ସମ୍ବଲପୁର ମହାନଦୀ ପ୍ରଖର ସ୍ରୋତରେ ଭାସିଯାଇଥିବା ଝିଅର ଏବେ ବି ମିଳୁନି ପତ୍ତା। ଚାଲିଛି ଖୋଜା, ଏନଡିଆରଫ, ପ୍ରଶାସନକୁ ସହାୟତା କରୁଛନ୍ତି ସ୍ଥାନୀୟ ଲୋକେ Kanak News
କନକ ବ୍ୟୁରୋ: ସମ୍ବଲପୁରରେ ଦଶହରାର ଖୁସିକୁ ଫିକା କରିଦେଇଛି ଏହି ଅଘଟଣ ଖବର । ଗତକାଲି ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇଥିଲେ ୬ ଜଣ ଝିଅ । ଏଭଳି ଏକ ଅଭାବନୀୟ ଘଟଣା ପରେ ପରେ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ସହାୟତାରେ ୫ ଜଣ ଝିଅଙ୍କୁ ଉଦ୍ଧାର କରାଯାଇଛି । ତେବେ ଜଣଙ୍କୁ ଏବେ ବି ଖୋଜି ପାଉନାହାନ୍ତି । ହୀରାକୁଦ ଡ୍ୟାମ ପାଣି ଛାଡିଥିବା ବେଳେ ନଦୀରେ ସ୍ରୋତ ପ୍ରଖର ଥିଲା । ତେବେ ଗୋଡ ଖସିବା ପରେ ସମସ୍ତେ ଫସି ଯାଇଥିଲେ ସ୍ରୋତ ଭିତରେ । ୫ ଜଣ ଟାପୁରେ ଲାଗିବା ପରେ ଉଦ୍ଧାର ହୋଇଛନ୍ତି । କାଲି ଠାରୁ ଆଉ ଜଣଙ୍କୁ ଉଦ୍ଧାର କରିବାକୁ ତଲାସୀ ଜାରି ରହିଛି । ମହାନଦୀରେ ବୋଟ୍ ଓ ବୁଡାଳୀଙ୍କ ସହାୟତାରେ ତଲାସୀ ଅଭିଯାନ ଚାଲିଛି । ସ୍ଥାନୀୟ ଲୋକଙ୍କ ସହିତ ମିଶି ଦମକଳ ବାହିନୀର ସଦସ୍ୟ ଉଦ୍ଧାର କାମରେ ଲାଗିଛନ୍ତି ।
ସୂଚନା ଅନୁସାରେ, ରବିବାର ସବୁଦିନ ଭଳି ବଡ଼ବଜାରର ଧୋବାପଡ଼ାର ଜ୍ଞାନ ପଣ୍ଡାଙ୍କ ୨ ଝିଅ ଶ୍ରୁତି ପଣ୍ଡା(୧୫) ଓ ସୁପ୍ରିୟା ପଣ୍ଡାଙ୍କ ସମେତ ଆଶା ଡନସେନା(୧୫), ରାନୀ ସାହାଣୀ(୧୩), ରିୟା ଦେବାଙ୍ଗନ୍(୧୩) ଓ ପିଙ୍କି ଶର୍ମା(୧୦) ଗାଧୋଇବାକୁ ବଡ଼ବଜାର ସଡ଼କ ଘାଟକୁ ଯାଇଥିଲେ। ଦିନ ପ୍ରାୟ ୧୧ଟା ବେଳେ ସଡ଼କ ଘାଟର ପ୍ରାୟ ୫୦ ମିଟର ଭିତରେ ଥିବା ତୁଳସୀ ଚଉରା ନିକଟକୁ ସବୁ ଝିଅ ଯାଇଥିଲେ। ତୁଳସୀ ଉଚରା ନିକଟରେ ପୂଜା କରିବା ସହ ଛିଡ଼ା ହୋଇ ପାଣିର ମଜା ନେଉଥିଲେ। ସଡ଼କ ଘାଟର କିଛି ଅଂଶ ଭାଙ୍ଗି ଯାଇଥିବାରୁ ହଠାତ୍ ଶ୍ରୁତିଙ୍କ ଗୋଡ଼ ଖସିଯାଇଥିଲା ଓ ସେ ତଳକୁ ପଡ଼ି ଯାଇଥିଲେ। ଶ୍ରୁତି ପାଣିକୁ ଖସି ପଡ଼ିବା ଦେଖି ଉଭଣୀ ସୁପ୍ରିୟା ପ୍ରଥମେ ତଳକୁ ଡେଇଁ ପଡ଼ିଥିଲେ। ଏହା ଦେଖି ରାନୀ, ରିୟା, ଆଶା ଓ ପିଙ୍କି ମଧ୍ୟ ପାଣିକୁ ଡେଇଁ ପଡ଼ିଥିଲେ। ପାଣିର ସ୍ରୋତ ଅଧିକ ଥିବାରୁ ସମସ୍ତ ୬ ଝିଅ ଭାସି ଯାଇଥିଲେ। ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ବଡ଼ ପଥରକୁ ଧରି ସବୁ ଝିଅ ଅଟକି ଯାଇଥିଲେ। କିନ୍ତୁ ପିଙ୍କି ପହଁରା ଜାଣି ନଥିବାରୁ ବୁଡ଼ି ଯାଇଥିଲେ। ପଥରରେ ଲାଖି ରହିବା ସହ ଅନ୍ୟ ଝିଅମାନେ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ।
ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଲୋକେ ଆସି ସେଠାରେ ପହଞ୍ଚିବା ପରେ ବଡ଼ବଜାର କେଉଁଟପଡ଼ାର ରାଜୁ ସତନାମୀ, ସୁମନ୍ତ ବାଗ, ପ୍ରଗତି ବେରିହା, ଲହ୍ଲା ବାଗ, ପଞ୍ଚ ସେଠ, ନାମ ବାଗ, ବୁଲୁ ସେଠ, ହୀନା ବେହେରା, ରୋହିତ ସେଠ ପ୍ରମୁଖ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ଏହି ସମୟ ବେଳକୁ ଅଗ୍ନିଶମ ବିଭାଗ ଓ କ୍ଷେତରାଜପୁର ପୁଲିସ୍ ମଧ୍ୟ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିସାରିଥିଲା। ପଥରରେ ଲାଖି ରହିଥିବା ସମସ୍ତ ୫ ଝିଅଙ୍କୁ ଉଦ୍ଧାର କରି କୂଳକୁ ଅଣାଯାଇଥିଲା। କିନ୍ତୁ ପିଙ୍କିଙ୍କ କୌଣସି ପତ୍ତା ମିଳିନଥିଲା। ଜିତେନ୍ଦ୍ର ଦାଶଙ୍କ ନେତୃତ୍ବରେ ସମ୍ବଲପୁର ଓ ବୁର୍ଲାର ଅଗ୍ନିଶମ ବାହିନୀ, ସ୍କୁବା ଡାଇଭର ଏବଂ ୧୨ ଜଣ ମତ୍ସ୍ୟଜୀବୀ ଡଙ୍ଗା ନେଇ ନଦୀକୁ ଯାଇଥିଲେ। ପରେ ଝାରସୁଗୁଡ଼ାରୁ ଓଡ୍ରାଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲା। ପାଣିର ସ୍ରୋତ ଅଧକ ଥିବାରୁ ସ୍କୁବା ଡାଇଭର ବି ଅଧିକ ସମୟ ପାଣି ଭିତରେ ରହିପାରିନଥିଲେ। ବଡ଼ବଜାର ଘାଟରୁ ପ୍ରାୟ ଦେଢ଼ କିମି ଚାଉଁରପୁର ନୂତନ ବ୍ରିଜ ଅପରପାର୍ଶ୍ବ ଯାଏଁ ଖୋଜାଖୋଜି ଚାଲିଥିଲେ ମଧ୍ୟ ରାତି ସୁଦ୍ଧା କୌଣସି ସୂଚନା ମିଳିନଥିଲା।
from Kanak News https://ift.tt/2McMW8s https://ift.tt/2LQ8g4T
ସମ୍ବଲପୁର ମହାନଦୀ ପ୍ରଖର ସ୍ରୋତରେ ଭାସିଯାଇଥିବା ଝିଅର ଏବେ ବି ମିଳୁନି ପତ୍ତା। ଚାଲିଛି ଖୋଜା, ଏନଡିଆରଫ, ପ୍ରଶାସନକୁ ସହାୟତା କରୁଛନ୍ତି ସ୍ଥାନୀୟ ଲୋକେ Kanak News
Reviewed by SUBHENDU BARAL
on
October 06, 2019
Rating:
No comments: