ଆସୁଛି ବଡ଼ ବର୍ଷା : ୫ ଦିନ ବର୍ଷିବ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି ; ୭ରେ ଆଉ ଏକ ଲଘୁଚାପ ସମ୍ଭାବନା Kanak News

କନକ ବ୍ୟୁରୋ : ଆସୁଛି ବଡ଼ ବର୍ଷା । ୫ ଦିନ ଧରି ଅର୍ଦ୍ଧାଧିକ ଓଡ଼ିଶାରେ ବର୍ଷା ଲାଗି ରହିବ। ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ବର୍ଷାର ପ୍ରକୋପ ଦେଖାଦେବ। ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ । ଜଳବନ୍ଦୀ ସମସ୍ୟା, ମାଟି ଘର ଭାଙ୍ଗିବା ସହ ରାସ୍ତା ଧୋଇଯିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ଏଥିପ୍ରତି ଦୃଷ୍ଟି ଦେବେ। କଣ୍ଟ୍ରୋଲ ରୁମ ୨୪ ଘଣ୍ଟା ଧରି ଚାଲୁ ରଖିବେ। ବର୍ଷା ସ୍ଥିତି ସମ୍ପର୍କରେ ନିୟମିତ ଭାବେ ଏସ୍‌ଆରସିଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆନ୍ଧ୍ର ଉପକୂଳ ସଂଲଗ୍ନ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ଓଡ଼ିଶା ଉପକୂଳ ମୁହାଁ ହେବ। ପ୍ରଭାବରେ ଅକ୍ଟୋବର ପହିଲାରେ ଗଞ୍ଜାମ, ପୁରୀ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଲଗାଣ ବର୍ଷା ଦ୍ୱାରା ଜଳବନ୍ଦୀ ହେବା ସହ ଚାଳ ଘର ଭାଙ୍ଗିପାରେ। ରାସ୍ତା ନଷ୍ଟ ହୋଇ ଯୋଗାଯୋଗ ବିଛିନ୍ନ ହେବାର ଆଶଙ୍କା ରହିଛି। ଏଥିସହ କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ବୌଦ୍ଧ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, କଳାହାଣ୍ଡି ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାକି ଜିଲ୍ଲାଗୁଡିକରେ ଘଡଘଡ଼ି ସହ ବଜ୍ରପାତ ହୋଇପାରେ ।

ଅକ୍ଟୋବର ୨ ତାରିଖରେ ଉପକୂଳ ଓଡ଼ିଶାର ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ପୁରୀ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଜଳବନ୍ଦୀ, ଘର ଭାଙ୍ଗିବା, ରାସ୍ତା ନଷ୍ଟ ହେବା ପରି ସମସ୍ୟା ହେବ। ଏହାବ୍ୟତୀତ ଅନୁଗୁଳ, ଗଞ୍ଜାମ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼, ବୌଦ୍ଧ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୩ ତାରିଖରେ ବର୍ଷା ପରିମାଣ ସାମାନ୍ୟ କମିବାକୁ ଥିବାବେଳେ ୪ ଓ ୫ ତାରିଖରେ ପୁଣି ବର୍ଷା ବଢ଼ିବ। କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିବ। କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ଅନୁଗୁଳ ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀମାନେ ଏହି ସମୟ ମଧ୍ୟରେ ସମୁଦ୍ରକୁ ନ ଯିବାକୁ ଉଭୟ ପାଣିପାଗ ବିଭାଗ ଓ ଏସ୍‌ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆଜି ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ରହିଥିଲା। ଏହା ଧୀରେ ଧୀରେ ଓଡ଼ିଶା ଉପକୂଳ ନିକଟତର ହେବ। ଅକ୍ଟୋବର ୪ରେ ଓଡ଼ିଶା ଉପକୂଳ ଅତିକ୍ରମ କରି ସ୍ଥଳ ଭାଗକୁ ଗତି କରିବ। ଫଳରେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ବିସ୍ତୃତ ବର୍ଷା ଲାଗି ରହିବ। କେତେକ ସ୍ଥାନରେ ଭାରି ବର୍ଷା ହୋଇପାରେ। ୪ରୁ ଆଭ୍ୟନ୍ତରୀଣ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ। ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ହୋଇପାରେ। କେତେକ ସ୍ଥାନରେ ସମୁଦାୟ ବର୍ଷା ପରିମାଣ ୨୦୦ ମିମି ହେବାର ସମ୍ଭାବନା ରହିଛି।

ଏହାପରେ ଅକ୍ଟୋବର ୭ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର କିମ୍ବା ଅଣ୍ଡାମାନ ସାଗରରେ ମିଆଁମାର ଉପକୂଳ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଓ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩ ଦିନ ଧରି ଓଡ଼ିଶାରେ ବର୍ଷା ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ଆଶଙ୍କା ଅଛି। ୫ ତାରିଖ ବେଳକୁ ଏନେଇ ସଠିକ ଆକଳନ କରାଯାଇ ପାରିବ।



from Kanak News https://ift.tt/3n5rzYv https://ift.tt/2PVH8Tq
ଆସୁଛି ବଡ଼ ବର୍ଷା : ୫ ଦିନ ବର୍ଷିବ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି ; ୭ରେ ଆଉ ଏକ ଲଘୁଚାପ ସମ୍ଭାବନା Kanak News ଆସୁଛି ବଡ଼ ବର୍ଷା : ୫ ଦିନ ବର୍ଷିବ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି ; ୭ରେ ଆଉ ଏକ ଲଘୁଚାପ ସମ୍ଭାବନା Kanak News Reviewed by SUBHENDU BARAL on September 30, 2020 Rating: 5

No comments:

Powered by Blogger.