ବର୍ଷା କମିବା ପରେ ବଲାଙ୍ଗୀରରେ ଛାଡୁଛି ବନ୍ୟା, ବଢ଼ୁଛି ଦୁର୍ଦ୍ଦଶା । ଓଦା, କାଦୁଅ ଘର ସଜାଡୁଛନ୍ତି ବନ୍ୟା ବିପନ୍ନ Kanak News

କନକ ବ୍ୟୁରୋ: ବର୍ଷା କମିବା ପରେ ବଲାଙ୍ଗୀରରୁ ବନ୍ୟା ପାଣି ଛାଡିଯାଇଛି । ହେଲେ ଏହା ଲୋକଙ୍କ ଦେଇଯାଇଛି ଅନେକ ଦୁଃଖ । ବଢ଼ାଇଦେଇଛି ଦୁର୍ଦ୍ଦଶା । ଜୀବନ ବଂଚାଇବାକୁ ଘର ଛାଡି ଚାଲିଯାଇଥିବା ବନ୍ୟା ପୀଡିତ ଏବେ ଘରକୁ ଫେରିଛନ୍ତି । ଲାଗିପଡିଛନ୍ତି ଉଜୁଡି ଯାଇଥିବା ଘରକୁ ସଜାଡିବାରେ । ଘରର ଆସବାବପତ୍ର ପୂରା ନଷ୍ଟ ହୋଇଯାଇଛି । ଜୀବନ ସାରା ରୋଜଗାର କରି ଘର ପାଇଁ କରିଥିବା ଘରକରଣା ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଅନେକ ସ୍ଥାନରେ ଭାସି ମଧ୍ୟ ଯାଇଛି । ତଥାପି ଓଦା କାଦୁଅ ଭିତରୁ ନିଜର ପ୍ରିୟ ଜିନିଷକୁ ଖୋଜୁଛନ୍ତି ବିପନ୍ନ । ପାଠପଢ଼ା ପିଲାଙ୍କ କଥା ଆହୁରି ଦୟନୀୟ । ବହି ଖାତା ପାଣିରେ ପୁରା ନଷ୍ଟ ହୋଇଯାଇଛି । କେଉଁଠି ବହି ଖାତା ଓ ସ୍କୁଲ ବ୍ୟାଗ ଉପରେ କାଦୁଅ ଚଢ଼ିଯାଇଛି । କେତେକ ସ୍ଥାନରେ ପାଣି ଛାଡିବା ପରେ ପିଲାମାନେ ପାଠପଢ଼ା ବହିକୁ ଖରାରେ ଶୁଖାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।
ସେହିପରି ପାଣି ପଶିଯିବାରୁ ଘରେ ଥିବା ଚାଉଳ ସମ୍ପୂର୍ଣ୍ଣ ଭିଜି ଯାଇଛି । ପାଣି ଛାଡିବା ପରେ ଏହାକୁ ଲୋକମାନେ ଖରାରେ ଶୁଖାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ପାଣିରେ ତିନି ଦିିନ ବୁଡି ରହିବାରୁ ତାହା ଆଉ ଖାଇବା ଉପଯୋଗୀ ନୁହେଁ ବୋଲି କହିଛନ୍ତି ବନ୍ୟା ପୀଡିତ । ଏସବୁ ଭିତରେ ସରକାରୀ ସହାୟତା ଲୋକଙ୍କ ପାଖରେ ପହଁଚିନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଏମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।
from Kanak News https://ift.tt/2TDiEyZ https://ift.tt/33DQFEf


No comments: