ଭିନ୍ନକ୍ଷମଙ୍କ ପ୍ରକୃତି ପ୍ରେମ : ନୟାଗଡ଼ର ଲୋକନାଥଙ୍କ ପାଇଁ ସବୁଜିମାମୟ ମୁଣ୍ଡିଆ ପାହାଡ଼ Kanak News

କନକ ବ୍ୟୁରୋ : ୬ ବର୍ଷ ମଧ୍ୟ‌ରେ ଦୁଇ ଥର ରାସ୍ତା ଦୁର୍ଘଟଣା । ଡାହାଣ ଗୋଡ଼ ତାଙ୍କର ଅଚଳ ହୋଇପଡ଼ିଛି, କିନ୍ତୁ ମନ ରହିଛି ସେମିତି ଚଳଚଞ୍ଚଳ। ‘ମୋ ପରିବେଶ, ମୋ ଗାଁର ସୁରକ୍ଷା ମୋର ଦାୟିତ୍ବ’ ବୋଲି କହୁଥିବା ଯୁବକ ଜଣକ ହେଉଛନ୍ତି ଲୋକନାଥ ଡାକୁଆ(୪୦) । ଘର ନୟାଗଡ଼ ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମରେ । ଦିନ ଥିଲା ଲୋକନାଥଙ୍କର ଏଭଳି ଅଜବ ନିଶା ପାଇଁ ତାଙ୍କୁ ପାଗଳ କହି ଟାହିଟାପରା କରାଯାଉଥିଲା । କିନ୍ତୁ ଶରଧାପୁର ଗ୍ରାମବାସୀ ତଥା ଆଖପାଖ ଅଞ୍ଚଳର ଲୋକମାନେ ଏବେ ଲୋକନାଥଙ୍କ ପ୍ରଶଂସାରେ ଶତମୁଖ । ସାତ, ଆଠ ବର୍ଷ ପୂ‌ର୍ବେର ଲଣ୍ଡା ପାହାଡ଼ ଏବେ ସବୁଜିମାରେ ଭରପୁର ।

ଲୋକନାଥଙ୍କର ପିଲାବେଳୁ ଗଛ, ପାହାଡ଼ ପ୍ରତି ଦୁର୍ବଳତା ଥିବା ବେଳେ ସେ ଯେଉଁଠିକ ଯାଆନ୍ତି, ପ୍ରଥମେ ସେଠାରେ କି କି ଗଛ ଅଛି ତା’ର ଅନୁଧ୍ୟାନ କରନ୍ତି । ଗଛ ଆଣି ନିଜ ବାଡ଼ିବଗିଚାରେ ମଧ୍ୟ ଲଗାନ୍ତି । ବନ୍ଧୁବାନ୍ଧବଙ୍କୁ ମଧ୍ୟ ରୋପଣ କରିବାକୁ ଦିଅନ୍ତି । ଜଣେ ପେଣ୍ଟର୍ ଭାବେ ପୂର୍ବେ ଲୋକନାଥ କାର୍ଯ୍ୟ କରୁଥିଲେ। ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ପାଇଁ ହୋର୍ଡିଂ ଆଦି ଲେଖୁଥିଲେ । ୨୦୧୦ ମାର୍ଚ୍ଚରେ ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିବା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ‌୍ ମହିପୁର ନିକଟରେ ସେ ଦୁର୍ଘଟଣାଗ୍ରସ୍ତ ‌ହେଲେ । ପୁଲିସ ମାମଲା ଭୟରେ ସାଙ୍ଗମାନେ ତାଙ୍କୁ ସରକାରୀ ଚିକିତ୍ସାଳୟକୁ ନ ନେଇ ନୟାଗଡ଼ର ଏକ ଦେଶୀ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସା ପରେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ‌‌ହୋଇଥିବା ତାଙ୍କର ଗୋଡ଼ ଭଲ ହେବ କ’ଣ ଅଧିକ ଜଟିଳତା ସୃଷ୍ଟି ହୋଇଥିଲା । ଦୁର୍ଘଟଣାର ୩ ମାସ ପରେ ତାଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିଲା । ସେଠା‌ରେ ବହୁ କଷ୍ଟରେ ସେ ଆରୋଗ୍ୟ ଲାଭ କରିଥିଲେ ସତ, କିନ୍ତୁ ସବୁଦିନ ପାଇଁ ତାଙ୍କ ଗୋଡ଼ ବଙ୍କା ହୋଇଯାଇଥିଲା । ଏହି ପରିସ୍ଥିତିରେ ସେ ଘରକୁ ଫେରିବା ପରେ ପୂର୍ବରୁ କରୁଥିବା ପେଣ୍ଟିଂ କାମ ଆଉ କରି ପାରିନଥିଲେ। ଘରେ ବସିରହିବା ସମୟରେ ତାଙ୍କ ଭିତରେ ଥିବା ଗଛ ଲଗାଇବାର ଇଚ୍ଛାଶକ୍ତି ଅଧିକ ଦୃଢ଼ ହୋଇଥିଲା ଏବଂ ସେ ସ୍ଥାନୀୟ ବାବାଜୀ ମୁଣ୍ଡିଆ ପାହାଡ଼କୁ ସବୁଜିମାମୟ କରିବାକୁ ନିଷ୍ପତ୍ତି ନେଇଥିଲେ।

୨୦୧୧ରୁ ସେ ବାବାଜୀ ମୁଣ୍ଡିଆ ପାହାଡ଼ରେ ଗଛ ଲଗାଇବା ଆରମ୍ଭ କରିଥିଲେ। ଏଥି ନେଇ ସେ ଜଙ୍ଗଲ ବିଭାଗରୁ ଚାରା ନୁହେଁ, ନିଜେ ମଞ୍ଜିରୁ ଚାରା ପ୍ରସ୍ତୁତ କରିବା ସହ ବିଭିନ୍ନ ଜାଗାରୁ ଚାରା ସଂଗ୍ରହ କରିଥିଲେ । ଗୋଡ଼ ଅଚଳ ହୋଇଯିବା ପରେ ଲୋକନାଥଙ୍କର ଏଭଳି ମତିଗତି ଦେଖି ସାଙ୍ଗସାଥୀଙ୍କଠାରୁ ଆରମ୍ଭ କରି ଗ୍ରାମବାସୀ ତାଙ୍କୁ ପାଗଳର ଆଖ୍ୟା ଦେଇଥିଲେ । ମୁଣ୍ଡିଆ ଉପରେ ହରିନାରାୟଣ ମନ୍ଦିର‌ରେ ରହୁଥିବା ଜଣେ ବାବାଙ୍କ ଅନୁମତି ନେଇ ସେ ଗଛ ଲଗାଇବା ଆରମ୍ଭ କରିଥିଲେ । ଦୀର୍ଘ ସମୟ ସେଠାରେ ବିତାଉଥିବାରୁ ଘରେ ତାଙ୍କ ପତ୍ନୀ କୁମାରୀ ଡାକୁଆଙ୍କ ସମେତ ବାପା ପ୍ରହ୍ଲାଦ ଓ ମା’ ଭାନୁମତୀ ମଧ୍ୟ ବିରକ୍ତି ପ୍ରକାଶ କରୁଥିଲେ । ତେବେ ପରିବାରର ଲୋକଙ୍କ ବିରକ୍ତି ତାଙ୍କର ଗଛ ଲଗାଇବାର ନିଶା ଉପରେ କୌଣସି ପ୍ରଭାବ ପକାଇପାରୁନଥିଲା ବୋଲି ଲୋକନାଥ କହିଛନ୍ତି । ଭଙ୍ଗା ଗୋଡ଼ରେ ଲୋକନାଥ ନିକଟସ୍ଥ ଏକ ପୋଖରରୀରୁ କେତେ ଶହ ବାଲ୍‌ଟି ପାଣି ନେଇ ଗଛ ସବୁକୁ ବଞ୍ଚାଇଛନ୍ତି ।

ମୁଣ୍ଡିଆ ପାହାଡ଼ ଉପରକୁ ପାଦ ଚଲା ବାଟ ନଥିବା ବେ‌ଳେ ଲୋକନାଥ ସେଠାକୁ ବାଟ ଫିଟାଇଥିଲେ । ବଡ଼ ପଥର ଖଣ୍ଡ ସବୁକୁ ଗଡ଼ାଇବାକୁ ସେ କିଛି ସାଙ୍ଗସାଥୀଙ୍କ ସାହାଯ୍ୟ ମଧ୍ୟ ନେଇଥିଲେ । ଏପରି ସ୍ଥିତିରେ ପୁନର୍ବାର ୨୦୧୬ରେ ସ୍ଥାନୀୟ ବରପଲ୍ଲୀ ଛକ ନିକଟରେ ସେ ପୁଣିଥରେ ଦୁର୍ଘଟଣାର ସମ୍ମୁଖୀନ ହେଲେ। ପୂର୍ବରୁ ଭାଙ୍ଗିଥିବା ଗୋଡ଼ ଉପରେ ଆଉଥରେ ଗାଡ଼ି ଚଢିଯିବାରୁ ଅବସ୍ଥା ଗୁରୁତର ହେଲା । ଡାକ୍ତରମାନେ ପ୍ରଥମେ ଗୋଡ଼ କାଟିବେ ବୋଲି ଶୁଣାଇ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏଥିରୁ ଓହରିଥିଲେ। ଅଣ୍ଟାରୁ ହାଡ଼ ଓ ମାଂସ ନିଆଯାଇ ଲୋକନାଥଙ୍କ ଅପରେସନ୍ କରାଯାଇଥିଲା। ଲୋକନାଥ ସୁସ୍ଥ ହୋଇଥିଲେ ମଧ୍ୟ ପୂର୍ବାପେକ୍ଷା ତାଙ୍କ ଗୋଡ଼ ଆହୁରି ଦୁର୍ବଳ ହୋଇଯାଇଥିଲା । ଆଗଭଳି ସେ ନିଜେ ଗଛ ଲଗାଇବାକୁ ଆଉ ସକ୍ଷମ ‌ହେଉ ନଥିବା ବେଳେ ଅନ୍ୟମାନଙ୍କ ଜରିଆରେ ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି ।



from Kanak News https://ift.tt/2KCzDO1 https://ift.tt/2MaHgyj

ଭିନ୍ନକ୍ଷମଙ୍କ ପ୍ରକୃତି ପ୍ରେମ : ନୟାଗଡ଼ର ଲୋକନାଥଙ୍କ ପାଇଁ ସବୁଜିମାମୟ ମୁଣ୍ଡିଆ ପାହାଡ଼ Kanak News ଭିନ୍ନକ୍ଷମଙ୍କ ପ୍ରକୃତି ପ୍ରେମ : ନୟାଗଡ଼ର ଲୋକନାଥଙ୍କ ପାଇଁ ସବୁଜିମାମୟ ମୁଣ୍ଡିଆ ପାହାଡ଼ Kanak News Reviewed by SUBHENDU BARAL on August 10, 2019 Rating: 5

No comments:

Powered by Blogger.