କଟକ: ଦିନକୁ ଦିନ ଜଟିଳ ହେଉଛି ଅନୁଭବ-ବର୍ଷା ବିବାଦ। କୋର୍ଟ ପରେ ଘର କଳି ଏବେ ଥାନାରେ ପହଞ୍ଚିଛି। ବର୍ଷାଙ୍କ ବେଡ୍ରୁମ୍ରେ ଭିଡିଓ ଶୁଟିଂ ଘଟଣାକୁ ନେଇ ପୁରୀଘାଟ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଭିିଡିଓ ଶୁଟ୍ କରିଥିବା ଦୁଇ ଯୁବକଙ୍କୁ ଥାନାକୁ ଡାକି ପୋଲିସ୍ ପଚରାଉଚରା କରିଛି। ଅନ୍ୟପକ୍ଷରେ, ନିଜକୁ ଅସୁରକ୍ଷିତ ମଣି ପୋଲିସ୍ ସହାୟତା ପାଇଁ ୧୦୦ ନମ୍ବରକୁ ଡାଏଲ୍ କରିବା ପରେ ପୁରୀଘାଟ ଥାନାରେ ବିଧିବଦ୍ଧ ଲିଖିତ ଅଭିଯୋଗ କରିଥିଲେ ବର୍ଷା। ଏହାପରେ ବର୍ଷାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ବି ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅନୁଭବଙ୍କ ବିରୋଧରେ ବର୍ଷା ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି। ଏସବୁ ଭିତରେ ଗତକାଲି ଅନୁଭବ ସୋସିଆଲ୍ ମିଡିଆରେ ଘରେ ହୋଇଥିବା ଗଣେଶ ପୂଜାର ଏକ ଭିଡିଓ ଶେଆର କରିଛନ୍ତି। ଭିଡିଓରେ ବର୍ଷା, ଅନୁଭବଙ୍କ ବାପା ଓ ମା’ଙ୍କ ସହ ବସିଥିବା ଦେଖିବାକୁ ମିଳିଛି। ଭିଡିଓ ପୋଷ୍ଟ କରି ଅନୁଭବ ଲେଖିଛନ୍ତି, ଏହି ଭିଡିଓକୁ ଦେଖିଲା ପରେ ଆପଣଙ୍କୁ ଲାଗୁଛି କି Hon’ble SOMEONE ପାରିବାରିକ ହିଂସାର ସମ୍ମୁଖୀନ ହେଉଛନ୍ତି ?
ଅନୁଭବ ଏହି ଭିଡିଓ ପୋଷ୍ଟ କରିବା ପରେ ସୋସିଆଲ୍ ମିଡିଆରେ ଦୁଇ ପୃଷ୍ଠାର ପୋଷ୍ଟ ସହ ବର୍ଷା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ବର୍ଷା ଲେଖିଛନ୍ତି, ମୁଁ ସାଢ଼େ ୬ ବର୍ଷ ସବୁ ପ୍ରକାର କଷ୍ଟ ସହିଲା ପରେ ଯେତେବେଳେ ବୈବାହିକ ଜୀବନ ଅସୁରକ୍ଷିତ ହୋଇଗଲା, ସେତେବେଳେ ବାଧ୍ୟ ହୋଇ ମୋତେ ଆଇନ୍ର ସାହାରା ନେବାକୁ ପଡ଼ିଲା। ଏଇଟା ମୋ ଶାଶୁଘର। ମୁଁ ଏଠି ବାହା ହୋଇ ଆସିଛି। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏଠି ରହିବାର ସମ୍ପୂର୍ଣ୍ଣ ଅଧିକାର ମୋର ଅଛି। ସ୍ୱାମୀଙ୍କ ଦ୍ୱାରା ଘରୋଇ ହିଂସାର ଶିକାର ହୋଇଥିଲେ ମଧ୍ୟ ଆଇନ୍ର ସାହାଯ୍ୟ ନେଇ ଏଇ ଘରେ ହିଁ ତାର ସମାଧାନ କରିବାକୁ ଚେଷ୍ଟା କରୁଛି।
ବର୍ଷା ଆହୁରି ଲେଖିଛନ୍ତି, ‘ମୁଁ ମିଡିଆ ଆଗରେ ଘରର ଗୁମର କଥା ପଦାରେ ପକାଇବାକୁ ଚାହୁଁ ନ ଥିଲି। ମୋ ଦୁଇ ପରିବାରର ମର୍ଯ୍ୟାଦା ଓ ସ୍ୱାମୀଙ୍କ ସମ୍ମାନ ପାଇଁ ଚୁପ୍ ରହିଥିଲି। ସ୍ୱାମୀ ବର୍ତ୍ତମାନ ବାରମ୍ବାର ମିଡିଆକୁ କହୁଛନ୍ତି, ଏହା ଆମର ବ୍ୟକ୍ତିଗତ ବ୍ୟାପାର, ରାଜନୈତିକ ନୁହେଁ। ତା’ହେଲେ ନିଜ MP pad ରେ କାହିଁକି ପ୍ରେସ୍ରିଲିଜ୍ କରିଛନ୍ତି ? ଯଦି ମୋତେ ଭଲ ପାଉଛନ୍ତି ତାହା ହେଲେ ୨ ମାସ ହେବ ମୋର ୨ଟି ନମ୍ବରକୁ କାହିଁକି ବ୍ଲକ୍ କରିଛନ୍ତି ? ମୋ ଶ୍ୱଶୁରଙ୍କର ଅସୁସ୍ଥତା ସମୟରେ ମୋ ସ୍ୱାମୀ ବିନା Parliament Sessionରେ ମଧ୍ୟ ଦିଲ୍ଲୀ ଯାଇ ରହୁଥିଲେ। ମୁଁ କିନ୍ତୁ ଶ୍ୱଶୁରଙ୍କ ଅସୁସ୍ଥତା ସମୟରେ ମୋ ଶ୍ୱଶୁରଙ୍କ ପାଖରେ ଏହି ଘରେ ହିଁ ରହିଥିଲି ଓ ଆଜି ମଧ୍ୟ ଅଛି। ତାଙ୍କ ଶରୀରର ସୁସ୍ଥତା ପାଇଁ ସେତେବେଳେ ବି ପ୍ରାର୍ଥନା କରୁଥିଲି ଏବେବି ପ୍ରାର୍ଥନ କରୁଛି।
‘ଗୋଟିଏ ପରେ ଗୋଟିଏ ପରକୀୟା ପ୍ରୀତି ପାଇଁ କଷ୍ଟ ପାଇ ଚାଲିଥିଲି। ତଥାପି ବାହାଘର ଭାଙ୍ଗିବାକୁ କେବେ ଚାହିଁ ନାହିଁ। ବରଂ ଘର ସଜାଡ଼ିବାର ଆତ୍ମବିଶ୍ୱାସ ନେଇ ବଞ୍ଚିଛି। ବାହାଘର ଓ ମୋ ମଥାର ସିନ୍ଦୁର ମୋ ପାଇଁ ଖେଳ ନୁହେଁ। ମୁଁ ଜଣେ ସୁଗୃହିଣୀ ହିସାବରେ ମୋର ପ୍ରତ୍ୟେକ ଦାୟିତ୍ୱ, କର୍ତ୍ତବ୍ୟ କରି ଆସିଛି। ଆଜି ପର୍ଯ୍ୟନ୍ତ ମୋ ସ୍ୱାମୀଙ୍କ ପ୍ରତି ମୁଁ ବିଶ୍ୱସ୍ତ ହୋଇ ରହିଛି।
‘ମୋ ସ୍ୱାମୀ ଆଜି ଅବାଟକୁ ଚାଲି ଯାଇଛନ୍ତି, ଫେରାଇ ଆଣିବାର ବିଶ୍ୱାସ ରଖିଛି। ଶେଷ ଜୀବନ ଯାଏ ଅନୁଭବଙ୍କ ବିବାହିତ ପତ୍ନୀ ହୋଇ ରହିବାକୁ ଚାହେଁ। ମୁଁ ଛାଡ଼ପତ୍ର ଚାହେଁ ନାହିଁ, ସ୍ୱାମୀ ବାଟକୁ ପୁଣିଥରେ ଫେରିବା ଆଶା ରଖିଛି। ସ୍ୱାମୀ ପୋଷ୍ଟ୍ କରିଥିବା ଭିଡିଓ ପ୍ରମାଣ କରୁଛି ମୁଁ କିପରି ଶାଶୁ ଘରେ ମିଶିକି ଚଳୁଛି। ଏପରି ଭିଡିଓ ତାଙ୍କ ପିଟିସନରେ ଲିଖିତ ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରୁଛି। ଘରୋଇ ହିଂସା ସବୁଦିନ ହୋଇ ନ ଥାଏ, କିଛି ଘଟଣାକୁ ନେଇ ହୋଇଥାଏ। ଦରକାର ପଡ଼ିଲେ ସେମିତି କିଛି ଘଟଣାର ପ୍ରମାଣ କୋର୍ଟଙ୍କୁ ଦେବି। ମୋ ବାହାଘରକୁ ବଞ୍ଚାଇବାକୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରି ଚାଲିବି’ ବୋଲି ବର୍ଷା ଲେଖିଛନ୍ତି।
ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻
Varsha Priyadarshini यांनी वर पोस्ट केले मंगळवार, ८ सप्टेंबर, २०२०
The post ବାହାଘରକୁ ବଞ୍ଚାଇବାକୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରିବି: ବର୍ଷା appeared first on OTV Khabar..
from OTV Khabar. https://ift.tt/3bJkJ5B
No comments: