ଭୁବନେଶ୍ୱର ୧୦।୦୯: ଦିନ ଗଡିବା ସହ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ରହସ୍ୟ ଅଧିକ ଘନୀଭୂତ ହେଉଛି । ମୃତ୍ୟୁକୁ ୨ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିଲାନାହିଁ କି ଘଟଣା ହତ୍ୟା ନା ଆତ୍ମହତ୍ୟା । ତଦନ୍ତ ଜିଆର୍ପି ଠାରୁ ଯାଇ କ୍ରାଇମବ୍ରାଞ୍ଚ ପାଖକୁ ଗଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଆର୍ପି ପରି କ୍ରାଇମ୍ବ୍ରାଞ୍ଚର ହାତ ଖାଲି । ପ୍ରତିଦିନ ଘଟଣାରେ ନୂଆ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ପ୍ରତିଦିନ ଆରୋପ ଓ ପ୍ରତ୍ୟାରୋପ ଚାଲିଛି । କିନ୍ତୁ ରହସ୍ୟ ରହସ୍ୟ ପାଲଟିଛି । କେବେ ରହସ୍ୟ ଉପରୁ ଉଠିବ ପରଦା । ତେବେ ଏସବୁ ଭିତରେ ଏକ ରିପୋର୍ଟ ସାମ୍ନାକୁ ଆସିଛି ।
ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଭେଦିବାକୁ ଯାଇ ବାଉଳି ହେଉଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ ହାତରେ ଲାଗିଛି ସ୍ପଷ୍ଟ ତଥ୍ୟ । ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ସହଯୋଗୀ ପପୁ, ବିକାଶ ଓ ଦୀପକଙ୍କର କିଛି ଦିନ ତଳେ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଏବେ ସେହି ଲାଏ ଡିଟେକ୍ସନ ଟେଷ୍ଟର ରିପୋର୍ଟ ଆସିଛି । ଟେଷ୍ଟରେ ପଚରା ଯାଇଥିବା ପ୍ରାୟ ସବୁ ପ୍ରଶ୍ନରେ ସାକ୍ଷ୍ୟମାନେ ସତ କହିଥିବା ସୂଚନା ମିଳିଛି ।
ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବନ୍ଧୁ ଦେଇଥିବା ବୟାନ ସହ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ମେଳ ଖାଉଛି । ତଦନ୍ତ ବେଳେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବନ୍ଧୁମାନେ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନରେ ତାଳମେଳ ରହୁନଥିଲା । ତେଣୁ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରରେ ମିଥ୍ୟା ଅନୁସନ୍ଧାନ ବିଭାଗରେ ୪ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଗତ ୨୭ ଓ ୨୮ ତାରିଖରେ କରାଯାଇଥିଲା । ଯାହାର ରିପୋର୍ଟ ଆସିଛି ।
from Prameya News7 https://ift.tt/2ZlvmXy
No comments: