ପୁରୀ: ଜନ୍ମବେଦୀ ଗୁଣ୍ଡିଚା ଘରେ ଶେଷ ହୋଇଯାଇଛି ମହାପ୍ରଭୁଙ୍କ ଲୀଳାଖେଳା । ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ । ମନ୍ଦିର ଭିତର ଭକ୍ତଶୂନ୍ୟ । ବାହାରେ କର୍ଫ୍ୟୁ । ତା’ ଭିତରେ ଗତକାଲି ବିନା ଭକ୍ତରେ ସମ୍ପନ୍ନ ହୋଇଥିଲା ସନ୍ଧ୍ୟା ଦର୍ଶନ । ଗତକାଲି ବିଳମ୍ବିତ ରାତିରେ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ, ସେନାପଟା ଲାଗି କରାଯାଇଥିଲା ।
ସକାଳୁ ମଙ୍ଗଳ ଆଳତି, ମଇଲମ, ଅବକାଶ, ବଲ୍ଲଭ, ସକାଳ ଧୂପରେ ଖେଚୁଡି ଖାଇ ବାହୁଡୁଛନ୍ତି ଜଗତପତି । ବାହୁଡ଼ାଯାତ୍ରାର ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳ ୮ଟାରେ ଆରମ୍ଭ ହବେ ପହଣ୍ଡି । ଦିନ ୧୦ଟାରେ ଶେଷ ହେବ ପହଣ୍ଡି । ତାପରେ ଛୋରା ପହରା ହେବ । ରଥଟଣା ଆରମ୍ଭ ହେବ ୧୨ଟାରେ ।
ବରିଷ୍ଠ ଦଇତାପତି ସେବକଙ୍କ କହିବା ଅନୁଯାୟୀ, ବାହୁଡ଼ା ଯାତ୍ରା ଦିନ ପୋଡପିଠା ଭୋଗ ଲାଗିଥାଏ ମାଉସୀ ମା’ ମନ୍ଦିରରେ । ମାଉସୀ ମା’ ଶ୍ରଦ୍ଧାରେ ତିଆରି କରି ରଖିଛନ୍ତି ପୋଡପିଠା ଜଗା, ବଳିଆ ଓ ସୁଭଦ୍ରାଙ୍କ ପାଇଁ । ବାହୁଡ଼ା ଯାତ୍ରା ପାଇଁ ରଥଯାତ୍ରା ଭଳ କୋଭିଡ କଟକଣା ଜାରି କରାଯାଇଛି । କର୍ଫ୍ୟୁ ଆଜି ରାତି ୧୦ଟାରୁ ୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ରହିବ । ୭୦ ପ୍ଲାଟୁନ ଫୋର୍ସ, ୪୦୦ ଅଫିସର ରହିବେ । ବଡଦାଣ୍ଡକୁ ସ୍ଥାନୀୟ ଲୋକ କେହି ଆସିବ ନାହିଁ ।
ପୁରୀ ସହର ସମେତ ପୁରୀ ଜିଲ୍ଲାରେ କର୍ଫ୍ୟୁ ରହିବ । ବାହୁଡ଼ା ଯାତ୍ରା ମଧ୍ୟ ବିନା ଭକ୍ତରେ ହେବ । ସେବାୟତ ରଥ ଟାଣିବେ । ତେବେ ଯେଉଁ ସେବାୟତମାନେ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ସେଇ ସେବାୟତମାନେ ହିଁ ରଥ ଟାଣିବେ । ଏଥିପାଇ ବଡଦାଣ୍ଡରେ ପାଣି ସିଞ୍ଚନ କରାଯିବ ।ଆମ୍ବୁଲାନ୍ସ ଚଳାଚଳ ପାଇଁ କିଛି ଅସୁବିଧା ନାହିଁ ।
The post ଆଜି ବାହୁଡ଼ା: ଶ୍ରୀମନ୍ଦିର ବାହୁଡିବାକୁ ଉଚ୍ଛନ ମହାବାହୁ appeared first on OTV Khabar..
from OTV Khabar. https://ift.tt/3eNqTlT
No comments: