ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପାଇଁ ସଙ୍କଟ ଘନେଇବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ କିଛି ବି ହଇଚଇ ସୃଷ୍ଟି ହୋଇପାରେ। ଗତକାଲି କଂଗ୍ରେସର ୧୦ଜଣ, ଜେଡିଏସ୍ର ୩ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ମେଣ୍ଟ ସରକାରର ଭବିଷ୍ୟତ ନେଇ ସଙ୍କଟ ଦେଖାଦେଇଛି।
ଏଣେ ଇସ୍ତଫା ଦେଇଥିବା ୧୩ଜଣ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ମୁମ୍ବାଇର ଏକ ରିସୋର୍ଟରେ ରହିଛନ୍ତି। ଏମାନଙ୍କୁ ମନେଇବାକୁ କଂଗ୍ରେସର ବରିଷ୍ଠ ନେତା ଡି ଶିବକୁମାର ଚେଷ୍ଟା କରିଥିବା ଜଣାପଡ଼ିଛି। ଅନ୍ୟ ବିଧାୟକଙ୍କୁ ବି ଡାକି ଏକଜୁଟ୍ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଗତକାଲି ବାଚସ୍ପତି ନ ଥିବାରୁ ତାଙ୍କ ସଚିବଙ୍କୁ ବିଧାୟକମାନେ ଇସ୍ତଫା ପତ୍ର ଦେଇଛନ୍ତି। ବାଚସ୍ପତିଙ୍କୁ ଭେଟି ନ ପାରିବା ପରେ ଏହି ବିଧାୟକମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ତେଣୁ ଏବେ ବାଚସ୍ପତିଙ୍କ ଭୂମିକା ବେଶ୍ ଗୁରୁତ୍ୱ ବହନ କରୁଛି।
ଅନ୍ୟପକ୍ଷେ ଆମେରିକା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ଆଜି ଭାରତ ଫେରିବାର ସମ୍ଭାବନା ରହିଛି। ସେହିପରି କର୍ଣ୍ଣାଟକ ପିସିସି ସଭାପତି ଦିନେଶ ଗୁଣ୍ଡୁରାଓ ବିଦେଶ ଗସ୍ତକୁ କାଣ୍ଟଛାଣ୍ଟ କରି ଆଜି ଫେରୁଛନ୍ତି। ମୁଖ୍ୟମନ୍ତ୍ରୀ ଆସିବା ପରେ କର୍ଣ୍ଣାଟକ ସମସ୍ୟା ସୁଧୁରୁଛି ନା ଆହୁରି କିଛି ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିବ।
କର୍ଣ୍ଣାଟକରେ ବିଜେପି ଆଗାମୀ ଦିନରେ ସରକାର ଗଠନ କରିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
from OTV Khabar. https://ift.tt/2L7PvKU
No comments: