ଅମାନିଆଙ୍କୁ ଲାଗିବ ବ୍ରେକ୍ : କଠୋର ହେବ ଦଣ୍ଡବିଧାନ, ବୁଧବାରଠୁ କଡାକଡି ଯାଞ୍ଚ

ଭୁବନେଶ୍ୱର ୦୮।୦୯: କରୋନା ସ୍ଥିତି ସଙ୍ଗୀନ ରହିଛି । ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହୋଇଚାଲିଛି । ଖାସ୍‌ କରି ଖୋର୍ଦ୍ଧା , କଟକ ଜିଲ୍ଲା ପରି କେତେକ ଉପକୂଳ ଜିଲ୍ଲାରେ ବଢୁଛି ସଂକ୍ରମଣ ସଂଖ୍ୟା । ଖାସ୍‌ କରି ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଥିବାର ଜଣାପଡିଛି ।ତେବେ ସେହି ଅମାନିଆଙ୍କ ପ୍ରତି କଠୋର ମନୋଭାବ ଦେଖାଇଛନ୍ତି ରାଜ୍ୟ ସରକାର । ଏଣିକି ବିନା କାମରେ ବାହାରେ ବୁଲିବା ଓ କୋଭିଡ଼ କଟକଣା ନମାନିବା ପଡିବ ମହଙ୍ଗା ।

ଅମାନିଆ ସାବଧାନ! ପଦାକୁ ବାହାରିବାବେଳେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ । ଛକ ବଜାରରେ ଖଟି ଜମାନ୍ତୁ ନାହିଁ । ଅଯଥାରେ ଭିଡ଼ କରନ୍ତୁ ନାହିଁ । ପରସ୍ପରଠାରୁ ଦୂରତା ରକ୍ଷା କରନ୍ତୁ । ନହେଲେ ଆଉ ଛାଡ୍‌ ମିଳିବନି । ବୁଧବାରଠାରୁ ଅମାନିଆଙ୍କ ବରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଟିକିଏ ନିୟମ ଖିଲାପ କଲେ ଧରିବେ ପୁଲିସ ଓ ସ୍ଥାନୀୟ ପ୍ରଶାସନ । କଠୋର ଦଣ୍ଡବିଧାନ ହେବ ଅମାନିଆଙ୍କ ବିରୋଧରେ । ଏ ନେଇ ସତର୍କ କରାଇ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ।

ଏସ୍‌ଆରସି ଶ୍ରୀ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସେପ୍ଟେମ୍ବର ମାସରୁ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ କଟକଣା କୋହଳ କରାଯାଇଛି । ଏହାର ଅର୍ଥ ନୁହେଁ, କରୋନା ପଳାଇଲା। ଯେପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଭ୍ୟାକସିନ୍‌ ଆସିନାହିଁ । ସେପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ । ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ହେଲେ ଦେଖିବାକୁ ମିଳୁଛି, କିଛି ଅମାନିଆ ଲକ୍‌ଡାଉନ୍‌ କୋହଳ ପରେ ଗାଡ଼ି ଧରି ସହର ବଜାର ଚକ୍କର କାଟୁଛନ୍ତି । ଦୋକାନ ବଜାରରେ ଖଟି ଜମାଉଛନ୍ତି । ଗୁପଚୁପ ଓ ଜଳଖିଆ ଦୋକାନରେ ଅଯଥାରେ ଭିଡ଼ କରୁଛନ୍ତି । ଅନେକ ଦୋକାନୀ ବି ମାସ୍କ ପିନ୍ଧୁନାହାନ୍ତି । ଲକଡାଉନ ହଟିବା ପରେ ହାଟ ବଜାରରେ ସନ୍ଧ୍ୟାବେଳା ପ୍ରବଳ ଭିଡ଼ ଜମୁଛି ।

ଅନେକ ସାମାଜିକ ଦୂରତା ନିୟମ ମାନୁନାହାନ୍ତି । ଏଭଳି କରିବା ଅର୍ଥ ଘରକୁ କରୋନାକୁ ନିମନ୍ତ୍ରଣ କରିବା ସହ ସମାନ । ଏମିତି କରି ନିଜ ପରିବାର ଓ ସମ୍ପର୍କୀୟଙ୍କ ପାଇଁ ବିପଦ ଡାକି ଆଣୁଛନ୍ତି । ନିଜ ଘରେ ଥିବା ଡାଇବେଟିସ ରୋଗୀ, କିଡ୍‌ନି ରୋଗୀ, ହୃଦ୍‌ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି । କେବଳ ସରକାର କିମ୍ବା ପ୍ରଶାସନ ଚାହିଁଲେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ ।ଏଥିପାଇଁ ସାଧାରଣ ଜନତାଙ୍କ ସହଯୋଗ ନିହାତି ଆବଶ୍ୟକ। ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ସଂଖ୍ୟକ କୋଭିଡ୍‌ କେୟାର ସେଣ୍ଟର, କୋଭିଡ୍‌ ହସ୍ପିଟାଲ, କୋଭିଡ୍‌ କେୟାର ହୋମ୍‌ ଆଦି କରାଯାଇଛି। ମାତ୍ର ସଂକ୍ରମଣ ରୋକିବାକୁ ହେଲେ ସାଧାରଣ ଲୋକଙ୍କର ବ୍ୟବହାର ଓ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ।

ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁ ଦେଶ ଓ ରାଜ୍ୟର ଅର୍ଥନୀତି ବିଶେଷ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଜୀବନ ଓ ଜୀବିକାର ସନ୍ତୁଳନ ପାଇଁ ଲୋକଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ। କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ପରିବାରର ମୁରବୀମାନେ ନିଜ ପରିବାର ସଦସ୍ୟଙ୍କୁ ଅଯଥାରେ ବାହାରେ ବୁଲିବା ନେଇ ଆକଟ କରିବା ଉଚିତ୍‌।

କଟକ ଓ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଲକଡାଉନ ହଟିବା ପରେ ଏ ଦୁଇ ସହରର ଶନିବାର ଓ ରବିବାର ସନ୍ଧ୍ୟାର ସ୍ଥିତି ଉପରେ ଆମେ ଅନୁଧ୍ୟାନ କରିଥିଲୁ। ସବୁ ରାସ୍ତାଘାଟ ଓ ଛକ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହା ଆଦୌ ଠିକ୍‌ ନୁହେଁ। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତଙ୍କୁ ନିୟମ ମାନିବାକୁ ପଡ଼ିବ। କୋଭିଡ୍‌ କଟକଣା ନିୟମାବଳୀକୁ ଉଲ୍ଲଘଂନ କଲେ ଆଉ ବରଦାସ୍ତ କରାଯିବନି । ଆସନ୍ତା ବୁଧବାରଠାରୁ ସାରା ରାଜ୍ୟରେ କଡ଼ାକଡ଼ି ଯାଞ୍ଚ ହେବ। କଠୋର ଦଣ୍ଡାବିଧାନ ବି କରାଯିବ।



from Prameya News7 https://ift.tt/325Bwwu
ଅମାନିଆଙ୍କୁ ଲାଗିବ ବ୍ରେକ୍ : କଠୋର ହେବ ଦଣ୍ଡବିଧାନ, ବୁଧବାରଠୁ କଡାକଡି ଯାଞ୍ଚ ଅମାନିଆଙ୍କୁ ଲାଗିବ ବ୍ରେକ୍ : କଠୋର ହେବ ଦଣ୍ଡବିଧାନ, ବୁଧବାରଠୁ କଡାକଡି ଯାଞ୍ଚ Reviewed by SUBHENDU BARAL on September 07, 2020 Rating: 5

No comments:

Powered by Blogger.