ପୀଡ଼ିତା ନାବାଳିକା ପରିଚୟ ପ୍ରକାଶ କଲେ ଦଣ୍ଡ…ପ୍ରମାଣ ମିଳିଲେ ପୁଲିସ ବି ଯିବେ ଜେଲ୍ Kanak News

କନକ ବ୍ୟୁରୋ: ନାବାଳିକାମାନଙ୍କୁ ସୁରକ୍ଷା ଦେବା ପାଇଁ ଆସିଛି ପୋକ୍ସୋ ଆଇନ। ଏହି ଆଇନର ଦଫା ୨୩ ବଳରେ ଯୌନ ନିର୍ୟାତନାର ଶିକାର ହୋଇଥିବା ନାବାଳିକା ପରିଚୟ ଗୋପନ ରଖାଯିବ। ଏହି ଆଇନର ଧାରା ୪୪ ବଳରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ(ଏନସିପିସି) ଆଇନର ତର୍ଜମା/ଅନୁଧ୍ୟାନ କରୁଛନ୍ତି। କିନ୍ତୁ ଦେଖାଯାଉଛି କେତେକ କ୍ଷେତ୍ରରେ ଖୋଦ୍ ପୁଲିସ ପୀଡ଼ିତା ନାବାଳିକାର ପରିଚୟ ପ୍ରକାଶ କରୁଛି। କିଛି ଗଣମାଧ୍ୟମରେ ମଧ୍ୟ ପରିଚୟ ପ୍ରକାଶ କରାଯାଉଛି। ଯାହା ନାବାଳିକାର ଭବିଷ୍ୟତ ଜୀବନକୁ ପ୍ରଭାବିତ କରୁଛି। ଏଭଳି ଜାଣିବା ପରେ ଏବେ କଠୋର ହୋଇଛନ୍ତି ଏନସିପିସି । କୌଣସି ପରିସ୍ଥିତିରେ ନାବାଳିକାର ନାଁ କିମ୍ବା ପରିଚୟ ପ୍ରକାଶ କରାଯିବ ନାହିଁ ବୋଲି ପୁଲିସ ଡିଜିଙ୍କୁ ଚିଠି ଲେଖା ଯାଇଛି। ନାମ ଗୋପନ ରଖିବା ପାଇଁ ପୁଲିସ ଅଧିକାରୀମାନଙ୍କୁ କି ଆଦେଶ ଦିଆଯାଇଛି କିମ୍ବା କ’ଣ ପଦକ୍ଷେପ ନିଆଯାଇଛି, ତାହା ଜାନୁଆରି ୩୦ ତାରିଖ ସୁଦ୍ଧା ଜଣାଇବାକୁ କୁହାଯାଇଛି।

ଏନସିପିସି ଲେଖିଛନ୍ତି ଯେ, ପୀଡ଼ିତା ନାବାଳିକାର ନାମ, ଫଟୋ, ଘର, ଥାନା, ସ୍କୁଲ, ପରିବାର ବିବରଣୀ, ପଡ଼ୋଶୀ ତଥା ଏଭଳି କିଛି ବି ଯାହାକୁ ଅନୁଧ୍ୟାନ କଲେ ନାବାଳିକାର ପରିଚୟ ଜାଣି ହୋଇଯିବ ତାହା କୌଣସି ପରିସ୍ଥିତିରେ ପ୍ରକାଶ କରାଯିବ ନାହିଁ। ଏପରିକି ଏପରି ତଥ୍ୟ କୌଣସି ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ପ୍ରକାଶ କରାଯାଇ ପାରିବ ନାହିଁ କିମ୍ବା ଏହାକୁ ନେଇ କୌଣସି ମତମନ୍ତବ୍ୟ ଦିଆଯାଇ ପାରିବ ନାହିଁ। ଏହାର ଉଲ୍ଲଂଘନ ହେଲେ ସେଥିପାଇଁ ସମ୍ପୃକ୍ତ ସଂସ୍ଥା ବା ବ୍ୟକ୍ତି ଦାୟୀ ରହିବେ। ତେବେ ଯଦି ଏହାକୁ ବିଚାର କରୁଥିବା କୋର୍ଟ ଅନୁଭବ କରିବେ ଯେ ପରିଚୟ ପ୍ରକାଶିତ ହେଲେ ସମ୍ପୃକ୍ତ ନାବାଳିକାର ସ୍ବାର୍ଥ ସାଧନ ହୋଇପାରିବ, ତେବେ ଯାଇ କୋର୍ଟଙ୍କ ଆଦେଶ ବଳରେ ହିଁ ତାହା ପ୍ରକାଶ ଯୋଗ୍ୟ ହେବ।

ନିଷେଧାଦେଶ ସତ୍ତ୍ବେ ଏଭଳି ତଥ୍ୟ ଯଦି କୌଣସି ଗଣମାଧ୍ୟମରେ ପ୍ରକାଶ ପାଏ, ତେବେ ସମ୍ପୃକ୍ତ ଗଣମାଧ୍ୟମର ମାଲିକ ଓ ପ୍ରକାଶକ ଦାୟୀ ରହିବେ। ଏଥିପାଇଁ ୬ ମାସରୁ ଏକ ବର୍ଷ ଜେଲ୍ ଯାଇପାରନ୍ତି। ରିପୋର୍ଟ ଲେଖିଥିବା ବା ପ୍ରସ୍ତୁତ କରିଥିବା ସାମ୍ବାଦିକ ଓ ଫଟୋଗ୍ରାଫରର ଚାକିରି ଯିବ। ପୁଲିସ ନାବାଳିକାର ପ୍ରକାଶ କରିଥିବା ପ୍ରମାଣ ମିଳିଲେ ଅଧିକାରୀ ବି ଦଣ୍ଡିତ ହେବେ। ଏହାକୁ ଗୁରୁତ୍ବର ସହ ନେଇ ପୁଲିସ ଡିଜି ରିପୋର୍ଟ ଉପସ୍ଥାପନ କରିବା ପାଇଁ ଆଦେଶ ହୋଇଛି। ଯଦି ପୂର୍ବରୁ ଏହାକୁ ନେଇ ନିର୍ଦ୍ଦେଶନାମା ଜାରି ହୋଇ ନାହିଁ, ତେବେ ଏବେ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ। କୌଣସିଠାରେ ଯଦି ଏସବୁର ଉଲ୍ଲଂଘନ ହେଉଥିବ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟ ଦାଖଲ କରନ୍ତୁ ବୋଲି ଚିଠିରେ ଉଲ୍ଲେଖ ରହିଛି।



from Kanak News https://ift.tt/2rU6jgv https://ift.tt/2PTQDBU
ପୀଡ଼ିତା ନାବାଳିକା ପରିଚୟ ପ୍ରକାଶ କଲେ ଦଣ୍ଡ…ପ୍ରମାଣ ମିଳିଲେ ପୁଲିସ ବି ଯିବେ ଜେଲ୍ Kanak News ପୀଡ଼ିତା ନାବାଳିକା ପରିଚୟ ପ୍ରକାଶ କଲେ ଦଣ୍ଡ…ପ୍ରମାଣ ମିଳିଲେ ପୁଲିସ ବି ଯିବେ ଜେଲ୍ Kanak News Reviewed by SUBHENDU BARAL on January 04, 2020 Rating: 5

No comments:

Powered by Blogger.