ସୁଷମା ସ୍ୱରାଜଙ୍କ ବିୟୋଗରେ ସାରାଦେଶ ସ୍ତବ୍ଧ Rajalaxmi Sahoo

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକରେ ସାରା ଦେଶ ଏକ ପ୍ରକାରର ସ୍ତବ୍ଧ ହୋଇଯାଇଛି। ଗତକାଲି ଦିଲ୍ଲୀ ଏମ୍ସ ହସ୍ପିଟାଲ୍‌ରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା।

ସୁଷମାଙ୍କ ବିୟୋଗରେ ଦଳ ମତ ନିର୍ବିଶେଷରେ ସମସ୍ତ ନେତା ଏବଂ ସାଧାରଣ ଜନତା ଗଭୀର ଶୋକ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ‘ଦେଶ ଜଣେ ଲୋକପ୍ରିୟ ନେତ୍ରୀଙ୍କୁ  ହରାଇଲା, ଯିଏକି ସାଧାରଣ ଜୀବନରେ ନିଜ ସଚ୍ଚୋଟତା, ସାହସ ଓ ସମ୍ମାନ ପାଇଁ ପରିଚିତ ଥିଲେ।  ସମସ୍ତଙ୍କୁ ସବୁବେଳେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିବା ସୁଷମା ସ୍ୱରାଜଙ୍କୁ ଦେଶବାସୀଙ୍କ ସେବା ପାଇଁ ସବୁବେଳେ ମନେ ରହିବେ।’

ସୁଷମା ସ୍ୱରାଜଙ୍କ ବିୟୋଗ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ଏକ ବଡ଼ କ୍ଷତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି କହିଛନ୍ତି। ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ରାଷ୍ଟ୍ର ହିତ ପାଇଁ କର୍ମ କରିଥିବା ସୁଷମାଙ୍କୁ ସମସ୍ତେ ଶ୍ରଦ୍ଧାର ସହିତ ମନେ ରଖିବେ।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି, ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୁଷମା ସ୍ୱରାଜଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ଏମ୍ସରୁ ପ୍ରଥମେ ତାଙ୍କ ବାସଭବନକୁ ନିଆଯାଇଛି। ସେଠାରେ ଆଜି ଦିନ ୧୧ଟା ଯାଏ ସମସ୍ତେ ତାଙ୍କର ଶେଷ ଦର୍ଶନ କରିବେ। ଏହା ପରେ ସୁଷମାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀର ବିଜେପିର ମୁଖ୍ୟ କାର୍ଯ୍ୟାଳୟକୁ ନିଆଯିବ। ମଧ୍ୟାହ୍ନ ୧୨ଟାରୁ ୩ ଟା ଯାଏ ସେଠାରେ ଦଳ ତରଫରୁ ତାଙ୍କୁ ଶେଷ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦିଆଯିବ। ଏହା ପରେ ସୁଷମାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।

ଆହୁର ମଧ୍ୟ ପଢ଼ନ୍ତୁ: ପରଲୋକରେ ସୁଷମା ସ୍ୱରାଜ



from OTV Khabar. https://ift.tt/2YK4fGp
ସୁଷମା ସ୍ୱରାଜଙ୍କ ବିୟୋଗରେ ସାରାଦେଶ ସ୍ତବ୍ଧ Rajalaxmi Sahoo ସୁଷମା ସ୍ୱରାଜଙ୍କ ବିୟୋଗରେ ସାରାଦେଶ ସ୍ତବ୍ଧ Rajalaxmi Sahoo Reviewed by SUBHENDU BARAL on August 06, 2019 Rating: 5

No comments:

Powered by Blogger.