କରୋନା ଭାଇରସ୍କୁ ନେଇ ଦୁଇ ଶକ୍ତିଶାଳୀ ଦେଶ ମୁହାଁମୁହିଁ : ଟ୍ରମ୍ପ୍ କହିଲେ- କରୋନା ବିସ୍ତାରକୁ ରୋକିପାରିଥାନ୍ତା ଚୀନ୍
ଓ୍ବାଶିଂଟନ୍ ୨୮।୪: ବିଶ୍ବର ଦୁଇଟି ଶକ୍ତିଶାଳୀ ଦେଶ ମହାମାରୀ କରୋନା ଭାଇରସ୍ ବିସ୍ତାରକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍କୁ ଖୋଲାଖୋଲି ଭାବେ ଚେତାବନୀ ଦେଇଛନ୍ତି । ସୋମବାର ହ୍ବାଇଟ୍ ହାଉସରେ ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ ଚୀନ୍ କରୋନା ଭାଇରସ୍ ବିସ୍ତାରକୁ ରୋକି ପାରିଥାନ୍ତା । ଆମେ ଅନୁସନ୍ଧାନ କରୁଛୁ ଏବଂ ଉପଯୁକ୍ତ ସମୟରେ ଏ ବିଷୟରେ କହିବୁ ।
ଚୀନ୍ କୁ ଟାର୍ଗେଟ୍ କରି ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ଅନେକ ଉପାୟ ଅଛି ଯାହା ଦ୍ବାରା ଚୀନ୍ କୁ ଉତ୍ତରଦାୟୀ କରିପାରିବା । ଏନେଇ ଏକ ଗମ୍ଭୀର ଅନୁସନ୍ଧାନ ଜାରି ରହିଛି । ସମସ୍ତେ ବୋଧହୁଏ ଜାଣିଛନ୍ତି ଆମେ ଚୀନ୍ ସହିତ ଖୁସି ନୁହଁ । ଡୋନାଲ୍ଡ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପୁରା ପରିସ୍ଥିତି ସହ ଖୁସି ନୁହଁ । କାରଣ ଆମେ ବିଶ୍ବାସ କରୁ ଯେ କରୋନା ଭାଇରସ୍ ବ୍ୟାପିବାରୁ ରୋକାଯାଇ ପାରିଥାନ୍ତା । ଏହା ସମଗ୍ର ବିଶ୍ବରେ ବ୍ୟାପି ନଥାନ୍ତା ।
ଚୀନ୍ର କୌଣସି ଲ୍ୟାବରୁ ଏହି ଭାଇରସ୍ ସୃଷ୍ଟି ହୋଇଥିବା ନେଇ ଆମେରିକା ସନ୍ଦେହ କରୁଛି । ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ‘ଚୀନର ଭାଇରସ୍’ ବୋଲି କହିଛନ୍ତି । ଚୀନ୍ ଉହାନରୁ ଉତ୍ପନ ଏହି ଭାଇରସ୍ ଆମେରିକାରେ ସର୍ବାଧିକ ବିନାଶ ଘଟାଇଛି । ଆମେରିକାରେ ପ୍ରାୟ ୯ ଲକ୍ଷ ୮୫ ହଜାର ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏହାସହ ୫୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଛନ୍ତି ।
ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ନିକଟରେ ଡ୍ରାଗନକୁ ଟାର୍ଗେଟ୍ କରି କହିଥିଲେ ଯେ ଚୀନ୍ ବିଶ୍ବକୁ ଅନେକ କିଛି ଲୁଚାଇ ରଖିଛି । ସମସ୍ତଙ୍କର ସତ୍ୟ ଜାଣିବାର ଅଧିକାର ଅଛି । ବହୁ ପରିମାଣରେ ସତ୍ୟ ଲୁଚି ରହିଛି । ଚୀନ୍ ରେ ଏଭଳି ଲ୍ୟାବ୍ ଏବେବି ରହିଛି, ଯେଉଁଠାରୁ କରୋନା ଭାଇରସ୍ ସୃଷ୍ଟି ହୋଇଥିଲା । ସେ ଦାବି କରିଛନ୍ତି ଯେ କେବଳ ଉହାନ୍ ନୁହେଁ, ଚୀନ୍ର ଅନେକ ଲ୍ୟାବ ଯେଉଁଠାରେ ଏଭଳି ପରୀକ୍ଷଣ କରାଯାଉଛି ଯାହା ଭବିଷ୍ୟତରେ ବିପଜ୍ଜନକ ସାବ୍ୟସ୍ତ ହେବ । ଡିସେମ୍ବରରୁ ଚୀନ୍ର ସତ ପ୍ରକାଶ ପାଇବାରେ ଲାଗିଛି । ଏହା ସ୍ପଷ୍ଟ ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚୀନ୍କୁ ସମର୍ଥନ କରିଛି ।
from Prameya News7 https://ift.tt/2VZJgMm
No comments: