କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ଶୃଙ୍ଖଳା କବ୍ଜା କରିସାରିଛି । ଆମେରିକାର ଫ୍ଲୋରିଡାରେ ଏହି ଦୁଇଟି ମ୍ୟାଚ୍ ଖେଳାଯିବା ପରେ ମଙ୍ଗଳବାର ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍ ଗୟନାରେ ଖେଳାଯିବ । ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ନଥିଲା । ୯୮ ରନ୍ର ବିଜୟ ଲକ୍ଷ୍ୟକୁ ସଂଘର୍ଷ କରି ୪ ୱିକେଟ୍ରେ ଜିତିଥିଲା । ହେଲେ ବିରାଟ ବାହିନୀ ଦ୍ବିତୀୟ ମ୍ୟାଚ୍ରେ ଲୟକୁ ଫେରିଥିଲା । ରୋହିତ ଶର୍ମାଙ୍କ ଅର୍ଧଶତକ ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ୨୨ ରନ୍ (ଡି/ଏଲ୍)ରେ ଇଣ୍ଡିଜ୍କୁ ପରାସ୍ତ କରି ଆଗୁଆ ଶୃଙ୍ଖଳା କବ୍ଜା କରିନେଇଥିଲା ।
ଶୃଙ୍ଖଳା ଆଗୁଆ କବ୍ଜା କରିଥିବାରୁ ଭାରତ ଶେଷ ମ୍ୟାଚ୍ରେ ଚୂଡ଼ାନ୍ତ ଏକାଦଶର ପରିବର୍ତନ କରିବା ନେଇ ଅଧିନାୟକ କୋହଲି ଆଭାସ ଦେଇଛନ୍ତି । ଦୁଇଟି ମ୍ୟାଚ୍ରେ ବିଫଳ ହୋଇଥିବା ଋଷବ ପନ୍ତ୍ (୪, ୦)ଙ୍କୁ ବସାଇ ଲୋକେଶ ରାହୁଲ ଚୂଡ଼ାନ୍ତ ଦଳରେ ସାମିଲ ହେବାର ସମ୍ଭାବନା ରହିଛି । କିନ୍ତୁ କୋହଲିଙ୍କ ସମର୍ଥନ ପନ୍ତଙ୍କ ସହ ଥିବାରୁ ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ରାହୁଲ ଖେଳିଲେ ଶିଖର ଧାୱନ୍ କିମ୍ବା ରୋହିତଙ୍କ ମଧ୍ୟରୁ ଜଣକୁ ଦଳ ବିଶ୍ରାମ ଦେଇପାରେ । ବୋଲିଂରେ ଯୁବ ଦ୍ରୁତ ବୋଲର ନଭଦୀପ ସଇନିଙ୍କୁ ବିଶ୍ରାମ ଦେଇ ଲେଗ୍ ବ୍ରେକ୍ ବୋଲର ରାହୁଲ ଚହର ତୃତୀୟ ମ୍ୟାଚ୍ରେ ଖେଳିପାରନ୍ତି । ସେହିଭଳି ରବୀନ୍ଦ୍ର ଜାଦେଜାଙ୍କୁ ବିଶ୍ରାମ ଦେଇ ଦୀପକ ଚହରଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ନେବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ଆୟୋଜକ ଇଣ୍ଡିଜ୍ ଏହି ଶୃଙ୍ଖଳାରେ ମୂଳପୋଛକୁ ରୋକିବା ସହ ସମ୍ମାନ ରଖିବା ଲାଗି ଖେଳିବ । କିରଣ ପୋଲାର୍ଡ ଏବଂ ଅଧିନାୟକଙ୍କ କାର୍ଲୋସ ବ୍ରାଥୱେଟ୍ ବଡ଼ ସ୍କୋର୍ କଲେ ମ୍ୟାଚ୍ ଜିତିବା ଦଳ ପାଇଁ ଅସମ୍ଭବ ହେବନାହିଁ । ତୃତୀୟ ମ୍ୟାଚ୍ ଜିତି ଦିନିକିଆ ଓ ଟେଷ୍ଟ୍ ପୂର୍ବରୁ ଆତ୍ମବିଶ୍ବାସ ବଢ଼ାଇବା ଲକ୍ଷ୍ୟରେ ରହିବ ଏହି ଦଳ ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ୍, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ, କ୍ରୁନାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଓ୍ବାସିଂଟନ୍ ସୁନ୍ଦର, ରାହୁଲ ଚହର, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ଦୀପକ ଚହର, ନଭଦୀପ ସଇନି।
from Kanak News https://ift.tt/2OH1uBK https://ift.tt/2T35Wt5
No comments: