ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଉଲଂଘନ ଅଭିଯୋଗର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଓ ଜଷ୍ଟିସ୍ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
କେ. ବୀଣା ପଟ୍ଟନାୟକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କର ୨୦୧୯ ମାର୍ଚ୍ଚ ୧୯ର ଅନ୍ତରୀଣ ନିର୍ଦ୍ଦେଶ ଉଲଂଘନ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ କୋର୍ଟ ଜିଲ୍ଲାପାଳଙ୍କୁ ନିଲମ୍ବନ କରିବା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ରେ କରାଯିବା ପାଇଁ ଧାର୍ଯ୍ୟ ହୋଇଛି।
ଆବେଦନକାରୀଙ୍କୁ ମଦ ଦୋକାନ ପାଇଁ ଲାଇସେନ୍ସ ମଞ୍ଜୁର ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁ ଦୋକାନ ଖୋଲିପାରିନଥିଲେ। ଦୋକାନ ଖୋଲିନଥିବା ଅବଧି ପାଇଁ ତାଙ୍କ ନିକଟରୁ କିନ୍ତୁ ଅବକାରୀ ବିଭାଗ ଦେୟ ଦାବି କରିଥିଲା। ଅବକାରୀ ବିଭାଗର ଏହି ପଦକ୍ଷେପକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
୨୦୧୯ ମାର୍ଚ୍ଚ ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ନୋଟିସ୍ ଜାରି କରିବା ସହିତ ଆବେଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଉଲଂଘନ କରି ଝାରସୁଗୁଡ଼ା ଜିଲ୍ଲାପାଳ ଏପ୍ରିଲ ୨୫ରେ ସାନି ନିର୍ଦ୍ଦେଶନାମା ଜାରି କରିଥିଲେ।
from OTV Khabar. https://ift.tt/2KFPr2w
No comments: