ଭୁବନେଶ୍ୱର: ଜୟପୁର ନିର୍ବାଚନୀ ସଭାରେ ପରୋକ୍ଷରେ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚିଟଫଣ୍ଡ ଦୁର୍ନୀତି, ନାରୀ ନିର୍ଯାତନା, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରିବା, କାଳିଆ ଯୋଜନା, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ମୋଦି କଡ଼ା ସମାଲୋଚନା କରିଛନ୍ତି। ସେହିପରି ପିଏମ୍ କିଷାନ ଯୋଜନାର କାର୍ଯ୍ୟକାରୀତାକୁ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଡବଲ ଇଞ୍ଜିନ ଅର୍ଥାତ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହେଲେ ଓଡ଼ିଶାର ଦ୍ରୁତ ବିକାଶ ହେବ ବୋଲି ମୋଦି କହିଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିକୁ ବହୁମତରେ ଜିତାଇବା ଲାଗି ମୋଦି ନିବେଦନ କରିଛନ୍ତି। ଏହାସହ ପୁଲଓ୍ୱାମା ଆକ୍ରମଣ ଓ ବାଲାକୋଟ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି।
ମୋଦିଙ୍କ ଏହି ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସମେତ ରାଜ୍ୟର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।
ମୋଦିଙ୍କ ସଭା ପରେ ବରିଷ୍ଠ ବିଜେପି ନେତାମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆଣିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଗତ ୫ ବର୍ଷରେ ଦେଶ ମୋଦିଙ୍କୁ ଯେଉଁ ସମର୍ଥନ ଦେଇଛି, ସେଥିପାଇଁ ଧନ୍ୟବାଦ। ଆଗାମୀ ୫ ବର୍ଷ ପାଇଁ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହେଉ ବୋଲି ମୋଦିଜୀ ଆଶୀର୍ବାଦ ମାଗିଛନ୍ତି। ଆଜି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଏହା କେବଳ କୋରାପୁଟ, ନବରଙ୍ଗପୁର ନୁହେଁ ପୂରା ଓଡ଼ିଶାରେ ବଡ଼ ପରିବର୍ତ୍ତନରକୁ ପ୍ରମାଣିତ କରୁଛି।”
ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଛନ୍ତି, “ନବୀନ ସରକାର ଏଠାରେ କିଛି କାମ କରୁନାହିଁ। ଦୁର୍ନୀତି, ଭ୍ରଷ୍ଟାଚାର ବଢ଼ିଛି। ଲୋକଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ମିଳୁନାହିଁ। ତେଣୁ ଏଥର ଓଡ଼ିଶା ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଆଣିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଏଥର ଓଡ଼ିଶାରେ ବିଜେପି ସରକାର ନିଶ୍ଚିତ ଗଢ଼ିବ ଓ ଆମେ ୧୨୦ ଲକ୍ଷ୍ୟ ନିଶ୍ଚିତ ହାସଲ କରିବୁ।”
ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି, “କେନ୍ଦ୍ର ହଜାର ହଜାର କୋଟି ଟଙ୍କା ଦେଉଛନ୍ତି, ରାଜ୍ୟ ସରକାର ଏହାକୁ ବିନିଯୋଗ କରୁନାହିଁ। ଏହା ଅତ୍ୟନ୍ତ ଦୁଃଖର ବିଷୟ। ଆଜି ରାଜ୍ୟର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ ଏକାଥା କହିଛନ୍ତି। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହୋଇ ଯଦି ଡବଲ ଇଞ୍ଜିନ ଭଳି କାମ ହେବ ତା’ହେଲେ ଓଡ଼ିଶାର ବିକାଶ ହୋଇପାରିବ। ଏଠାରେ ଓଡ଼ିଶାର ବିକାଶକୁ କେମିତି ରାଜ୍ୟ ସରକାର ଅଟକାଇ ରଖିଛନ୍ତି, ତାହାର ପ୍ରମାଣ ଆଜି ମୋଦିଜୀ ଦେଇଛନ୍ତି।”
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ଭାଷଣ ଓ ମାହୋଲକୁ ଦେଖିଲେ ଏହି ଦୁଇଟି ଲୋକସଭା ଆସନରେ ବିଜେପି ନିଶ୍ଚିତ ଜିତିବ ମନେ ହେଉଛି। ଏହାକୁ କେବଳ ଅନୁମାନ କରି ହେବନାହିଁ। ଯେତେ ଚେଷ୍ଟା କଲେବି ଏଠାରେ କେହି ହରାଇ ପାରିବେ ନାହିଁ।”
ଅନ୍ୟପକ୍ଷରେ ମୋଦିଙ୍କ ଆରୋପକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି।
ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, “ଆୟୁଷ୍ମାନ ଯୋଜନାଠାରୁ ଭଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ ବାବୁ କରିଛନ୍ତି। ଓଡ଼ିଶାରେ ଯେଉଁ ବିକାଶ ହୋଇଛି, ତାକୁ ନେଇ କେନ୍ଦ୍ର ସରକାର ଆମକୁ ବାଃ ବାଃ ଦେଇଛନ୍ତି। ଚାଷ ଉତ୍ପାଦନ ହେଉ, ମହିଳାଙ୍କ କ୍ଷେତ୍ରରେ ହେଉ କି ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇଛି। ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। ଯାହା ବି ଅଭିଯୋଗ ହେଉଛି, ସବୁ ଭିତ୍ତିହୀନ। କାଳିଆ ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରାଯିବା ବେଳେ ଦୃଷ୍ଟି ଦିଆଯାଇଛି। ଆମର ଏହି ଯୋଜନାକୁ ନେଇ କେନ୍ଦ୍ର ନିଜର ଯୋଜନା କରିଛି। କାଳିଆ ଯୋଜନାକୁ ନେଇ ନବୀନ ବାବୁଙ୍କ ଲୋକପ୍ରିୟତାରେ ସେମାନେ ଭୟଭୀତ ହୋଇଯାଇଛନ୍ତି।”
ସେହିପରି କଂଗ୍ରେସ ନେତା ଅନନ୍ତ ସେଠୀ ମୋଦିଙ୍କ ପ୍ରତିଶ୍ରୁତିକୁ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, “ବିକାଶ କି ବିନାଶ ହୋଇଛି, ଭାରତ ବର୍ଷର ଜନସାଧାରଣ ଭଲ ଭାବେ ଜାଣି ସାରିଛନ୍ତି। ଅର୍ଥନୀତି ଅବସ୍ଥା କ’ଣ ହୋଇଛି ସମସ୍ତେ ଜାଣିଛନ୍ତି। ଗତ ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା ରକ୍ଷା କରିନାହାନ୍ତି। କଳାଧାନ ଆଣି ପ୍ରତ୍ୟେକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ, ଟଙ୍କାଟିଏ ବି ଆସିଲା ନାହିଁ। ପ୍ରତିବର୍ଷ କୋଟିଏ ଯୁବକଙ୍କୁ ଚାକିରି ଦେବେ କହିଥିଲେ, ହେଲେ ଚାକିରି କୁଆଡେ ଗଲା। ବହୁତ ଯୁବକ ବେକାର ହୋଇ ବସିଛନ୍ତି।”
from OTV Khabar https://ift.tt/2HKRJOL
No comments: