ସଂସଦର ମୌସୁମୀ ଅଧିବେଶନ: ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ; ଏନ୍ଡିଏ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ଦେଇପାରେ ବିଜେଡି Kanak News

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ବିଜୁ ଜନତା ଦଳ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ତେବେ ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡିର ସମର୍ଥନ ମିଳିବା ନେଇ ଦଳ ସଭାପତି ନବୀନ ପଟ୍ଟନାୟକ ଏକ ପ୍ରକାର ସବୁଜ ସଙ୍କେତ ଦେଇଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଆସିଛି। ୨୦୧୮ରେ ବି ଏନ୍ଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିଲା।
ଏଥରକ ବି ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ଶ୍ରୀ ସିଂହଙ୍କୁ ସମର୍ଥନ କରିବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି। ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ୨୩୩ ଜଣ ନିର୍ବାଚିତ ସଭ୍ୟ ଥିବାବେଳେ ୧୨ ଜଣ ମନୋନୀତ ସଦସ୍ୟ ଅଛନ୍ତି। ସେଥିରୁ ବିଜେପିର ୮୬ ସଦସ୍ୟ ମିଶି ଏନ୍ଡିଏର ସଦସ୍ୟ ସଂଖ୍ୟା ୧୧୬ ରହିଥିବାବେଳେ ୟୁପିଏର ୬୦ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟଙ୍କ ସଂଖ୍ୟା ୬୭ ମିଶିବା ପରେ ୧୨୭ ହେଉଛି। ଏନ୍ଡିଏ ପକ୍ଷରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ପ୍ରାର୍ଥୀ ହୋଇଥିବାବେଳେ ୟୁପିଏ ଓ ବିରୋଧୀ ଦଳ ପକ୍ଷରୁ ଆର୍ଜେଡି ସାଂସଦ ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି। ତେବେ ଏଥରକ ଉପାଧ୍ୟକ୍ଷ ନିର୍ବାଚନରେ ଅଣ ଏନ୍ଡିଏ ଦଳ ଭାବେ ବିଜୁ ଜନତା ଦଳ କାହାକୁ ସମର୍ଥନ ଦେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
from Kanak News https://ift.tt/3irw0KA https://ift.tt/2Zzg9BY
No comments: