ବିମାନ ଶିଳ୍ପର ଯନ୍ତ୍ରଣା : ସିଟ୍‌ ଫାଙ୍କା ଆୟ ଠପ୍, ୫୦୦୦ରୁ ଅଧିକ କର୍ମଚାରୀ ବେକାର; ଇଣ୍ଡିଗୋ ସ୍ପାଇସ୍‌ଜେଟ୍‌ର ବିପୁଳ କ୍ଷତି, ୬ଟି କଂପାନି ଉପରେ ସାରା ଦେଶ ନିର୍ଭରଶୀଳ Kanak News

କନକ ବ୍ୟୁରୋ : କରୋନା ମହାମାରୀ ବିମାନ ଶିଳ୍ପର ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଛି। ଇନ୍ଧନର ଆକାଶଛୁଆଁ ଦାମ୍, ଚଢ଼ା ଟିକସ ଓ ପରିଚାଳନା ଖର୍ଚ୍ଚ ପାଇଁ ଭାରତୀୟ ବିମାନ ଶିଳ୍ପ ‌ବିଶ୍ବର ଅନ୍ୟ ଦେଶଗୁଡ଼ିକ ଭଳି ଭଲ ପ୍ରଦର୍ଶନ କରିପାରୁନାହିଁ। ସେଥିପାଇଁ ଏହି ଶିଳ୍ପରେ ପୁଞ୍ଜିନିବେଶ କରିବାକୁ ନିବେଶକମାନେ ଆଗ୍ରହ ଦେଖାଉନାହାନ୍ତି। ଯେଉଁ କିଛି କଂପାନି ଏହି କ୍ଷେତ୍ରରେ ସକ୍ରିୟ ରହିଛନ୍ତି ସେମାନେ ଏବେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। କରୋନା ମହାମାରୀ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି। ଏବେ ବିମାନ‌ରେ ୮୦ ପ୍ରତିଶତରୁ ଅଧିକ ସିଟ୍ ଫାଙ୍କା ରହୁଛି। ସରକାରଙ୍କ ଅନେକ ପ୍ରକାର ଦିଶାନିର୍ଦେଶକୁ ପାଳନ କରିବା‌ରେ ମଧ୍ୟ କଂପାନିଗୁଡ଼ିକୁ ବିପୁଳ ପରିମାଣର ବ୍ୟୟ କରିବାକୁ ପଡ଼ୁଛି।

ଏବେ ବିମାନର ମାତ୍ର ୨୦ ପ୍ରତିଶତ ସିଟ୍ ପୂରଣ ହେଉଛି। ଗତବର୍ଷ ମ‌ାର୍ଚ୍ଚରୁ ଜୁନ୍ ମଧ୍ୟରେ ଦେଶ ଭିତରେ ୫ କୋଟି ୮୫ ଲକ୍ଷରୁ ଅଧିକ ଲୋକ ବିମାନରେ ଯାତ୍ରା କରିଥିଲେ। ଚଳିତ ବର୍ଷ ସେହି ସମୟରେ ମାତ୍ର ୧ କୋଟି ୨୦ ଲକ୍ଷ ଲୋକ ବିମାନରେ ଯାତ୍ରା କରିଛନ୍ତି। ଗତବର୍ଷ ଏପ୍ରିଲ୍‌-ଜୁନ୍‌ରେ ଭାରତୀୟ ବିମାନ କଂପାନିଗୁଡ଼ିକ ୨୫,୫୧୭ କୋଟି ଟଙ୍କା ଆୟ କରିଥିଲେ। ଚଳିତ ବର୍ଷ ‌ସେହିି ସମୟରେ ସେମାନେ ମାତ୍ର ୩୬୫୧ କୋଟି ଟଙ୍କା ଆୟ କରିଛନ୍ତି। ଲୋକସଭାରେ ଆଜି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି। ଦେଶରେ କରୋନା ମହାମାରୀ ବ୍ୟାପିବା ପରଠାରୁ ବିମାନ ଉଡ଼ାଣ ଉପରେ କଟକଣା ଜାରି ରହିଛି। ବିକ୍ରି ହେବାକୁ ଯାଉଥିବା ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆର ସ୍ଥିତି ମଧ୍ୟ ବହୁତ ଖରାପ ହୋଇଛି। ଏହାର ରାଜସ୍ବ ଆୟ ଗତବର୍ଷ ଏପ୍ରିଲ୍-ଜୁନ୍‌ରେ ୭୦୬୬ କୋଟି ଟଙ୍କା ଥିଲା। ଚଳିତ ବର୍ଷ ସେହି ସମୟରେ କଂପାନି ୧୫୩୧ କୋଟି ଟଙ୍କାର ଆୟ କରିଛି।ଯାତ୍ରୀ ସଂଖ୍ୟା ହ୍ରାସ ପାଇବାରୁ ବିମାନ କଂପାନିଗୁଡ଼ିକ ସେମାନଙ୍କ କର୍ମଚାରୀ ସଂଖ୍ୟା ହ୍ରାସ କରିଛନ୍ତି। ୨୦୨୦ ମାର୍ଚ୍ଚରେ ବିମାନ କଂପାନିଗୁଡ଼ିକରେ ୭୪,୮୮୭ କର୍ମଚାରୀ କାର୍ଯ୍ୟ କରୁଥିଲେ। ଜୁଲାଇ ସୁଦ୍ଧା ସେମାନଙ୍କ ସଂଖ୍ୟା ୬୯,୫୮୯କୁ ହ୍ରାସ ପାଇଛି। ବିମାନ ବନ୍ଦରରେ, ଗ୍ରାଉଣ୍ଡ୍‌ ହାଣ୍ଡଲିଂ ଓ କାର୍ଗୋ ଅପରେଟରଙ୍କ ପାଇଁ କାମ କରୁଥିବା ଅଧିକାଂଶ କର୍ମଚାରୀ ଚାକିରି ହରାଇଛନ୍ତି। ତେବେ ବିମାନ ଶିଳ୍ପରେ କରୋନା ମହାମାରୀର ରହିଥିବା ପ୍ରଭାବକୁ ଦୂର କରିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ପୁରୀ କହିଛନ୍ତି। ଦେଶ ଭିତରେ ବିମାନ ଚଳାଚଳ ଅନୁମତି ପ୍ରଦାନ କରାଯାଇଥିବା ବେଳେ ବିମାନରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ସିଟ୍‌ ପୂରଣ କରିବାକୁ କଂପାନିଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି। ସରକାରଙ୍କ ତରଫରୁ ଆଫଗାନିସ୍ତାନ, ବାହାରିନ୍, କାନାଡା, ଫ୍ରାନ୍ସ, ଜର୍ମାନି, କତାର, ମାଳଦୀପ, ୟୁଏଇ, ବ୍ରିଟେନ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା ସହ ଏୟାରବ ବବଲ୍‌ ବୁଝାମଣା କରାଯାଇଛି। ବିମାନ ବନ୍ଦରଗୁଡ଼ିକର ଉନ୍ନତୀକରଣ ପାଇଁ ଘରୋଇ ସରକାରୀ ସହଭାଗିତାରେ ପୁଞ୍ଜିନିବେଶକୁ ସରକାର ପ୍ରୋତ୍ସାହିତ କରୁଛନ୍ତି।

କରୋନା ମହାମାରୀ ଭାରତୀୟ ବିମାନ କଂପାନିଗୁଡ଼ିକର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଦେଶର ସବୁଠୁ ବଡ଼ ବିମାନ କଂପାନି ଇଣ୍ଡିଗୋ ଗତ ଏପ୍ରିଲ୍-ଜୁନ୍ ସମୟରେ ୨୮୪୪ କୋଟି ଟଙ୍କାର କ୍ଷତି ସହିଛି। ସେହିପରି ଅନ୍ୟତମ ଘରୋଇ ବିମାନ କଂପାନି ସ୍ପାଇସ୍‌ଜେଟ୍‌ ୫୯୩.୪ କୋଟି ଟଙ୍କାର କ୍ଷତି ସହିଛି। ଏହାର ପୂର୍ବବର୍ଷ ଏହି ଦୁଇ ପ୍ରମୁଖ ବିମାନ କଂପାନି ଯଥାକ୍ରମେ ୧୨୦୩ କୋଟି ଟଙ୍କା ଓ ୨୬୧ କୋଟି ଟଙ୍କାର ଲାଭ କରିଥିଲେ। ସବୁଠୁ ଚିନ୍ତାର ବିଷୟ ହେଉଛି ବନ୍ଦ ଦ୍ବାରଦେଶରୁ ଫେରିଥିବା ସ୍ପାଇସ୍‌ଜେଟ୍‌ ପୁଣି ଥରେ କ୍ଷତି ସହିବା ଆରମ୍ଭ କରିଛି। ଆନ୍ତର୍ଜାତିକ ବିମାନ ପରିବହନ ସଂଘ (ଆଇଏଟିଏ) ଆକଳନ କରିଛି ଯେ କରୋନା ମହାମାରୀ ପ୍ରଭାବରେ ସାରା ବିଶ୍ବର ବିମାନ ଶିଳ୍ପ ୮୪୩୦ କୋଟି ଡଲାରର କ୍ଷତି ସହିବ। ଅନେକ କଂପାନି ବନ୍ଦ ହୋଇଯିବା ଭଳି ସ୍ଥିତି ସୃଷ୍ଟି ହେବ। ଏବେବି ଗତବର୍ଷ ତୁଳନାରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ୮୦ ପ୍ରତିଶତ କମ୍ ରହିଛି ବୋଲି ଏହି ସଂସ୍ଥା ଆକଳନ କରିଛି। ‌ରେଟିଂ ଏଜେନ୍ସି କ୍ରିସିଲ୍‌ ମତରେ ମହାମାରୀ ପ୍ରଭାବରେ ଭାରତୀୟ ବିମାନ ଶିଳ୍ପ ବର୍ଷରେ ୧.୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ।

ଭାରତୀୟ ବିମାନ ଶିଳ୍ପରେ ଏବେ ମାତ୍ର ଛଅଟି ବଡ଼ କଂପାନି ରହିଛି ଯାହାଙ୍କ ଉପରେ ସମ୍ପୂର୍ଣ୍ଣ ଶିଳ୍ପର ଭାଗ୍ୟ ନିର୍ଭର କରୁଛି। ଏୟାର ଇଣ୍ଡିଆ ଓ ଭିସ୍ତାରା ହେଉଛନ୍ତି ସମ୍ପୂର୍ଣ୍ଣ ସେବା ପ୍ରଦାନ କରୁଥିବା ମାତ୍ର ଦୁଇ ବିମାନ କଂପାନି। ଏହା ବ୍ୟତୀତ ଇଣ୍ଡିଗୋ, ସ୍ପାଇସ୍‌ଜେଟ୍‌, ଗୋଏୟାର ଓ ଏୟାର ଏସିଆ ଇଣ୍ଡିଆ ଭଳି ଚାରିଟି କଂପାନି ସୁଲଭ ମୂଲ୍ୟରେ ଯାତ୍ରୀମାନଙ୍କୁ ବିମାନ ସେବା ଯୋଗାଇ ଦେଉଛନ୍ତି। ଇଣ୍ଡିଗୋ ପାଖରେ ସର୍ବାଧିକ ବଜାର ଭାଗ ରହିଛି। ଦେଶ ଭିତରେ ଇଣ୍ଡିଗୋ ବିମାନରେ ଅଧିକ ଯାତ୍ରୀ ଯାତ୍ରା କରୁଛନ୍ତି। ଏୟାର ଇଣ୍ଡିଆ ଉପରେ ୬୦ ହଜାର କୋଟି ଟଙ୍କାର ଋଣ ବାକି ରହିଛି। ଏହାକୁ ସରକାର ବିକ୍ରି କରିବାକୁ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ଗ୍ରାହକ ମିଳୁନାହାନ୍ତି। ଅନ୍ୟତମ ସମ୍ପୂର୍ଣ୍ଣ ସେବା ପ୍ରଦାନ କରୁଥିବା ବିମାନ କଂପାନି ଜେଟ୍ ଏୟାରୱେଜ୍ କିଛି ମାସ ପୂର୍ବରୁ ବନ୍ଦ ହୋଇଯାଇଛି। ବହୁ ବର୍ଷ ତଳେ ବିଜୟ ମାଲ୍ୟାଙ୍କ ବିମାନ କଂପାନି କିଙ୍ଗଫିସର ଏୟାରଲାଇନ୍ସ ବନ୍ଦ ହୋଇଥିଲା। ଦେଶରେ କିଛି ହାତଗଣତି ଛୋଟ ବିମାନ କଂପାନି ମଧ୍ୟ ରହିଛି ଯେଉଁମାନେ ଉଡ଼ାନ ଯୋଜନାରେ ସାମିଲ ହୋଇ କିଛି ନିର୍ଦିଷ୍ଟ ରୁଟ୍‌ରେ ସେବା ଯୋଗାଇ ଦେଉଛନ୍ତି।



from Kanak News https://ift.tt/32AnXFA https://ift.tt/3muJYh6
ବିମାନ ଶିଳ୍ପର ଯନ୍ତ୍ରଣା : ସିଟ୍‌ ଫାଙ୍କା ଆୟ ଠପ୍, ୫୦୦୦ରୁ ଅଧିକ କର୍ମଚାରୀ ବେକାର; ଇଣ୍ଡିଗୋ ସ୍ପାଇସ୍‌ଜେଟ୍‌ର ବିପୁଳ କ୍ଷତି, ୬ଟି କଂପାନି ଉପରେ ସାରା ଦେଶ ନିର୍ଭରଶୀଳ Kanak News ବିମାନ ଶିଳ୍ପର ଯନ୍ତ୍ରଣା : ସିଟ୍‌ ଫାଙ୍କା ଆୟ ଠପ୍, ୫୦୦୦ରୁ ଅଧିକ କର୍ମଚାରୀ ବେକାର; ଇଣ୍ଡିଗୋ ସ୍ପାଇସ୍‌ଜେଟ୍‌ର ବିପୁଳ କ୍ଷତି, ୬ଟି କଂପାନି ଉପରେ ସାରା ଦେଶ ନିର୍ଭରଶୀଳ Kanak News Reviewed by SUBHENDU BARAL on September 16, 2020 Rating: 5

No comments:

Powered by Blogger.