ଭୁବନେଶ୍ୱର: ୨୦୧୮ ମସିହା ପାଇଁ ଗୃହ ବିଭାଗର ଶ୍ୱେତପତ୍ର ପ୍ରକାଶ ପାଇଛି। ଶ୍ୱେତପତ୍ରରେ ୨୦୧୮ ବର୍ଷରେ ରାଜ୍ୟରେ ଦୁଷ୍କର୍ମ ମାମଲା ଉଦ୍ବେଗଜନକ ରହିଥିବା ଦର୍ଶାଯାଇଛି। ୨୦୧୮ରେ ମୋଟ୍ ୨୫୦୨ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା ବେଳେ ସେଥିରୁ ୨୪୫୯ଟି ମାମଲା ସତ୍ୟ ଅଟେ ୧୫୨୬ ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି। ତେବେ ୨୦୧୮ରେ ରାଜ୍ୟରେ ଆଇନ୍ ଶୃଙ୍ଖଳା ଶାନ୍ତିପୂର୍ଣ୍ଣ ଥିଲା ଏବଂ ୧୯ ନିର୍ବାଚନ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଶ୍ୱେତପତ୍ରରେ ଦର୍ଶାଯାଇଛି।
ପ୍ରକାଶ ପାଇଥିବା ଏହି ଶ୍ୱେତପତ୍ରରେ ରାଜ୍ୟର ମୁଖ୍ୟ ପର୍ବ ପର୍ବାଣୀ ଗୁଡ଼ିକରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିବା ଉଲ୍ଲେଖ ରହିଛି। କିନ୍ତୁ ୨୦୧୮ରେ ୩୪ ଥର ହିନ୍ଦୁ-ମୁସଲିମ ବିଦ୍ୱେଷ ଓ ୫ ଥର ହିନ୍ଦୁ-ଖ୍ରୀଷ୍ଟିଆନ ବିଦ୍ୱେଷ ଦେଖାଦେଇଥିଲେ ହେଁ ବଡ଼ ଧରଣର ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନ ଥିବା ଉଲ୍ଲେଖ ରହିଛି। କୌଣସି ଛାତ୍ର ଅଶାନ୍ତି ବି ଦେଖାଯାଇନାହିଁ।
୨୦୧୮ରେ ବିଭିନ୍ନ କାରଣରୁ ୩୩ ଥର ଗୁଳିଚାଳନା ହୋଇଥିଲା। ତେବେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦେଖାଯାଇ ନ ଥିବା ଉଲ୍ଲେଖ ରହିଛି। ୬ଟି ଜିଲ୍ଲା ଯାଜପୁର, ଢେଙ୍କାନାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବାମପନ୍ଥୀ କାର୍ଯ୍ୟକଳାପ ପରିଲକ୍ଷିତ ହୋଇ ନ ଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି।
ସେହିପରି ୨୦୧୮ରେ ୧୯ ଜଣ ମାଓବାଦୀ ମୃତ୍ୟୁବରଣ କରିଥିଲେ। ୩୯ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୨୭ ଜଣ ଆତ୍ମସମର୍ପଣ କରିଥିଲେ। ୨୦୧୮ରେ ୧ଲକ୍ଷ ୭ହଜାର ୪୦୮ ଟି ଧର୍ତ୍ତବ୍ୟ ମାମଲା ପଞ୍ଜିକୃତ ହୋଇଛି। ସେଥିରୁ ୧ଲକ୍ଷ ୩ହଜାର ୮୫୮ଟି ସତ୍ୟ ଥିବାବେଳେ ୬୯ହଜାର ୩୪୧ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି। ୨୦୧୮ରେ ୧୩୭୮ଟି ନରହତ୍ୟା ପଞ୍ଜିକୃତ ହୋଇଛି। ୨୦୧୮ରେ ୫୦୧ଟି ଯୌତୁକ ଜନିତ ହତ୍ୟା ମାମଲା ରୁଜୁ ହୋଇଛି।
from OTV Khabar. https://ift.tt/2JYPVlf
No comments: