
କନକ ବ୍ୟୁରୋ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ତୃତୀୟ ତଥା ଶେଷ ଦିନିକିଆ ଶୃଙ୍ଖଳା ଖେଳାଯିବ। ଧଳା ବଲରେ ଯୁଗଳ ମୂଳପୋଛ ଲକ୍ଷ୍ୟରେ ରହିଛି ଅତିଥି ଭାରତୀୟ ଦଳ। ଧଳା ବଲରେ ଖେଳାଯାଉଥିବା ସୀମିତ ଓଭର କ୍ରିକେଟ୍ ମଧ୍ୟରୁ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିସାରିଥିବା ଭାରତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଛି। ପ୍ରଥମ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ଯୋଗୁଁ ଫଳାଫଳ ବାହାରି ପାରିନଥିଲା ବେଳେ ଦ୍ବିତୀୟ ମ୍ୟାଚକୁ ୫୯ ରନ୍ (ଡି/ଏଲ୍)ରେ ଜିତିଥିଲା ଭାରତ। ସେହି ଦୃଷ୍ଟିରୁ ଆଜିର ମ୍ୟାଚ୍ ଶୃଙ୍ଖଳା ବିଜୟ ପାଇଁ ଗୁରୁତ୍ବପୂର୍ଣ୍ଣ। ଏହି ମ୍ୟାଚ୍ ଜିତି ୨-୦ ବିଜୟ ସହ ଶୃଙ୍ଖଳା ହାତେଇବା ଲକ୍ଷ୍ୟରେ ବିରାଟ କୋହଲିଙ୍କ ଭାରତ ଲକ୍ଷ୍ୟ ରଖିଥିଲା ବେଳେ ଆଉ ଏକ ମୂଳପୋଛରୁ ବର୍ତିବା ପାଇଁ ଘରୋଇ ୱେଷ୍ଟଇଣ୍ଡିଜ୍ ଦଳ ପ୍ରୟାସ କରିବ। ଶେଷ ଟେଷ୍ଟ୍କୁ ଜିତି ଅତି କମ୍ରେ ଦିନିକିଆ ଶୃଙ୍ଖଳାକୁ ଅମୀମାଂସିତ ରଖି ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ମନୋବଳ ଉଚ୍ଚା କରିବାକୁ ଚାହିଁବ ୱେଷ୍ଟଇଣ୍ଡିଜ୍।
ତେବେ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧ୍ବାୱନ୍ ଚାପରେ ରହିଛନ୍ତି। ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଯଥାକ୍ରମେ ୧, ୨୩ ଓ ୩ ରନ୍ କରିଥିବା ଧାୱନ୍ ଦ୍ବିତୀୟ ଦିନିକିଆରେ ୨ ରନ୍ କରିଥିଲେ। ତାଙ୍କ ପ୍ରଦର୍ଶନ ଦଳର ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ସେଲ୍ଡନ୍ କଟ୍ରେଲଙ୍କ ବଲକୁ ଠିକ୍ ଭାବେ ବୁଝିନପାରି ସେ ଦୁଇ ଥର ୱିକେଟ୍ ହରାଇଛନ୍ତି। ତେଣୁ ଟେଷ୍ଟ୍ ଦଳରେ ସେ ସାମିଲ ନଥିବାରୁ ବୁଧବାର ମ୍ୟାଚରେ ଭଲ ସ୍କୋର୍ କରି କାରବିଆନ୍ ଅଭିଯାନକୁ ଉଚ୍ଚରେ ଶେଷ କରିବାକୁ ଲକ୍ଷ୍ୟ ରଖିଥିବେ। ଅନ୍ୟପକ୍ଷରେ ଶ୍ରେୟସ ଆୟରଙ୍କ ଉପରେ ପୁଣି ନଜର ରହିବ। ଦ୍ବିତୀୟ ମ୍ୟାଚରେ ଅଧିନାୟକ ବିରାଟ କୋହଲିଙ୍କ ଶତକୀୟ ପାଳି ସାଙ୍ଗକୁ ଆୟର ଅର୍ଧଶତକ ଜମାଇ ଭାରତକୁ ବଡ଼ ସ୍କୋର୍ ଦେଇଥିଲେ। ଚାପ ଆଗରେ ଆୟର ଚମତ୍କାର ପ୍ରଦର୍ଶନ କରିଥିଲେ। ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ କିନ୍ତୁ ବିଫଳ ହୋଇଥିଲେ। ତେଣୁ ପନ୍ତଙ୍କ ବଦଳରେ ଆୟରଙ୍କୁ ହିଁ ୪ ନମ୍ବରରେ ବ୍ୟାଟିଂ ପାଇଁ ପଠାଇବାକୁ ଅଧିକାଂଶ ପୂର୍ବତନ ଖେଳାଳି ଆହ୍ବାନ ଦେଇଛନ୍ତି।
ଅନ୍ୟପକ୍ଷରେ ବୋଲିଂ ଆକ୍ରମଣରେ ଭୁବନେଶ୍ବର କୁମାର ଦମ୍ଦାର ପ୍ରଦର୍ଶନ ଜାରି ରଖିଛନ୍ତି। ତାଙ୍କ ୪/୩୧ ହିଁ ଦ୍ବିତୀୟ ମ୍ୟାଚରେ ଭାରତକୁ ବିଜୟୀ କରାଇବାର ଅନ୍ୟତମ ଭୂମିକା ନେଇଥିଲା। ମହମ୍ମଦ ସାମି ଓ ଖଲିଲ ଅହମ୍ମଦ ମଧ୍ୟ ସଠିକ୍ ଲୟରେ ରହିଛନ୍ତି। କୁଲ୍ଦୀପ୍ ଯାଦବ କିଛି ଅଧିକ ରନ୍ ବ୍ୟୟ କରିଥିଲେ ମଧ୍ୟ ୱିକେଟ୍ କାଢ଼ିଥିଲେ। ଏହି ଦୃଷ୍ଟିରୁ ବିଜୟ ଧାରାରେ ରହିଥିବା ଦଳରେ କିଛି ପରିବର୍ତନ ନକରିବାକୁ ଅଧିନାୟକ କୋହଲି ଚାହିଁଛନ୍ତି। ତଥାପି ଶେଷ ଦିନିକିଆରେ ନଭଦୀପ ସଇନିଙ୍କୁ ସୁଯୋଗ ଦେବା ପାଇଁ ସାମିଙ୍କୁ ଚୂଡାନ୍ତ ଏକାଦଶରୁ ବିଶ୍ରାମ ଦେବାର ଆଭାସ ମିଳିଛି।
ଘରୋଇ ଦଳ କିନ୍ତୁ ବ୍ୟାଟିଂ ବିଭାଗରେ ପଛରେ ପଡ଼ିଯାଇଛି। ଶୃଙ୍ଖଳା ବରାବର ସହ ସମ୍ମାନ ବଞ୍ଚାଇବାକୁ ହେଲେ ୱେଷ୍ଟଇଣ୍ଡଜ୍ ବ୍ୟାଟସମ୍ୟାନଙ୍କୁ ଅଧିକ ଦାୟିତ୍ବ ନିର୍ବାହ କରିବାକୁ ପଡ଼ିବ। ବିଶେଷକରି ସାଇ ହୋପ୍, ସିମ୍ରନ୍ ହେଟ୍ମେର୍ ଏବଂ ନିକୋଲାସ୍ ପୂରନଙ୍କ ଭଳି ଦକ୍ଷ ଖେଳାଳିଙ୍କୁ ବଡ଼ ପାଳି ଖେଳିବାକୁ ପଡ଼ିବ। ପୁଣି କ୍ରିସ୍ ଗେଲଙ୍କ ପାଇଁ ସମ୍ଭବତଃ ଏହା ଶେଷ ଦିନିକିଆ ଥିବାରୁ ତାଙ୍କୁ ଦଳ ପାଇଁ ଏକ ସ୍ମରଣୀୟ ପାଳି ଖେଳିବାକୁ ପଡ଼ିବ। ନ ହେଲେ ଭାରତ ନିକଟରୁ ଦଳ ଟ୍ବେଣ୍ଟି-୨୦ ଭଳି ଦିନିକିଆ ଶୃଙ୍ଖଳାରେ ମଧ୍ୟ ମୂଳପୋଛ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। ବୁଧବାରର ମ୍ୟାଚ୍ ପରେ ଉଭୟ ଦଳ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାକୁ ଓହ୍ଲାଇବେ। ନାଲି ବଲର ଏହି ଶୃଙ୍ଖଳା ଆସନ୍ତା ୨୨ ତାରିଖରୁ ଆଣ୍ଟିଗୁଆର ନର୍ଥ ସାଉଣ୍ଡରେ ହିଁ ଆରମ୍ଭ ହେବ।
from Kanak News https://ift.tt/2N6kK9H https://ift.tt/2TtQLcQ
No comments: