କନକ ବ୍ୟୁରୋ : ଗତ ଅଗଷ୍ଟରେ ରାଜ୍ୟ ଜିଏସ୍ଟି (ଏସ୍ଜିଏସ୍ଟି) ଭାବେ ୬୮୬.୧୫ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଅଗଷ୍ଟ ତୁଳନାରେ ଏହା ୧.୭୬ ପ୍ରତିଶତ (୧୨ କୋଟି ଟଙ୍କା) କମ୍। ଚଳିତ ବର୍ଷ ଜୁନ୍ ଓ ଜୁଲାଇ ତୁଳନାରେ ମଧ୍ୟ ଅଗଷ୍ଟରେ କମ୍ ରାଜ୍ୟ ଜିଏସ୍ଟି ଆଦାୟ କରାଯାଇଛି। ଜୁନ୍ ଓ ଜୁଲାଇରେ ଆଦାୟ ରାଶି ପରିମାଣ ଯଥାକ୍ରମେ ୭୫୯.୧୭ କୋଟି ଟଙ୍କା ଓ ୭୯୪.୦୨ କୋଟି ଟଙ୍କା ଥିଲା। ରିଟର୍ଣ୍ଣ ଫାଇଲିଂ ଲାଗି ଟିକସଦାତାମାନଙ୍କୁ ଅଧିକ ସମୟ ଦିଆଯାଇଥିବାରୁ ଉଭୟ ଜୁଲାଇ ଓ ଅଗଷ୍ଟ ମାସରେ ଆଦାୟ ସାମାନ୍ୟ ହ୍ରାସ ପାଇଛି ।
ଅଗଷ୍ଟ ମାସରେ ରାଜ୍ୟ ଜିଏସ୍ଟି (୬୮୬.୧୫ କୋଟି ଟଙ୍କା), କେନ୍ଦ୍ରୀୟ ଜିଏସ୍ଟି (୫୩୮.୯୧ କୋଟି ଟଙ୍କା), ସମନ୍ବିତ ଜିଏସ୍ଟି (୬୩୦.୧୪ କୋଟି ଟଙ୍କା) ଓ ସେସ୍ (୪୯୩.୦୮ କୋଟି ଟଙ୍କା) ଭାବେ ମୋଟ୍ ୨୩୪୮.୨୮ କୋଟି ଟଙ୍କା ଆଦାୟ ହୋଇଛି। ରାଜ୍ୟ ବାଣିଜ୍ୟ କର ଓ ଜିଏସ୍ଟି କମିସନର ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଅଗଷ୍ଟରେ କେନ୍ଦ୍ରୀୟ ଜିଏସ୍ଟି (ସିଜିଏସ୍ଟି) ଓ ସେସ୍ ଆଦାୟରେ ଯଥାକ୍ରମେ ୦.୭ ପ୍ରତିଶତ ଓ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ସିଜିଏସ୍ଟି ବାବଦରେ ୫୩୮.୯୧ କୋଟି ଟଙ୍କା ଓ ୪୯୩.୦୮ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି। ଗତବର୍ଷ ଅଗଷ୍ଟରେ ୫୩୪.୬୮ କୋଟି ଟଙ୍କାର ସିଜିଏସ୍ଟି ଓ ୪୪୮.୯୧ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି। ଅଗଷ୍ଟରେ ୬୩୦.୧୪ କୋଟି ଟଙ୍କାର ସମନ୍ବିତ ଜିଏସ୍ଟି ଆଦାୟ ହୋଇଛି ଯାହା ଗତବର୍ଷ ୮୧୫.୧୭ କୋଟି ଟଙ୍କା ତୁଳନାରେ ୨୨.୭୦ ପ୍ରତିଶତ କମ୍।
ପେଟ୍ରୋଲିୟମ୍ ସାମଗ୍ରୀ ଉପରେ ଲଗାଯାଇଥିବା ଭାଟ୍ ଆକାରରେ ଜୁଲାଇ ଓ ଅଗଷ୍ଟରେ ରାଜ୍ୟରେ ଯଥାକ୍ରମେ ୫୨୧.୪୭ କୋଟି ଟଙ୍କା ଓ ୫୬୮.୭୮ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଜୁଲାଇରେ ୫୦୯.୦୩ କୋଟି ଟଙ୍କା ଓ ଅଗଷ୍ଟରେ ୪୯୧.୦୨ କୋଟି ଟଙ୍କା ଆଦାୟ ହୋଇଛି। ଉଭୟ ମାସରେ ଗତବର୍ଷ ତୁଳନାରେ ଅଧିକ ଭାଟ୍ ଆଦାୟ ହୋଇଛି। ଉଭୟ ରାଜ୍ୟ ଭିତର ଓ ବାହାର ପାଇଁ ଜାରି କରାଯାଇଥିବା ୱେବିଲ୍ ସଂଖ୍ୟା ମଧ୍ୟ ଯଥାକ୍ରମେ ୧୯,୬୫୮ ଓ ୧୫,୩୨୦କୁ ବୃଦ୍ଧି ପାଇଛି। ଗତ ଏପ୍ରିଲ୍ରୁ ଅଗଷ୍ଟ ଭିତରେ ୧୨ଳ୨୭୬ ନୂଆ ଟିକସଦାତା ପଞ୍ଜୀକୃତ ହୋଇଛନ୍ତି। ଯେଉଁ ସବୁ ସ୍ଥାନରେ ଟିକସ ଲିକ୍ ହେଉଛି ତାହାକୁ ରୋକିବା ଲାଗି ରାଜ୍ୟ ବାଣିଜ୍ୟ କର ଓ ଜିଏସ୍ଟି କମିସନର ଏସ୍ କେ ଲୋହାନି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଟିକସଦାତାଙ୍କ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ମଧ୍ୟ ଅଧିକାରୀମାନଙ୍କୁ କହିଛନ୍ତି।
from Kanak News https://ift.tt/2GsCTNH https://ift.tt/32TJTKO
No comments: