ନାବାଳିକା ଦୁଷ୍କର୍ମ ଓ ନିର୍ଯାତନା ଘଟଣା । ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ, ସକାଳ ୧୦ ରୁ ଦିନ ଗୋଟାଏ ଯାଏଁ କରିବ ପ୍ରତିବାଦ Kanak News

କନକ ବ୍ୟୁରୋ : ନାବାଳିକା ଅପହରଣ ଓ ଦୁଷ୍କର୍ମ ଏ ରାଜ୍ୟରେ ନିୟନ୍ତ୍ରଣ ହୋଇପାରୁନି। ବିଧାନସଭାରେ ସରକାରଙ୍କୁ ଉତ୍ତର ମାଗିଲେ ମିଳୁନି। ମହିଳା ଓ ଶିଶୁମାନଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ବଢ଼ିଚାଲିଛି। ଏହା ବିରୋଧରେ ପ୍ରଦେଶ କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ଓ ପ୍ରତିବାଦ କରାଯିବ। ସ୍ଥାନୀୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଏ କଥା ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ବି ପଦକ୍ଷେପ ନିଆଯାଉନି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ପଞ୍ଚମ ପାଳିରେ ରାଜ୍ୟ ସରକାରଙ୍କ ଅହଂଭାବ ବଢ଼ି ଯାଉଥିବା ହେତୁ ଗୃହ ପ୍ରତି ସାମାନ୍ୟତମ ସମ୍ମାନ ନାହିଁ। ଆସନ୍ନ ମରୁଡ଼ି ସମସ୍ୟା ମୁକାବିଲା କରିବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ଆଲୋଚନା ବେଳେ ପ୍ରଶ୍ନ କରାଗଲା, ଅଥଚ ରାଜସ୍ବ ମନ୍ତ୍ରୀ ଗୃହରେ କେଉଁ ଜିଲ୍ଲାରେ କେତେ ବର୍ଷା ହୋଇଛି ବୋଲି ଉତ୍ତର ରଖିଲେ। କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଆହୁରି କହିଥିଲେ, ସମ୍ବିଧାନ ନିୟମାନୁଯାୟୀ ୨୯ଟି ବିଷୟ ପଞ୍ଚାୟତକୁ ହସ୍ତାନ୍ତର କରିବା ପାଇଁ ଏ ଗୃହରେ ସ୍ବତନ୍ତ୍ର ଆଇନ ପ୍ରଣୟନ ହେବା କଥା।
କିନ୍ତୁ ଏ ପର୍ଯ୍ୟନ୍ତ ୨୧ଟି ବିଷୟ ରାଜ୍ୟ ସରକାର ହସ୍ତାନ୍ତର କରିଥିଲେ ବି ଏ ବାବଦରେ ଗୃହରେ ଥରୁଟିଏ ମଧ୍ୟ ଆଲୋଚନା କରାଯାଇ ନାହିଁ। ଏ ସରକାର ସଂଖ୍ୟା ଗରିଷ୍ଠତା ବଳରେ ସମ୍ବିଧାନ ଓ ସାମ୍ବିଧାନିକ ଆନୁଷ୍ଠାନର ଗାରିମାକୁ କ୍ଷୁର୍ଣ୍ଣ କରିବାକୁ ବସିଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ମୁଖପାତ୍ର ମନୋଜ ମହାପାତ୍ର, ପ୍ରଶାନ୍ତ ଶତପଥୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
from Kanak News https://ift.tt/2K3pGIX https://ift.tt/32QeFTZ
No comments: