
କନକ ବ୍ୟୁରୋ : ଆସନ୍ତା ୩୦ ତାରିଖଠାରୁ ଅର୍ଥାତ୍ ଅକ୍ଟୋବର ୨ ଯାଏଁ ରାଜ୍ୟରେ ବଜ୍ରପାତ ସହ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। ଏଣୁ ଏହି ୩ ଦିନ ସତର୍କତା ଅବଲମ୍ବନ କରିବା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ବିପଦ ଥିବା ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷେ ଏହାକୁ ଦୃଷ୍ଟିରେ ରଖି ଯେକୌଣସି ପ୍ରତିକୂଳ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।
କେନ୍ଦ୍ରର ସୂଚନା ମୁତାବକ, ୩୦ରୁ ୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସହ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ ଓ ଢେଙ୍କାନାଳରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତର ସମ୍ଭାବନା ରହିଛି। ଠାଏ ଠାଏ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ଅପରପକ୍ଷେ, ଭାରତର ପଶ୍ଚିମ ତଥା ଉତ୍ତର ପଶ୍ଚିମ ଅଞ୍ଚଳରେ ବାୟୁମଣ୍ଡଳର ତଳଭାଗରେ ଆଣ୍ଟିସାଇକ୍ଲୋନିକ୍ ସଞ୍ଚାରଣର ସ୍ଥାପନ ତଥା ବାୟୁମଣ୍ଡଳରେ ଆର୍ଦ୍ରତା ଓ ବର୍ଷାର ଯଥେଷ୍ଟ ହ୍ରାସ ଯୋଗୁଁ ଆଜି ପଶ୍ଚିମ ରାଜସ୍ଥାନ ଏବଂ ପଞ୍ଜାବର କିଛି ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି। ମୌସୁମୀର ପ୍ରତ୍ୟାବର୍ତ୍ତନ ରେଖା ଅମୃତସର, ଭଟିଣ୍ଡା, ହନୁମାନଗଡ଼, ବିକାନେର୍ ଓ ଜସଲ୍ମୈର୍ ଦେଇ ଗତି କରୁଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ପଶ୍ଚିମ ରାଜସ୍ଥାନ, ପଞ୍ଜାବର ଆହୁରି କିଛି ଅଞ୍ଚଳ ଏବଂ ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି କ୍ରମରେ ଅକ୍ଟୋବର ୧୫ ଆଡ଼କୁ ଓଡ଼ିଶାରୁ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ ବୋଲି କୁହାଯାଇଛି।
from Kanak News https://ift.tt/3ibid9S https://ift.tt/3bHDvui
No comments: