ୱାଶିଂଟନ୍: କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଗ୍ରହୀ। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସହ ହ୍ୱାଇଟ୍ ହାଉସରେ ଆଲୋଚନା ବେଳେ ଟ୍ରମ୍ପ ଏହି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ଇମ୍ରାନ୍ ଖାନ୍ କଶ୍ମୀର ପ୍ରସଙ୍ଗକୁ ଉଠାଇଥିଲେ।
ଟ୍ରମ୍ପ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଶ୍ମୀର ପ୍ରସଙ୍ଗରେ ସହାୟତା ପାଇଁ କହିଥିଲେ। ଯଦି ଏହି ବିବାଦର ସମାଧାନ ପାଇଁ ମୋତେ ମଧ୍ୟସ୍ଥତାର ସୁଯୋଗ ମିଳେ ତା’ହେଲେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି।’
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସହ ଆମେରିକା ରାଷ୍ଟ୍ରପତିଙ୍କ ଜଏଣ୍ଟ ଷ୍ଟେଟ୍ମେଣ୍ଟକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। କଶ୍ମୀର ପ୍ରସଙ୍ଗରେ ମୋଦି ମଧ୍ୟସ୍ଥତା କରିବା ପାଇଁ ଅନୁରୋଧ କରିଥିବା କଥା ଟ୍ରମ୍ପ କହିଛନ୍ତି। ତେବେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସ୍ତାବକୁ ନୂଆଦିଲ୍ଲୀ ପ୍ରତ୍ୟାଖ୍ୟାନ କରିଛି। କଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ କଥା। ଏଥିରେ ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ। ତା’ ଛଡ଼ା କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କୁ ମୋଦି ଅନୁରୋଧ କରି ନାହାନ୍ତି ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସୀମାପାର ଆତଙ୍କବାଦ ବନ୍ଦ ନ ହେଲେ ପାକିସ୍ତାନ ସହ କୌଣସି ଦ୍ୱିପାକ୍ଷିକ ଆଲୋଚନା ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି।
from OTV Khabar. https://ift.tt/2Z2OnvG
No comments: