
କନକ ବ୍ୟୁରୋ : ଉପକୂଳ ଓଡିଶାରେ ବନ୍ୟା ପରିସ୍ଥିତିର ଆଶଙ୍କା ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରରୁ ଆଜି ଜଳ ନିଷ୍କାସନ ହେବାକୁ ଥିବାରୁ ମହାନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି ଓ ଏଥିପାଇଁ ୬ଟି ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକା ଅଂଚଳରେ ବନ୍ୟା ଆସିବାର ଆଶଙ୍କା ଦେଖାଦେଇଛି । ତେଲ ନଦୀରୁ ଆସୁଥିବା ବନ୍ୟା ଜଳ ଯୋଗୁଁ ମହାନଦୀ ଏବଂ ଏହାର ଶାଖା ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଆସନ୍ତା ୧୫ ତାରିଖ ପୂର୍ବାହ୍ନରେ ମୁଣ୍ଡଳୀଠାରେ ପ୍ରାୟ ୧୦.୫୦ ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି । ହୀରାକୁଦ ଡ୍ୟାମର ତଳମୁଣ୍ଡରେ ମହାନଦୀର ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ହିରାକୁଦ ଡ୍ୟାମର ଗୋଟିଏ ଗେଟ ପରୀକ୍ଷାମୂଳକ ଭାବେ ଖୋଲାଯାଇ କିଛି ସମୟ ପରେ ବନ୍ଦ କରିବା ପାଇଁ ସ୍ଥିର କରାଯାଇଛି ।

ନଦୀବନ୍ଧରେ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ସ୍ଥାନ ଗୁଡିକର ସୁରକ୍ଷା ପାଇଁ ବାଲିବସ୍ତା, ବହ୍ଲା, ବାଉଁଶ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସଂଖ୍ୟକ ଟ୍ରାକଟର, ଇତ୍ୟାଦି ଯନ୍ତ୍ରପାତି ସହିତ ପ୍ରସ୍ତୁତ ହୋଇ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଆଜି ଉପକୂଳବର୍ତି ଜିଲ୍ଲାମାନଙ୍କରେ ଥିବା ଡିଭିଜନ ଗୁଡିକରେ ପହଂଚି ବନ୍ୟା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସମ୍ବନ୍ଧୀୟ ତଥ୍ୟର ଆଦାନ ପ୍ରଦାନ ପାଇଁ ସମସ୍ତ ଡିଭିଜନ, ସର୍କଲ, ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ୨୪ଘଂଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ମଧ୍ୟ କାମ କରୁଛି ।
from Kanak News https://ift.tt/2KMURIS https://ift.tt/2MdYhI9
No comments: