ମୃତ ବ୍ୟକ୍ତିଙ୍କ ଜାଲ୍‌ ଦସ୍ତଖତରେ ଅଢ଼େଇ କୋଟି ଚଳୁ: ବ୍ୟାଙ୍କ ମ୍ୟାନେଜର୍‌ ଓ ଋଣୀ ଗିରଫ Kanak News

କନକ ବ୍ୟୁରୋ : ଜଣେ ମୃତ ବ୍ୟକ୍ତିଙ୍କ ଜାଲ୍‌ ଦସ୍ତଖତରେ ତାଙ୍କ ସମ୍ପତ୍ତି ବନ୍ଧକ ରଖିବା ପରେ ବ୍ୟାଙ୍କରୁ ଅଢ଼େଇ କୋଟି ଟଙ୍କା ଋଣ ନେଇ ଚଳୁ କରି ଦେଇଥିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେହିଭଳି ଋଣ ମଞ୍ଜୁର କଲାବେଳେ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ସମସ୍ତ ରେକର୍ଡପତ୍ରକୁ ଠିକ୍‌ରେ ଯାଞ୍ଚ କରିନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି। ଜୟଦେବ ବିହାର ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଶାଖାରୁ ହୋଇଥିବା ଏହି ଠକେଇ ସମ୍ପର୍କରେ ପିଏନ୍‌ବି ଭୁବନେଶ୍ୱର ସର୍କଲ ମୁଖ୍ୟ ପରେଶ କୁମାର ଦାସଙ୍କ ଅଭିଯୋଗ ପରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଉକ୍ତ ଶାଖାର ତତ୍କାଳୀନ ମ୍ୟାନେଜର ତଥା ମୂଲ୍ୟାୟନ ଅଧିକାରୀ ଶ୍ରୀକାନ୍ତ ପ୍ରସାଦ ପୃଷ୍ଟି(ଏବେ ବାପୁଜୀନଗର ପିଏନ୍‌ବିରେ କାର୍ଯ୍ୟରତ) ଓ ଋଣ ଗ୍ରହିତା ଭୀମଟାଙ୍ଗି କେପି ସଲ୍ୟୁସନ୍ସର ପ୍ରୋପ୍ରାଇଟର କାଳୀପ୍ରସାଦ ମିଶ୍ର।

ଅଭିଯୋଗ ମୁତାବକ, ଭୀମଟାଙ୍ଗି ଅଞ୍ଚଳରେ କାଳୀପ୍ରସାଦଙ୍କର ଟାଇଲ୍‌, ସାନିଟାରି ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ହୋଲ୍‌ସେଲ୍‌ ଓ ରିଟେଲ୍‌ ବ୍ୟବସାୟ ଥିଲା। ୨୦୧୭ ମସିହାରେ ସେ ପିଏନ୍‌ବିର ଏହି ଶାଖାରୁ ୨.୫ କୋଟି ଟଙ୍କା ଋଣ ନେଇଥିଲେ। କିନ୍ତୁ ପରେ ଆଉ ଶୁଝିବା ନାଁ ଧରିନଥିଲେ। ଫଳରେ ଏହି ଋଣ ରାଶି ବଢ଼ି ବଢ଼ି ୨ କୋଟି ୬୭ଲକ୍ଷ ୩୩ ହଜାର ଟଙ୍କାରେ ପହଞ୍ଚିଥିଲା। ଏହା ଭିତରେ ବ୍ୟାଙ୍କ ମ୍ୟାନେଜର ଶ୍ରୀ ପୃଷ୍ଟିଙ୍କର ବାପୁଜୀନଗର ଶାଖାକୁ ବଦଳି ହୋଇଯାଇଥିଲା। ଏତେ ବଡ଼ ଋଣ ଗଡ଼ୁଥିବାରୁ ବ୍ୟାଙ୍କ ପକ୍ଷରୁ ଖୋଳତାଡ୍‌ ଆରମ୍ଭ ହୋଇଥିଲା। ଫଳରେ ଏହି ଋଣ ମଞ୍ଜୁରରେ ହୋଇଥିବା ଘୋଟାଲା ବାବଦରେ ସ୍ପଷ୍ଟ ଚିତ୍ର ପଦାକୁ ଆସିଥିଲା। ଏହି ଋଣ ମଞ୍ଜୁର ପାଇଁ କା‌ଳୀପ୍ରସାଦ କଟକ ମଧୁପାଟଣା ଅଞ୍ଚଳର ୪ ଜଣ ବ୍ୟକ୍ତିଙ୍କ ଜମି ବନ୍ଧକ ସୂତ୍ରରେ ରଖିଥିଲେ।

ଜମି ମାଲିକମାନେ କାଳୀପ୍ରସାଦଙ୍କ ପାଇଁ ଗ୍ୟାରେଣ୍ଟର ପଡ଼ିବା ସହ ସେମାନଙ୍କ ଜମି ବନ୍ଧକ ଦେବାକୁ ସମ୍ମତି ପ୍ରଦାନ କରିଥିଲେ। କିନ୍ତୁ ବଡ଼ କଥା ହେଲା ଏହି ୪ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କର ୨୦୧୪ ମସିହାରୁ ମୃତ୍ୟୁ ହୋଇ ସାରିଥିଲା। ତାଙ୍କ ସ୍ଥାନରେ ଜଣେ ନକଲି ବ୍ୟକ୍ତିଙ୍କୁ ଠିଆ କରାଯାଇଥିଲା। ସେହିଭଳି ଅନ୍ୟ ତିନି ଜଣଙ୍କ ଜମିଜମା ‌ରେକର୍ଡ ମଧ୍ୟ ଠିକ୍ ନଥିଲା। ମୋଟାମୋଟି ଭାବେ ଜମି ବନ୍ଧକ ଦେଇଥିବା ସମସ୍ତ ୪ ଜଣ ନକଲି ବ୍ୟକ୍ତି ଥିଲେ। ଜାଲ୍ ଦସ୍ତଖତ ବଳରେ ଏହି ଋଣ ମଞ୍ଜୁର କରାଯାଇଥିବା ଜଣାପଡ଼ିଥିଲା। ତେଣୁ ସର୍କଲ ମୁଖ୍ୟ ପରେଶ କୁମାର ଦାସ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଏହି ଜାଲ୍‌ କାରବାରେ ସମ୍ପୃକ୍ତ ଅନ୍ୟମାନଙ୍କ ବାବଦରେ ଖୋଳତାଡ଼ ଜାରି ରହିଛି ବୋଲି ସୂଚନା ମିଳିଛି।



from Kanak News https://ift.tt/2RsOQVN https://ift.tt/3mACwkG
ମୃତ ବ୍ୟକ୍ତିଙ୍କ ଜାଲ୍‌ ଦସ୍ତଖତରେ ଅଢ଼େଇ କୋଟି ଚଳୁ: ବ୍ୟାଙ୍କ ମ୍ୟାନେଜର୍‌ ଓ ଋଣୀ ଗିରଫ Kanak News ମୃତ ବ୍ୟକ୍ତିଙ୍କ ଜାଲ୍‌ ଦସ୍ତଖତରେ ଅଢ଼େଇ କୋଟି ଚଳୁ: ବ୍ୟାଙ୍କ ମ୍ୟାନେଜର୍‌ ଓ ଋଣୀ ଗିରଫ Kanak News Reviewed by SUBHENDU BARAL on September 15, 2020 Rating: 5

No comments:

Powered by Blogger.