ୍ତଙ୍କୁ ସାକ୍ଷାତ କରି ୮ ଦଫା ଦାବି ପତ୍ର ଦେବା ସହ ମନ୍ଦିର ଖୋଲିବାକୁ ନିବେଦନ କରିଥିଲେ। ମାତ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଲେ ନାହିଁ।
ଫଳରେ ଦୀର୍ଘ ଦିନ ହେଲେ ଏହି ମନ୍ଦିରରୁ ମିଳୁଥିବା ଦକ୍ଷିଣାରେ ଘର ଚଳୁଥିବା ସେବାୟତଙ୍କ ପରିବାର ଦୁର୍ଦ୍ଦିନ ମଧ୍ୟକୁ ଠେଲି ହୋଇଯାଇଛି। ତେଣୁ ସରକାରଙ୍କର ମନ୍ଦିର ସଂକ୍ରାନ୍ତ ନିଷ୍ପତ୍ତିର ପ୍ରତିବାଦ ସହ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ନିବେଦନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
from Kanak News https://ift.tt/34vLxTA https://ift.tt/3ixmCUY

No comments: