ଶ୍ରୀହରିକୋଟା: ଆଜି ଉତ୍କ୍ଷେପଣ ହେବ ଚନ୍ଦ୍ରଯାନ-୨ ମହାକାଶ ଯାନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାର ସତୀଶ ଧଓ୍ୱନ୍ ମହାକାଶ କେନ୍ଦ୍ରରୁ ଏହି ଉତ୍କ୍ଷେପଣ କରାଯିବ। ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ନେଇ ଜହ୍ନ ରାଇଜକୁ ଯାତ୍ରା କରିବ ସବୁଠାରୁ ଶକ୍ତିଶାଳୀ ରକେଟ୍ GSLV ମାର୍କ -3। ୬୪୦ ଟନ୍ ଓଜନର ରକେଟ୍ର ନାଁ ହେଉଛି ବାହୁବଳୀ।
ଗତ ୧୫ ତାରିଖରେ ଏହି ମିଶନ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କ୍ରାଓଜେନିକ ଇଞ୍ଜିନରେ ତ୍ରୁଟି ଯୋଗୁ ଉତ୍କ୍ଷେପଣକୁ ସ୍ଥଗିତ ରଖାଯାଇଥିଲା। ସେହି ତ୍ରୁଟିକୁ ସଜଡ଼ାଯାଇଛି। ଉତ୍କ୍ଷେପଣର ଅଭ୍ୟାସ ମଧ୍ୟ ତ୍ରୁଟିଶୂନ୍ୟ ଥିବା କହିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବମ୍। ତେଣୁ ମିଶନ୍ ଚନ୍ଦ୍ରଯାନ-୨ ପାଇଁ ଇସ୍ରୋ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏହାର କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି।
ଉତ୍କ୍ଷେପଣରୁ ଆରମ୍ଭ କରି ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପର୍ଯ୍ୟନ୍ତ ୧୫ଟି ଜଟିଳ ପ୍ରକ୍ରିୟା ଦେଇ ଗତି କରିବ ଏହି ମହାକାଶ ଯାନ। ଉତ୍କ୍ଷେପଣର ୧୫ ମିନିଟ୍ ପରେ ଏହା ବାହୁବଳୀରୁ ଅଲଗା ହୋଇ ନିଜ ପ୍ରାଥମିକ କକ୍ଷ ପଥରେ ଅବସ୍ଥାପିତ ହେବ। ଏବଂ ଆଗାମୀ ୧୬ ଦିନ ଭିତରେ ପୃଥିବୀ ଚାରି ପଟେ ୫ଥର ବୁଲିବ। ଏହା ପରେ ଚନ୍ଦ୍ର ଆଡ଼କୁ ପ୍ରାୟ ୩ ଲକ୍ଷ ୮୫ ହଜାର କିଲୋମିଟର ପଥ ଯାତ୍ରା କରିବ। ଚନ୍ଦ୍ର ନିକଟରେ ପହଞ୍ଚି ତାକୁ ୪ ଥର ପରିକ୍ରମା କରିବା ପରେ ଲ୍ୟାଣ୍ଡର୍ ବିକ୍ରମ ଅର୍ବିଟର୍ରୁ ଅଲଗା ହୋଇଯିବ।
ଯୋଜନା ମୁତାବକ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲ୍ୟାଣ୍ଡର୍। ସଫ୍ଟ ଲ୍ୟାଣ୍ଡ୍ ବେଳର ସେହି ୧୫ ମିନିଟ୍ ଇସ୍ରୋ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ। ଲ୍ୟାଣ୍ଡର୍ ସୁରକ୍ଷିତ ଭାବେ ଅବତରଣ କରିବା ପରେ ତା ଭିତରୁ ରୋଭର୍ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ ଏବଂ ଫଟୋ ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିବ।
from OTV Khabar. https://ift.tt/2xZ0iP7
No comments: