ଆମ୍ବୁଲାନ୍ସରେ ଚାଲିଯିବ ଜୀବନ! ରାଜଧାନୀରେ ନାକେଦମ୍ କରୁଛି ଟ୍ରାଫିକ, ୩୫ ମିନିଟ୍ ଛଟପଟ ହେଲେ ରୋଗୀ, କେବେ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର୍? Kanak News

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାର ଟ୍ରାଫିକରେ ଅଟକିବନି ଆମ୍ବୁଲାନ୍ସ। ଛକଗୁଡ଼ିକରେ ଆମ୍ବୁଲାନ୍ସ ପାଇଁ ସ୍ବତନ୍ତ୍ର କରିଡର୍ କରାଯିବ। ଯେତେ ଭିଡ଼ ଥିଲେ ମଧ୍ୟ ଆମ୍ବୁଲାନ୍ସ ଅଟକିବ ନାହିଁ କି ଟ୍ରାଫିକରେ ଫସିବନି। ରୋଗୀ ସୁରକ୍ଷିତ ଭାବେ ମେଡିକାଲରେ ପହଞ୍ଚିବେ। ୨୦୧୫ ସେପ୍ଟେମ୍ବର ୨୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀବାସୀଙ୍କ ମଧ୍ୟରେ ଏଭଳି ନୀଳ-ନକ୍ସା ଆଙ୍କିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଇତି ମଧ୍ୟରେ ୪ବର୍ଷ ଛୁଇଁବାକୁ ବସିଲାଣି। କିନ୍ତୁ ଘୋଷଣାର କାଣିଚାଏଁ ବି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ଭୁବନେଶ୍ବର ସହରର ଗୋଟିଏ ବି ଛକରେ ଏପର୍ଯ୍ୟନ୍ତ ଆମ୍ବୁଲାନ୍ସ ଲାଗି କରିଡର୍ ହୋଇପାରି ନାହିଁ। ଯେଉଁଥିପାଇଁ ପ୍ରତିଦିନ ରୋଗୀଙ୍କ ଜୀବନ ବିପଦମୁହଁକୁ ଠେଲି ହୋଇଯାଉଛି। ଟ୍ରାଫିକ୍ ସମସ୍ୟା ଏମିତି ହେଉଛି ଯେ ପ୍ରତିଦିନ ରାଜଧାନୀ ରାସ୍ତାରେ ଶତାଧିକ ଆମ୍ବୁଲାନ୍ସ ଟ୍ରାଫିକରେ ଅଟକି ରହୁଛି। ରୋଗୀଙ୍କ ଜୀବନ ମଧ୍ୟ ଯାଉଛି। ଯାହାର ଭାଗ୍ୟ ଭଲ, ସେ ଆମ୍ବୁଲାନ୍ସରେ ମେଡିକାଲରେ ପହଞ୍ଚୁଛି।
ଗତକାଲି ପୁଣି ଏଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି। ୧୦କି ୧୫ମିନିଟ୍ ନୁହେଁ ୩୫ମିନିଟ୍ କାଳ ଟ୍ରାଫିକରେ ଫସି ରହିଲା ଆମ୍ବୁଲାନ୍ସ। ଆଗକୁ ଯାଇ ପାରିଲାନି କି ପଛକୁ ଫେରିଲାନି। ଆମ୍ବୁଲାନ୍ସକୁ ଚାରିପଟୁ ଘେରି ରହିଥିଲା ବାଇକ୍, ଅଟୋ, କାର, ମୋ ବସ୍। ଏଥିରେ ଜଣେ ରୋଗୀ କିମସ୍ ମେଡ଼ିକାଲରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର ହେଉଥିଲେ। ଟ୍ରାଫିକ୍ ଭିଡ଼ ଯୋଗୁଁ ଆମ୍ବୁଲାନ୍ସଟି କିଟ୍ ଛକ ଟ୍ରାଫିକ୍ରେ ଅଟକି ରହିଯାଇଥିଲା। ଏଥିରେ ମହିଳା ରୋଗୀଜଣଙ୍କ ଯନ୍ତ୍ରଣା ଭୋଗୁଥିବା ବେଳେ ନିକଟସ୍ଥ ଫାଣ୍ଡି ପୁଲିସ ଓ ସ୍ଥାନୀୟ ଶିକ୍ଷାନୁଷ୍ଠାନର ସୁରକ୍ଷା ବଳ ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଆମ୍ବୁଲାନ୍ସ ଯାଉଥିଲେ ମଧ୍ୟ ଅନ୍ୟ ଗାଡ଼ି ଚାଳକମାନେ ତାହାକୁ ଖାତିର୍ କରି ନଥିଲେ। ନିୟମ ନମାନି ଗାଡ଼ି ଚାଳକମାନେ ମନଇଚ୍ଛା ଯାତାୟାତ କରୁଥିବାରୁ ଆମ୍ବୁଲାନ୍ସରେ ଥିବା ରୋଗୀ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ସନ୍ଧ୍ୟା ୫ଟା ୪୫ରୁ ୬ଟା ୧୮ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିଥିଲା। ଶେଷରେ ସୁରକ୍ଷା କର୍ମୀମାନେ ସବୁ ଗାଡ଼ି କଥା ଭୁଲି ପ୍ରଥମେ ଆମ୍ବୁଲାନ୍ସକୁ ଗହଳିରୁ ବାହାର କରିଥିଲେ। ବାଇକ୍ ଚାଳକଙ୍କୁ ପଛକୁ ଠେଲି ଆମ୍ବୁଲାନ୍ସକୁ ଆଗକୁ ବଢ଼ିବାକୁ ଦେଇଥିଲେ।
ତେବେ ପ୍ରତିଦିନ ସନ୍ଧ୍ୟା ସମୟରେ କିଟ୍ ରାସ୍ତାରେ ପ୍ରବଳ ଗହଳି ହେଉଥିଲେ ମଧ୍ୟ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି ଟ୍ରାଫିକ୍ ପୁଲିସ। ଯେଉଁଥିପାଇଁ ଆମ୍ବୁଲାନ୍ସ ଅଟକିବା ଭଳି ପରିସ୍ଥିତି ଉପୁଜିବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ତେବେ ଟ୍ରାଫିକ୍ ସମସ୍ୟା ନେଇ ସ୍ଥାନୀୟ ପୁଲିସ ଯେଉଁ ଯୁକ୍ତି ବାଢ଼ିଛି, ତାହା ବି ଆଶ୍ଚର୍ଯ୍ୟ କରିବା ଭଳି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, କିଟ୍ ବିଶ୍ବବିଦ୍ୟାଳୟ ନିକଟରେ ଥିବା ସପିଂ ମଲ୍ ଓ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ନିଜସ୍ବ ପାର୍କିଂ ବ୍ୟବସ୍ଥା ନାହିଁ। ତେଣୁ ଯେଉଁ ଗ୍ରାହକମାନେ ସପିଂ କରିବାକୁ ଆସୁଛନ୍ତି, ସେମାନେ ରାସ୍ତା ପାର୍ଶ୍ବରେ ଗାଡ଼ି ରଖି ଚାଲି ଯାଉଛନ୍ତି। ଯେଉଁଥିପାଇଁ ସବୁଦିନ ଟ୍ରାଫିକ୍ ସମସ୍ୟା ଦେଖାଯାଉଛି। ଆଉ କେତେକ ସ୍ଥାନରେ ଉଠାଦୋକାନୀ ରାସ୍ତାପାର୍ଶ୍ବରେ ପସରା ମେଲାଇ ଦେଉଛନ୍ତି। ଆମେ ଚଢ଼ଉ କଲେ ଦିନେ ଦୁଇଦିନ ଆସୁନାହାନ୍ତି। ପରେ ଯେସାକୁ ତେସା। ଫଳରେ ଟ୍ରାଫିକ୍ ସମସ୍ୟା ହେଉଛି।
from Kanak News https://ift.tt/2KfUHuR https://ift.tt/2YAVLgB
No comments: