ରାଜ୍ୟରେ ଆଉ ବଢିବନି ତାତି ! ଅଧିକାଂଶ ଜିଲ୍ଲାରେ ଲାଗି ରହିବ କାଳବୈଶାଖୀ ବର୍ଷା, ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡତୋଫାନ ଆଶଙ୍କା Kanak News

କନକ ବ୍ୟୁରୋ: ରାଜ୍ୟରେ ଗରମ ବଢ଼ିବ ନାହିଁ। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ଓଡ଼ିଶା‌ରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। କିନ୍ତୁ  କାଳବୈଶାଖୀ ବର୍ଷା ଆରମ୍ଭ ହେବା ସହ ପରେ ପ୍ରାକ୍‌ ମୌସୁମୀ ବର୍ଷା ହେବାକୁ ଯାଉଛି। ଏଣୁ ରାଜ୍ୟରେ ଗରମ ବଢ଼ିବାର ସମ୍ଭାବନା ନାହିଁ। ଏବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିବ। ଆସନ୍ତା ୩/୪ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ବଢ଼ିବନି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ରହିବ। ପରେ ଧୀରେଧୀରେ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞା‌ନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗି ରହିବ। ଏହି ସମୟରେ ପବନର ବେଗ ମଧ୍ୟ ୩୦ରୁ ୪୦କିମି ରହିବ। ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପ‌ାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉତ୍ତର ପଶ୍ଚିମ ଭାରତରୁ ଆଭ୍ୟନ୍ତରୀଣ ଓଡ଼ିଶାକୁ ଗରମ ପବନ ଆସୁଥିବାରୁ ଗରମ ଲାଗି ରହିଥିଲା। ଆଜି ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଉତ୍ତର ଆରବ ସାଗରରୁ ପବନ ଆସିବା ବେଳେ ଉପକୂଳରେ ଦକ୍ଷିଣ ଆଡ଼ୁ ବଙ୍ଗୋପସାଗରୀୟ ପବନ ଆସିବାର ଆକଳନ କରାଯାଇଛି। ଏଣୁ ଉପକୂଳରେ କାଳବୈଶାଖୀ ବର୍ଷା ଲାଗି ରହିବ। ଜୁନ୍‌ ୩ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀର ଦକ୍ଷିଣରେ ଥିବା ଉପକୂଳରେ ପାଗର ଅଧିକ ପରିବର୍ତ୍ତନ ହେବ। ୩୧ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣରେ ମେଘୁଆ ପାଗ ସହ କାଳବୈଶାଖୀ ବର୍ଷାର ସମ୍ଭାବନା ଅଛି। ତେଣୁ ସର୍ବାଧିକ ତାପମାତ୍ରା ବିଶେଷ କମିବ। ୩୧ରୁ ୩ ଭିତରେ ଗଜପତି, ଆଭ୍ୟନ୍ତରୀଣ ଗଞ୍ଜାମ, ମାଲ୍‌କାନାଗିରି, କଳାହାଣ୍ଡି, ସୋନପୁର ଓ ବଲାଙ୍ଗୀରରେ ତାପମାତ୍ରା ଅପେକ୍ଷାକୃତ ଅଧିକ କମିବ।

୩୧ ସୁଦ୍ଧା ଉତ୍ତର ଓଡ଼ିଶାରେ ତାପମାତ୍ରା କମିଲେ ମଧ୍ୟ ୪୧ ଡିଗ୍ରିରୁ ଅଧିକ ରହିବ ଏବଂ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୩୧ ତାରିଖ ପରେ ୪୦ ଡିଗ୍ରି ତଳକୁ ପାରଦ ଖସିବାର ସମ୍ଭାବନା ରହିଛି। ପୂର୍ବ ଆକଳନ ଅନୁଯାୟୀ, ବୁଧବାରରୁ ଦକ୍ଷିଣ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର ଆଡ଼କୁ ଗତି କରି ୩୦ ତାରିଖରେ ଅଧିକ ହୋଇ ଲଘୁଚାପ ଓ ତା’ରେ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି। ତେବେ ଏହା ୨ ତାରିଖରେ ୟେମେନ୍‌ କିମ୍ବା ଓମାନ୍‌ରେ ପହଞ୍ଚିବ। ୩୧ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ କେରଳ ଉପକୂଳରୁ ଦୂରରେ ଆରବ ସାଗରରେ ସୃଷ୍ଟି ହେବ। ଏହା ଉତ୍ତର ଆଡ଼କୁ କ୍ରମଶଃ ଘନୀଭୂତ ହୋଇ ୫ତାରିଖରେ ମୁମ୍ବାଇରୁ ଦୂରରେ ଓ ୬ ତାରିଖରେ ଗୁଜରାଟ ଉପକୂଳରୁ ଦୂରରେ ରହିବ।

ଆକଳନ କରଯାଉଛି ଯେ ବର୍ଷା ଉପକୂଳରେ ସୀମିତ ରହିବ। ତେବେ ମଧ୍ୟପ୍ରଦେଶ ସହିତ ଉତ୍ତର ଭାରତରେ ଏବେ ସ୍ବାଭାବିକ ତା‌ପମାତ୍ରା କମିବ। ଏହି ଦୁଇଟି ସିଷ୍ଟମ ଦ୍ବାରା କେରଳରେ ବର୍ଷା ହେଲେ ସୁଧା ଏହା ସ୍ବାଭାବିକଠାରୁ କମ୍‌ ରହିବ। ଦ୍ବିତୀୟ ସିଷ୍ଟମ୍ ଦ୍ବାରା ଓଡ଼ିଶାର ଅନେକ ସ୍ଥାନରେ ୫/୬ରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖରେ ଦକ୍ଷିଣ ମିଆଁମାର ଉପକୂଳ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗ‌ରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ଘନୀଭୂତ ହୋଇ ଲଘୁଚାପ ଓ ପରେ ଅବପାତ ହୋଇ ମାଆଁମାରକୁ ଗତି କରିବ। ଏହା ଦ୍ବାରା ଜୁନ୍‌ ୮ରୁ ୧୧ ତାରିଖ ମଧ୍ୟରେ ସାରା ଓଡ଼ିଶାରେ ମଧ୍ୟମରୁ ଭୀଷଣ ବର୍ଷା ହେବ।

ଅନ୍ୟପଟେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ଶନିବାର ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ମେ’ ୩୧ରୁ ଜୁନ୍‌ ୫ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।



from Kanak News https://ift.tt/3ccyubJ https://ift.tt/2XDHNfz
ରାଜ୍ୟରେ ଆଉ ବଢିବନି ତାତି ! ଅଧିକାଂଶ ଜିଲ୍ଲାରେ ଲାଗି ରହିବ କାଳବୈଶାଖୀ ବର୍ଷା, ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡତୋଫାନ ଆଶଙ୍କା Kanak News ରାଜ୍ୟରେ ଆଉ ବଢିବନି ତାତି ! ଅଧିକାଂଶ ଜିଲ୍ଲାରେ ଲାଗି ରହିବ କାଳବୈଶାଖୀ ବର୍ଷା, ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡତୋଫାନ ଆଶଙ୍କା Kanak News Reviewed by SUBHENDU BARAL on May 28, 2020 Rating: 5

No comments:

Powered by Blogger.