ଦେଶରେ କରୋନା ବେଗରେ ଲାଗୁନି ବ୍ରେକ: ପୁଣି ଗୋଟିଏ ଦିନରେ ୯୦ ହଜାରରୁ ଅଧିକ ସଂକ୍ରମଣ ନେଇ ୱାଲଡୋମିଟରର ତଥ୍ୟ; ବ୍ରାଜିଲକୁ ଟପି ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ଦ୍ୱିତୀୟରେ ପହଂଚିଲା ଭାରତ Kanak News
କନକ ବ୍ୟୁରୋ: ଦେଶରେ କରୋନାର ବେଗରେ ବ୍ରେକ ଲାଗିବାର ନାଁ ନେଉନାହିଁ । ୱାଲଡୋମିଟରର ତଥ୍ୟ ଅନୁସାରେ ଦେଶରେ ୪୨ ଲକ୍ଷ ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ସର୍ବାଧିକ ସଂକ୍ରମିତ ତାଲିକାରେ ବ୍ରାଜିଲକୁ ହଟାଇ ଦ୍ୱିତୀୟ ସ୍ଥାନରେ ପହଂଚିଛି ଭାରତ । ଦେଶରେ ଗତ ୨୪ ଘଂଟାରେ ପୁଣି ୯୧ ହଜାର ୭୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୱାଲର୍ଡୋମିଟର କହିଛି । ସେପଟେ ଟାଇମ୍ସ ଅଫ ଇଣ୍ଡିଆର ତଥ୍ୟ ଅନୁସାରେ ଏହି ସଂଖ୍ୟା ୯୪ ହଜାର ରହିଛି । ସଂକ୍ରମଣର ଏହା ନୂଆ ରେକର୍ଡ । ଏହାସହ ଗୋଟିଏ ଦିନରେ ପୁଣି ପ୍ରାୟ ଏକ ହଜାର ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଦେଶରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୭୧ ହଜାର ୬ଶହକୁ ଟପିଛି ।
ଦେଶରେ ଏଯାଏଁ ମୋଟ୍ ୩୨ ଲକ୍ଷ ୪୭ ହଜାର ସୁସ୍ଥ ହୋଇସାରିଥିବା ବେଳେ ୮ ଲକ୍ଷ ୮୩ ହଜାର ସକ୍ରିୟ ସଂକ୍ରମିିତ ରହିଛନ୍ତି । ୱାର୍ଲଡୋ ମିଟରର ତଥ୍ୟ ଅନୁସାରେ ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ବ୍ରାଜିଲକୁ ହଟାଇ ଦ୍ୱିତୀୟ ସ୍ଥାନରେ ପହଂଚିଛି । କରୋନା ଆକ୍ରାନ୍ତ ତାଲିକାରେ ଭାରତ ଉପରେ ଏବେ କେବଳ ଆମେରିକା ରହିଛି । ପୂର୍ବରୁ ଭାରତ ସକ୍ରିୟ ସଂକ୍ରମିତ ତାଲିକାରେ ବିଶ୍ୱର ଦ୍ୱିତୀୟ ଥିବା ବେଳେ ଏବେ ପଜିଟିଭ ମାମଲାରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ପହଂଚିଛି । ବ୍ରାଜିଲରେ ଏବେ ମୋଟ୍ ୪୧ ଲକ୍ଷ ୩୭ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଲକ୍ଷ ୯୩ ହଜାର ସକ୍ରିୟ ସଂକ୍ରମିତ ରହିଛନ୍ତି ।
ସେହିପରି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଆମେରିକାରେ ପଜିଟିଭ ସଂଖ୍ୟା ୬୪ଲକ୍ଷ ୫୭ ହଜାର ୪୪୬ ରହିଛି । ଆମେରିକାରେ କରୋନା ୧ଲକ୍ଷ ୯୩ ହଜାର ୨୦୬ ମୁଣ୍ଡ ନେଇଥିବା ବେଳେ ବ୍ରାଜିଲରେ ମହାମାରୀ ଭୁତାଣୁରେ ୧ଲକ୍ଷ ୨୬ ହଜାର ୬୫୦ ଜଣଙ୍କ ଜୀବନ ଯାଇଛି । କରୋନା ଜନିତ ମୃତ୍ୟୁରେ ତୃତୀୟ ସ୍ଥାନରେ ରହିଛି ଭାରତ । ସେପଟେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣ କମିବାକୁ ଆଉ କିଛି ସମୟ ଲାଗିବ । ଏବେ ଦେଶରେ କରୋନାର ଦ୍ୱିତୀୟ ୱେଭ ଦେଖାଦେଇଛି । ତେଣୁ ଏହି ସମୟରେ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
from Kanak News https://ift.tt/35bDopn https://ift.tt/3knyw5X
No comments: