ଆଜି ପବିତ୍ର ସ୍ନାନଯାତ୍ରା । ୧୦୮ ସୁନା କଳସରେ ପାଣି ଆସିବ। ସ୍ନାନବେଦି ଉପରେ ବସି ମହାପ୍ରଭୁ କରିବେ ମହାସ୍ନାନ। ଏହି ଦିବ୍ୟ ଦୃଶ୍ୟ ଦେଖି ଭକ୍ତ ହେବେ ବିଭୋର। ମହାପ୍ରଭୁଙ୍କର ଏଇ ନୀତିକାନ୍ତି ଯେତେ ବୁଝିଲେ ବି ଅବୁଝା ଲାଗେ। ଯେତେ ଶୁଣିଲେ ବି ନୂଆ ଲାଗେ।
ଆସନ୍ତୁ ଜାଣିବା, ସ୍ନାନଯାତ୍ରାରେ ମହାପ୍ରଭୁଙ୍କର ହେଉଥିବା କେତେକ ନୀତିକାନ୍ତି ବିଷୟରେ।
-ଆଜି ତ ଠାକୁର କରିବେ ମହାସ୍ନାନ। ୧୦୮ କଳସ ସୁବାସିତ ଜଳରେ ଗଧୋଇବେ। ତେବେ ବର୍ଷଯାକ କେମିତି ଗାଧାନ୍ତି ଦିଅଁ ?
ପ୍ରତିଦିନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ର ଓ ସୁଦର୍ଶନ ଆଦି ବିଗ୍ରହମାନଙ୍କୁ ସାକ୍ଷାତ ସ୍ନାନ ବା ଦେହରେ ଗାଧୋଇ ଦିଆଯାଏ ନାହିଁ। ଏକ ଦର୍ପଣ ସମ୍ମୁଖରେ ରଖି ବର୍ଷ ତମାମ ଦର୍ପଣୀ ସ୍ନାନ କରାଯାଉଥିବା ବେଳେ ବର୍ଷକୁ ଥରେ ଆଜିର ଦିନରେ ସାକ୍ଷାତ ସ୍ନାନ କରାଯାଏ।
-ସ୍ନାନଯାତ୍ରା କ’ଣ ?
-କଥାରେ ଅଛି ଏହି ଦିନ ମହାପ୍ରଭୁଙ୍କ ଜନ୍ମୋତ୍ସବ। ଏଣୁ ତାଙ୍କୁ ସାକ୍ଷାତ ସ୍ନାନ କରାଇବାର ପାରମ୍ପରିକ ବିଧି ରହିଛି।
-ବୁଦ୍ଧଦେବଙ୍କ ସହ ସ୍ନାନଯାତ୍ରାର ସମ୍ପର୍କ ରହିଛି କି ?
ଭଗବାନ ବୁଦ୍ଧଙ୍କ ଉପରେ ଗବେଷଣା କରୁଥିବା କିଛି ଗବେଷଣ ମହାପ୍ରଭୁଙ୍କ ହାତୀ ବେଶକୁ ବୁଦ୍ଧଙ୍କ ଜନ୍ମ ସହ ମଧ୍ୟ ଯୋଡନ୍ତି। ସେମାନଙ୍କ ମତରେ ଗୌତମ ବୁଦ୍ଧଙ୍କ ମା’ ବୁଦ୍ଧଙ୍କ ଜନ୍ମ ପୂର୍ବରୁ ଧଳା ହାତୀର ସ୍ୱପ୍ନ ଦେଖିଥିଲେ । ଯାହାର ସ୍ମାରକୀ ହେଉଛି ହାତୀ ବେଶ। ମାତ୍ର ଏହି ମତକୁ ସମସ୍ତେ ଗ୍ରହଣ କରନ୍ତି ନାହିଁ।
-୧୦୮ ଗଡୁ ଜଳରୁ କାହା ଭାଗ କେତେ
- ସ୍ନାନ ମଣ୍ଡପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଗାଧୋଇବା ପାଇଁ ୧୦୮ ଗରା ସୁବାସିତ ଜଳ ବ୍ୟବହାର କରାଯାଏ।
- ଯେଉଁଥିରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ୩୫ ଗରା, ବଳଭଦ୍ରଙ୍କୁ ୩୩ ଗରା, ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କ ସ୍ନାନ ପାଇଁ ୧୮ ଗରା ବ୍ୟବହାର ହୁଏ ।
-କେଉଁଠି ଅଛି ସୁନାକୂଅ
ସୁନାକୂଅ ଶ୍ରୀମନ୍ଦିରର ଏକ ପବିତ୍ରତମ ସ୍ଥାନ। ଯାହାର ଜଳ କେବଳ ସ୍ନାନବେଦୀରେ ମହାପ୍ରଭୁଙ୍କ ମହାସ୍ନାନ ପାଇଁ ବ୍ୟବହାର ହୁଏ। ଏହି କୂଅ ଶ୍ରୀମନ୍ଦିର ବେଢାରେ ଥିବା ମା’ ଶୀତଳାଙ୍କ ମନ୍ଦିର ପରିସରରେ ରହିଛି। ଯାହାର ଜଳ ସ୍ନାନ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ ଅଣାଯାଇ ଭୋଗମଣ୍ଡପ ଘରେ ଅଧିବାସ କରି ରଖାଯାଇଥାଏ। ଏଥିରେ ଚୁଆ, ଚନ୍ଦନ, କର୍ପୁର ଆଦି ସୁବାଶିତ ଦ୍ରବ୍ୟ ମିଶାଇ ରଖାଯାଇଥାଏ।
-ଛେକ କ’ଣ ?
ପୂର୍ବଦିନ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ଜଳକୁ କ୍ରମାନ୍ୱୟରେ ସ୍ନାନବେଦିକୁ ଆଣି ରଖିବା ପ୍ରକ୍ରିୟାକୁ ଜଳଛେକ କୁହାଯାଏ। ଏପରିକି ଏହିଦିନ ନୂଆ କରି ସେବା ଆରମ୍ଭ କରୁଥିବା ସେବକ ମହାପ୍ରଭୁଙ୍କ ପାଇଁ ଅନ୍ନ ଛେକ ମଧ୍ୟ ଆଣି ସେବା ଆରମ୍ଭ କରିଥାନ୍ତି।
-ଭକ୍ତଟିଏ ପାଇଁ ଗଜାନନ ବେଶ
ଜଗନ୍ନାଥ ମହାପ୍ରଭୁ ସ୍ନାନ ବେଦୀରେ ଥିବା ବେଳେ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି। ଏହାକୁ କେହି କେହି ହାତୀ ବେଶ ମଧ୍ୟ କୁହନ୍ତି। ଉଭୟ ଠିକ୍ ବୋଲି କୁହାଯାଇପାରେ। କିନ୍ତୁ ମହାରାଷ୍ଟ୍ରର ଜଣେ ଗାଣପତି ଭକ୍ତ ଗଣପତି ଭଟ୍ଟଙ୍କ ପାଇଁ ଏହି ବେଶରେ ମହାପ୍ରଭୁ ସଜ୍ଜିତ ହୁଅନ୍ତି ବୋଲି ମଧ୍ୟ ଆକ୍ଷାୟିକା ରହିଛି।
from OTV Khabar. https://ift.tt/3eT98S0
No comments: