ଜଗତସିଂହପୁର ୦୩।୦୯: ମାଆକୁ ମହଙ୍ଗା ପଡ଼ିଲା ପୁଅକୁ ଆକଟ କରିବା । ଜନ୍ମଦାତ୍ରୀ ମାଆକୁ ପୁଅ ଭୁଜାଲିରେ ହାଣି ହତ୍ୟା କରିଛି । ପୁଅର ଭୁଜାଲି ଆକ୍ରମଣରେ ମାଆର ମୃତ୍ୟୁ ହୋଇଛି । ଏପରି ଅଭାନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଚାନ୍ଦପୁର ଗାଁରେ । ମୃତ ମାଆ ଚାନ୍ଦପୁର ଗାଁ ର କଲ୍ୟାଣୀ ଦାସ।
ସୂଚନାଯୋଗ୍ୟ ଯେ, ନିତ୍ୟାନନ୍ଦ ସନ୍ଧ୍ୟାରେ ଗାଁର ଏକ ଯୁବକଙ୍କ ସହିତ ପାଟିତୁଣ୍ଡ କରିବା ସହ ତାକୁ ଭୁଜାଲିରେ ଆକ୍ରମଣ କରିଥିଲା । ଫଳରେ ଆହତ ଯୁବକ ଏବାବଦରେ ରଘୁନାଥପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ନିତ୍ୟାନନ୍ଦକୁ ପଚରାଉଚରା କରୁଥିବା ବେଳେ ନିତ୍ୟାନନ୍ଦର ମାଆ ଘଟଣା ସ୍ଥଳରେ ପହଞ୍ଚି ପୁଅକୁ ଆକଟ କରିବା ସହ ତାର କାର୍ଯ୍ୟକଳାପକୁ ବିରୋଧ କରିଥିଲେ । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ପୁଅ ନିତ୍ୟାନନ୍ଦ ନିଜର ମାଆକୁ ପୋଲିସ ଉପସ୍ଥିତିରେ ଭୁଜାଲିରେ ଭୁଷି ରକ୍ତାକ୍ତ କରିଥିଲା ।
ଗୁରୁତର ଅବସ୍ଥାରେ ଆହତ ମାଆକୁ ରଘୁନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ଛାତ ଉପରେ ଭୁଜାଲି ଧରି ଲୁଚିଥିବା ବେଳେ ପୋଲିସ ତାକୁ କାବୁ କରିବା ପାଇଁ ଦୀର୍ଘ ଏକ ଘଣ୍ଟା କାଳ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ପରେ ପୋଲିସ ସ୍ଥାନୀୟ ଅଗ୍ନିଶମ ବାହିନୀର ସହାୟତାରେ ଛାତ ଉପରକୁ ସିଡ଼ି ଲଗାଯାଇ ହତ୍ୟାକାରୀକୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
from Prameya News7 https://ift.tt/2QPXRbe
No comments: