ଭରା ନଈକୁ ଦେଶୀ ଡଙ୍ଗା ଭରସା । ନିର୍ମାଣ ହୋଇପାରୁନି ପୋଲ, ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି ଗ୍ରାମବାସୀ । Kanak News

କନକ ବ୍ୟୁରୋ : ଯୋଗାଯୋଗ ବୋଲି କହିଲେ ପାଦ ଚଲା ମାଟି ରାସ୍ତା । ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ଖରା ଦିନେ ବି ପାରି ହେବାକୁ ପଡ଼େ ପାହାଡ଼ିଆ ନଈ । କେହି ରୋଗରେ ପଡ଼ିଲେ କଥା ସରିଲା । କାରଣ ଭାରରେ ‌ବୋହିବାକୁ ପଡ଼ିବ । ସ୍ବାସ୍ଥ୍ୟସେବା, ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚି ପାରୁନି । ସରକାରୀ ବାବୁ ବି ଦୁର୍ଗମ ଅଞ୍ଚଳ ବୋଲି ପାଦ ପକାଇବାକୁ ଭୁଲି ଯାଇଛନ୍ତି । ଯାହାଫଳରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଶହେ ପ୍ରାୟ ପରିବାର । ଗ୍ରାମବାସୀଙ୍କ ପାଇଁ ପ୍ରତିବନ୍ଧକ ସାଜିଛି ପାହାଡ଼ିଆ ନଈ ତମସା ।

ମାଲକାନଗିରି ଜିଲ୍ଲାରେ ଏମିତି ଶହ ଶହ ଗାଁ ରହିଛି ଯେଉଁଠି ସରକାରୀ ଯୋଜନାର ନିମ୍ନତମ ସୁବିଧା ପହଞ୍ଚି ପାରିନି । କୋରକୋଣ୍ଡା ବ୍ଲକ ତାରଲାକୋଟା ପଞ୍ଚାୟତ ଅନ୍ତର୍ଗତ କମୁଲିଗୁଡା ସେଥିମଧ୍ୟରୁ ଗୋଟିଏ । ଶହେରୁ ଅଧିକ ପରିବାର ବସବାସ କରୁଥିବା ଏହି ଗାଁର ଅଧିକାଂଶ ପରିବାର ଆଦିବାସୀ । ଗାଁକୁ ଲାଗି ବୋହି ଯାଇଛି ପାହାଡିଆ ନଦୀ ତମସା । ନଈ ପାରି ହେବାପରେ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚିଥାନ୍ତି । ତେବେ ଗାଁରୁ କୌଣସି ସିଧାସଳଖ ରାସ୍ତା ଏପର୍ଯ୍ୟନ୍ତ ହୋଇନାହିଁ । ସର୍ଗିଗୁଡା ଠାରୁ ସାଇବଗୁଡାକୁ ପ୍ରଥମେ ଯିବାକୁ ହୋଇଥାଏ । ତେଣୁ ଗ୍ରାମବାସୀ ଏମଭି-୧୦୩ ଏବଂ ଏମଭି-୫୩ ପଞ୍ଚାୟତ ଉପରେ ଜୀବନ ଜୀବିକା ପାଇଁ ନିର୍ଭର କରିଥାନ୍ତି । ଯଦି ପଞ୍ଚାୟତ କାର୍ଯ୍ୟାଳୟକୁ କୌଣସି ଜରୁରୀ କାମରେ ଯିବାକୁ ପଡ଼େ ତାହାହେଲେ ବାଧ୍ୟ ହୋଇ ନଦୀ ପାରି ହେଉଛନ୍ତି ।

ପ୍ରତ୍ୟେକ ମାସର ଚାଉଳ ତଥା ଭତ୍ତା ପାଇଁ ସକାଳୁ ଘରୁ ବାହାରି ପଡ଼ନ୍ତି ହିତାଧିକାରୀ । ଗାଁର କିଛି ଯୁବକ ବି ସେମାନଙ୍କ ସହ ଯାଇଥାନ୍ତି । କାରଣ ନଦୀ ପାରିହେବା ସମୟରେ ଏହି ଯୁବକମାନେ ହିଁ ହାତଧରି ଆଗକୁ ଯିବା ପାଇଁ ସହାୟତା କରନ୍ତି । ବର୍ଷା ଦିନେ ନଈ ଫୁଲିଲେ ଦେଶୀ ଡଙ୍ଗା କିମ୍ବା ବଡ଼ବଡ଼ ହାଣ୍ଡି ଧରି ଅତିକ୍ରମ କରୁଥିବା କହିଛନ୍ତି । ଏମିତି ନଦୀ ପାରିହେବା ବିପଦ ସଂକୁଳ ହୋଇଥିଲେ ମଧ୍ୟ ଅନ୍ୟ କିଛି ବିକଳ୍ପ ଗ୍ରାମବାସୀଙ୍କ ପାଇଁ ସରକାର ଏପର୍ଯ୍ୟନ୍ତ କରିନାହାନ୍ତି । ଗାଁରେ ଗୋଟିଏ ସ୍କୁଲ ଅଛି । ତେଣୁ ଏଠାକାର ପିଲାଙ୍କୁ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହୋଇ ନାହାନ୍ତି । କିନ୍ତୁ ସ୍ବାସ୍ଥ୍ୟସେବାର ବିପର୍ଯ୍ୟସ୍ତ ସ୍ଥିତି ସମୟକ୍ରମେ ଅଧିକ କଦର୍ଯ୍ୟ ହେବାରେ ଲାଗିଛି । କେହି ଯଦି ରୋଗରେ ପଡ଼ନ୍ତି ତ‌େବେ ଏମଭି-୧୦୩, ଏମଭି-୫୩ ଗ୍ରାମ ଦେଇ ମାଲକାନଗିରିରେ ପହଞ୍ଚୁଥିବା ଜଣାପଡ଼ିଛି । ଗର୍ଭବତୀଙ୍କୁ ପ୍ରସବ ପାଇଁ ମେଡିକାଲ ନେବା ଏମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା । ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଏହି ସମସ୍ୟା ଉଠାଇଛନ୍ତି । ବାରମ୍ବାର ପୋଲ ନିର୍ମାଣ କରିବାକୁ ମଧ୍ୟ ଦାବି କରିଛନ୍ତି । ତଥାପି କୌଣସି ସୁଫଳ ମିଳୁ ନଥିବା କ୍ଷୋଭର ସହ ଗ୍ରାମବାସୀ କହିଛନ୍ତି ।

ସେହିପରି ଏହି ବ୍ଲକରେ ହିଁ ଆଉ ଗୋଟିଏ ନଦୀ ରହିଛି । ପୋଟ୍ରେଲ ପଞ୍ଚାୟତର ପୁରୁଣା ଅର୍କେଲ ଠାରୁ ପୁରୁଣା ଚିତାପାରି ମଧ୍ୟରେ ଏହି ନଦୀ ପ୍ରବାହିତ ହୋଇଛି । ତେଣୁ ନଦୀ ଅବବାହିକାରେ ରହିଥିବା ଗାଁ ଗୁଡ଼ିକରେ ବି ନାନା ସମସ୍ୟା ଲାଗି ରହିଛି । ବର୍ତମାନ ଲଘୁଚାପ ଜନିତ ବର୍ଷା ଲାଗିଥିବାରୁ ଲୋକେ ବହୁ କଷ୍ଟରେ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି । ଏହି ନଦୀର ଅପରପର୍ଶ୍ବରେ ବାଲିମେଳା ବିଜ୍ଞାପିତ ଅଂଚଳ ରହିଛି । ନଦୀ ପାର ହୋଇ ଲୋକେ ପୋଟ୍ରେଲ ପଞ୍ଚାୟତର ପୁରୁଣା ଅର୍କେଲ, ଉସ୍କାପାଲି, ପୁରୁଣା ଚିତାପାରି, ଏମଭି-୩୩, ଏମଭି-୩୪, ତାଲରାକୋଟା, ପୁସପାଲୀ, ଏମଭି-୩୫, ବଲରୁ ସର୍ଗିଗୁଡା, କାଳିଆଗୁଡା ପ୍ରମୁଖ ଗ୍ରାମ ଯାଇଥାନ୍ତି । ଏହି ଗ୍ରାମ ଗୁଡିକରେ ବହୁ ନେତାଙ୍କର ପାଦ ପଡିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଠାରେ ପୋଲ ନିର୍ମାଣ ହୋପାରିଲା ନାହିଁ । ଦୁଇଟି ନଦୀ ଯୋଗୁଁ ଶହ ଶହ ଲୋକେ ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।



from Kanak News https://ift.tt/2nuZhNc https://ift.tt/2Ot0wrb
ଭରା ନଈକୁ ଦେଶୀ ଡଙ୍ଗା ଭରସା । ନିର୍ମାଣ ହୋଇପାରୁନି ପୋଲ, ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି ଗ୍ରାମବାସୀ । Kanak News ଭରା ନଈକୁ ଦେଶୀ ଡଙ୍ଗା ଭରସା । ନିର୍ମାଣ ହୋଇପାରୁନି ପୋଲ, ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି ଗ୍ରାମବାସୀ । Kanak News Reviewed by SUBHENDU BARAL on October 07, 2019 Rating: 5

No comments:

Powered by Blogger.