ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଦେଶବ୍ୟାପୀ ବିରୋଧ ତେଜିଲା: ଅଡ଼ୁଆରେ ଯୋଗୀ ସରକାର; ପୀଡ଼ିତାଙ୍କ ପରିବାର ଗୃହବନ୍ଦୀ, ମାସକ ପାଇଁ ୧୪୪ ଧାରା, ପୂରା ଗାଁରେ ପୋଲିସ ଛାଉଣି Kanak News

କନକ ବ୍ୟୁରୋ: ଉତ୍ତର ପ୍ରଦେଶର ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ଯୋଗୀ ସରକାରର ଭୂମିକାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। କେବଳ ବିରୋଧୀ ଏବଂ ମାନବାଧିକାର ସଂଗଠନ ନୁହେଁ, ନିଜ ଓ ସହଯୋଗୀ ଦଳର ନେତାମାନେ ମଧ୍ୟ ଯୋଗୀ ସରକାରକୁ ଘେରିବା ଆରମ୍ଭ କରିଛନ୍ତି। ପରିବାରର ବିରୋଧ ସତ୍ତ୍ବେ ପୀଡ଼ିତାଙ୍କ ଶବକୁ ଯେପରି ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରାଗଲା ତାହାକୁ କେହି ଗ୍ରହଣ କରିପାରୁ ନହାନ୍ତି। ରାତିରେ ପୀଡ଼ିତାଙ୍କ ପରିବାର ଉପରେ ସ୍ଥାନୀୟ ପୋଲିସ ଅକଥନୀୟ ଅତ୍ୟାଚାର କରିଛି। ରାତିରେ ଶେଷକୃତ୍ୟ ପାଇଁ ରାଜି ନହେବାରୁ ପରିବାର ସଭ୍ୟଙ୍କୁ ମାରପିଟ୍ କଲା ଏବଂ ଘରେ ପୂରାଇ ଗେଟରେ ତାଲା ପକାଇଦେଲା। କେବଳ ଏତିକି ନୁହେଁ, ସେମାନଙ୍କ ଠାରୁ ମୋବାଇଲ ମଧ୍ୟ ଛଡ଼ାଇ ଆଣିଛି। ଗୁରୁବାର ଦିନଠାରୁ ଯୋଗୀ ପ୍ରଶାସନ ଆଉ ଗୋଟିଏ ପାଦ ଆଗକୁ ଯାଇ ନେତା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉକ୍ତ ଗ୍ରାମରେ ପ୍ରବେଶ କରିବା ଉପରେ କଟକଣା ଲଗାଇ ଦେଇଛି। ଏହାର ବିରୋଧ କରି ଗତକାଲି ସଂପୃକ୍ତ ଗ୍ରାମ ନିକଟରେ ଗଣମାଧ୍ୟମ ପ୍ରତିନିଧି ଧାରଣା ଦେଇଥିବା ବେଳେ ଦିଲ୍ଲୀ ଯନ୍ତରମନ୍ତରରେ ମଧ୍ୟ ଗତକାଲି ସନ୍ଧ୍ୟାରେ ପ୍ରତିବାଦ ସମାବେଶ ହୋଇଛି।
ଯୋଗୀ ସରକାରର ଅମାନବୀୟ ଆଚରଣ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ନେତ୍ରୀ ଉମା ଭାରତୀ ଏବଂ କେନ୍ଦ୍ର ମନ୍ତ୍ରୀ ସାଧ୍ବୀ ନିରଂଜନ ଜ୍ୟୋତି। ଉମା ଏକ ବିବୃତି ଦେଇ କହିଛନ୍ତି ଯେ ପୀଡ଼ିତା ପରିବାର ପ୍ରତି ଏଭଳି ବ୍ୟବହାର ଠିକ୍ ହୋଇନାହିଁ। ସଂପୃକ୍ତ ପରିବାରକୁ ଭେଟିବା ଲାଗି ରାଜନେତା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ରାତି ଅଧରେ ପରିବାରର ବିରୋଧ ସତ୍ତ୍ବେ ପୀଡ଼ତାଙ୍କ ଶବକୁ ଯେପରି ପୋଲିସ ଅନ୍ତିମ ସଂସ୍କାର କଲା ତାହା ଗ୍ରହଣୀୟ ନୁହେଁ। ଉକ୍ତ ପରିବାରକୁ ନଭେଟିବା ଲାଗି ଗଣମାଧ୍ୟମ ଓ ନେତାଙ୍କ ଉପରେ କଟକଣା ଜାରି କରିବାକୁ ଯାଇ ପୋଲିସ ସଂପୃକ୍ତ ଗାଁକୁ ସିଲ୍ କରିଦେଇଛି। ଏଭଳି କଟକଣାକୁ ତୁରନ୍ତ ହଟାଯାଉ। ଏହା ବିଜେପି ଓ ସରକାରର ଭାବମୂର୍ତିକୁ କ୍ଷୁଣ୍ଣ କରୁଛି। ରାମ ମନ୍ଦିର ପାଇଁ ଶିଳାନ୍ୟାସ କରିବା ପରେ ରାମରାଜ୍ୟ ପାଇଁ ଦେଶବାସୀ ସ୍ବପ୍ନ ଦେଖୁଥିବା ବେଳେ ଯୋଗୀ ସରକାରଙ୍କ ଏଭଳି ଆଚରଣ ନେଇ କ୍ଷୋଭ ପ୍ରକାଶ କରି ସେ କହିଛନ୍ତି ଯେ ସୁସ୍ଥ ହେବାପରେ ସେ ସିଧା ହାଥରସ ଯାଇ ପୀଡ଼ିତାଙ୍କ ପରିବାକୁ ଭେଟିବେ। ସେହିଭଳି ଦଳର ଅନ୍ୟତମ ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସାଧ୍ବୀ ନିରଂଜନ ମଧ୍ୟ ଯୋଗୀ ସରକାରକୁ ଘେରିଛନ୍ତି। ସେ କହିଛନ୍ତି ଯେ ପରିବାକୁ ନିର୍ୟାତନା ଦେଇ ପୀଡ଼ିତାର ଶବକୁ ରାତି ଅଧରେ ସତ୍କାର କରାଯିବାକୁ ଗ୍ରହଣ କରି ହେଉନାହିଁ। ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ଉଚିତ ଥିଲା।
ଇତିମଧ୍ୟରେ ଘଟଣାସ୍ଥଳରୁ ମିଳିଥିବା ରିପୋର୍ଟ ଅନୁଯାୟୀ ପୋଲିସ ପକ୍ଷରୁ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ସେମାନଙ୍କୁ ଘରୁ ବାହାରିବାକୁ ଦିଆଯାଉନି କି ଗଣମାଧ୍ୟମରେ ମଧ୍ୟ କିଛି କହିବାକୁ ଦିଆଯାଉନି। ସେମାନଙ୍କ ମୋବାଇଲ୍ ଫୋନ୍ ସିଜ୍ କରାଯାଇଛି। ଗତକାଲି ସକାଳେ ପୀଡ଼ିତା ପରିବାରର ଜଣେ ନାବାଳକ ଗଣମାଧ୍ୟମ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ। ଗଣମାଧ୍ୟମରେ ନିଜ ବିବୃତି ରଖି ସେ କହିଛନ୍ତି, ପୁଲିସ ସେମାନଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରଖିବା ପଇଁ କହିଛି। କିଛି ମୋବାଇଲ୍ ମଧ୍ୟ ସେମାନଙ୍କଠାରୁ ଛଡ଼ାଇ ନିଆଯାଇଛି। ପୁଲିସ ଓ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଧମକ ଦିଆଯାଉଥିବା ସେ କହିଛନ୍ତି।
from Kanak News https://ift.tt/2EVGhQF https://ift.tt/33pEv3N
No comments: