ପରିବା ବଜାରରେ ନିଆଁ : ଦର ବଢ଼ିଲାଣି ଦୁଇ ଗୁଣରୁ ଅଧିକ, ଆଳୁ, ପିଆଜ, ଟମାଟୋ ଦର ଆକାଶଛୁଆଁ Kanak News

କନକ ବ୍ୟୁରୋ : ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କଲାଣି। ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନିପରିବା ଦର ଆକାଶଛୁଆଁ ହେବାରେ ଲାଗି ଥିବା ବେଳେ ଏ‌ପଟେ ରାଜ୍ୟ ଭିତରେ ଚାଷ ହେଉଥିବା ପନିପରିବା ଦର ଉପରେ ଭରସା ନାହିଁ। ବନ୍ୟା ଯୋଗୁଁ ରାଜ୍ୟ ଭିତରୁ ବିଭିନ୍ନ ଜିଲ୍ଲାରୁ ଏବେ ଠିକ୍ ଭାବେ ପରିବା ଆସୁ ନାହିଁ। କରୋନା ଯୋଗୁଁ ରୋଜଗାର ହ୍ରାସ ପାଇଥିବା ବେଳେ ଏଭଳି ସ୍ଥିତିରେ ଏବେ ଗ୍ରାହକ ମୁଣ୍ଡରେ ହାତ ଦେଲେଣି। ଏପ୍ରିଲ୍‌ ମାସରେ ଆଳୁ, ପିଆଜ, ଟମାଟୋ ଦର ଯାହା ଥିଲା ଏବେ ପାଖାପାଖି ଦୁଇ ଗୁଣରୁ ଅଧିକ ହେଲାଣି।

ଆଳୁ ଆସୁଛି ପଶ୍ଚିମବଙ୍ଗରୁ। ପିଆଜ ମହାରାଷ୍ଟ୍ରର ନାସିକ, ଆନ୍ଧ୍ରପ୍ରଦେଶ ଓ ବେଙ୍ଗାଲୁରରୁ ଆସୁଛି। କଟକ ଖୁଚୁରା ବଜାରରେ ଆଳୁ ଦର ୩ କିଲୋକୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ପଶ୍ଚିମବଙ୍ଗରେ ଆଳୁ ଯଥେଷ୍ଟ ମହଜୁଦ ଅଛି। କିନ୍ତୁ ନୂଆ ଆଳୁ ବଜାରକୁ ଆସିବା ପର୍ଯ୍ୟନ୍ତ ଆଳୁ ଦର ଏପରି ବଢି କରି ରହିବ ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି। ସେହିପରି ପିଆଜ ଦର ମଧ୍ୟ ବଢିଛି। ଏବେ ପିଆଜ ଖୁଚୁରା ବଜାରରେ ତିନି କିଲୋକୁ ୯୦ରୁ ଶହେ ଟଙ୍କା ରହିଛି। ପନିପରିବା ଦର ମଧ୍ୟ ବଢି ଚାଲିଛି। ପୂର୍ବରୁ ବଜାରରେ ଭେଣ୍ଡି ୧୫/୨୦ ଟଙ୍କାରେ ମିଳୁଥିବା ବେଳେ ଏବେ ଭେଣ୍ଡି କିଲୋ ୪୦ଟଙ୍କାରେ ପହଞ୍ଚିଛି।

ଝୁଡଙ୍ଗ ଛୁଇଁ ମାସେ ପୂର୍ବରୁ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ କିଲୋ ପ୍ରତି ଛତ୍ରବଜାରରେ ୬୦ ଟଙ୍କା ରହିଛି। ‌ସହରର ଅନ୍ୟ ସ୍ଥାନରେ ଝୁଡଙ୍ଗ ଝୁଇଁ କିଲୋକୁ ୭୦/୮୦ ଟଙ୍କାରେ ବିକ୍ରି ହେଉଛି। ଦେଶୀଆଳୁ ଦର କିଲୋ ପ୍ରତି ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ସାରୁ ଦର ୩୦ରୁ ୪୦ ଟଙ୍କା କିଲୋ ପ୍ରତିରେ ବିକ୍ରି ହେଉଛି। ଦେଶୀ ପୋଟଳ କିଲୋ ପ୍ରତି ଦର ୬୦ରୁ ୭୦ ଟଙ୍କା ରହିଛି। ସେହିପରି ବିନ୍ ଛୁଇଁ କିଲୋ ପ୍ରତି ଦର ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି।

ରାଜଧାନୀରେ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଆଳୁ କିଲୋ ଅତି ବେଶିରେ ୨୦ ଟଙ୍କା ଥିଲା ଓ ପିଆଜ ୧୫ ଟଙ୍କାରେ ମିଳୁଥିଲା। କିନ୍ତୁ ଏବେ ଆଳୁ ଓ ପିଆଜ ଉଭୟର ଦର ୩୫ ଟଙ୍କାରେ ପହଞ୍ଚିଯାଇଛି। ସେହିଭଳି ପରିବା ଦର ମଧ୍ୟ ବେଶ୍ ଶସ୍ତା ଥିଲା। ବାଇଗଣ କିଲୋ ୧୫/୨୦ ଟଙ୍କାରେ ମିଳୁଥିବାବେଳେ ଭେଣ୍ଡି, ଜହ୍ନି ଭଳି ପରିବା ଦର କିଲୋ ପିଛା ୨୦ ଟଙ୍କା ତଳକୁ ଥିଲା। ଏମିତିକି ବଜାରରେ ଦେଶୀ ପୋଟଳ ମଧ୍ୟ କିଲୋ ୩୦/୪୦ ଟଙ୍କାରେ ମିଳୁଥିଲା। ମାତ୍ର ଅଗଷ୍ଟ ଶେଷ ସପ୍ତାହରେ ପ୍ରବଳ ବର୍ଷା ଓ ସେପ୍ଟେମ୍ବର ମାସରେ ବନ୍ୟା ଉପକୂଳ ଓଡ଼ିଶାରେ ପରିବା ଚାଷକୁ ଖିନ୍‌ଭିନ୍‌ କଲା। ଫଳରେ ବିଲ ବାଡ଼ିରେ ପରିବା ଚାଷ ପଚିସଢ଼ି ନଷ୍ଟ ହୋଇଗଲା ଓ ଏଥିପାଇଁ ପରିବା ଦର ହଠାତ୍ ଆକାଶଛୁଆଁ ହେଲା। ଏବେ ବଜାରରେ ପୋଟଳ ୯୦ ଟଙ୍କା, ଟମାଟ ୮୦ ଟଙ୍କା ବିନ୍‌ସ ୧୦୦ ଟଙ୍କା, କାଙ୍କଡ଼ ୫୦/୬୦ ଟଙ୍କା, ଭେଣ୍ଡି ଓ ଜହ୍ନି ୫୦ ଟଙ୍କା ଦରରେ ବିକ୍ରି ହେଉଛି। ତେବେ ବାଇଗଣ ଦର ଗତ ଦୁଇ ଦିନ ହେଲା ସାମାନ୍ୟ ହ୍ରାସ ପାଇଛି ଓ କିଲୋ ପିଛା ୩୦/୪୦ ଟଙ୍କା ହୋଇଛି।

ଅନ୍ୟପକ୍ଷରେ ଏହି ସମୟରେ ହିଁ ଆଳୁ ଓ ପିଆଜ ଦର ବୃଦ୍ଧି ପାଇଥାଏ ବୋଲି ବ୍ୟବସାୟୀମାନେ କହିଛନ୍ତି। ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଆଳୁ କେବଳ ଗୋଦାମରୁ ହିଁ ବଜାରକୁ ଆସିଥାଏ। ଚାଷୀମାନଙ୍କ ପାଖରେ ଆଳୁ ନଥାଏ। ତେଣୁ ପଶ୍ଚିମବଙ୍ଗ ଶୀତଳଭଣ୍ଡାରରେ ମହଜୁଦ୍‌ ରଖିଥିବା ବ୍ୟବସାୟୀମାନେ ଉଚ୍ଚା ଦରରେ ବଜାରକୁ ଛାଡ଼ନ୍ତି। ଅନୁରୂପଭାବେ ପିଆଜ ଦର ମଧ୍ୟ ବୃଦ୍ଧି ପାଇଛି। ତେଣୁ ରବିଋତୁର ଆଳୁ ଓ ପିଆଜ ଅମଳ ହେବା ପର୍ୟ୍ୟନ୍ତ ଅର୍ଥାତ୍ ଅକ୍ଟୋବର ମାସ ଶେଷ ସପ୍ତାହ ପୂର୍ବରୁ ଏହି ଦୁଇ ସାମଗ୍ରୀର ଦର ହ୍ରାସ ସମ୍ଭାବନା ନାହିଁ।

ପରିବା ଦର ବୃଦ୍ଧିକୁ ଏବେ ବଳେଇ ଗଲାଣି ଡାଲି ତେଲ ଦର। ହରଡ଼ ଡାଲି ୧୦୦ ଟଙ୍କା ଟପି ଯାଇଥିବାବେଳେ ସୋରିଷ ତେଲ ଲିଟର ୧୪୦ ଟଙ୍କା ରିଫାଇନ୍‌ ତେଲ ଲିଟର ୧୨୦/୧୨୫ ଟଙ୍କା ହୋଇଗଲାଣି। ବ୍ୟବସାୟୀମାନଙ୍କ ସୂଚନାନୁସାରେ ଏବେ କମ୍ପାନିଗୁଡ଼ିକରେ ଉତ୍ପାଦନ ହ୍ରାସ ଓ ‌ପେଟ୍ରୋଲ, ଡିଜେଲର ବର୍ଦ୍ଧିତ ଦର ପାଇଁ ପରିବହନ ଖର୍ଚ୍ଚ ବଢ଼ୁଥିବାରୁ ଏହି ସବୁ ସାମଗ୍ରୀର ବଜାର ଦର ବଢ଼ୁଛି। ତେବେ ବଜାରର ମାନ୍ଦାବସ୍ଥା ଏଥିପାଇଁ ଅନ୍ୟତମ କାରଣ ବୋଲି ସେମାନେ କହିଛନ୍ତି।



from Kanak News https://ift.tt/3ktD0ak https://ift.tt/3cdEKBz
ପରିବା ବଜାରରେ ନିଆଁ : ଦର ବଢ଼ିଲାଣି ଦୁଇ ଗୁଣରୁ ଅଧିକ, ଆଳୁ, ପିଆଜ, ଟମାଟୋ ଦର ଆକାଶଛୁଆଁ Kanak News ପରିବା ବଜାରରେ ନିଆଁ : ଦର ବଢ଼ିଲାଣି ଦୁଇ ଗୁଣରୁ ଅଧିକ, ଆଳୁ, ପିଆଜ, ଟମାଟୋ ଦର ଆକାଶଛୁଆଁ Kanak News Reviewed by SUBHENDU BARAL on September 18, 2020 Rating: 5

No comments:

Powered by Blogger.